Police Face-Off in Kotia କୋଟିଆରେ ଓଡ଼ିଶା-ଆନ୍ଧ୍ର ପୁଲିସ ମୁହାଁମୁହିଁ, ସୌର ଉପକରଣ ଗାଡ଼ି ଅଟକାଇବାକୁ ନେଇ ଉତ୍ତେଜନା
କୋଟିଆର ଉପରସେମ୍ବି ଗାଁରେ ସୌର ଉପକରଣ ବଣ୍ଟନକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଉତ୍ତେଜନା। ଫାଟୁସିନେରୀରେ ସୌର ପ୍ଲେଟ୍ ବୋଝେଇ ଗାଡ଼ିକୁ ଓଡ଼ିଶା ପୁଲିସ ଅଟକାଇବା ପରେ ଗାଡ଼ି ମୁକୁଳାଇବାକୁ ଆସିଥିବା ଆନ୍ଧ୍ର ପୁଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ପଟାଙ୍ଗି/କୋରାପୁଟ: କୋଟିଆରେ ଆନ୍ଧ୍ର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପରେ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଓ ରାଜ୍ୟ ମଧ୍ୟରେ ରାଜନୈତିକ ଉଷ୍ମତା ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି (ରବିବାର) ସୌରଶକ୍ତି ପ୍ଲେଟ୍ ବଣ୍ଟନ ପାଇଁ ଆସିଥିବା ଆନ୍ଧ୍ରପ୍ରଦେଶର ଏକ ଟିମ୍କୁ କୋଟିଆ ନିକଟରୁ ସ୍ଥାନୀୟ ବିଜେପିର କର୍ମକର୍ତ୍ତା ଓ କର୍ମୀମାନେ ଘଉଡ଼ାଇଛନ୍ତି। ଅଟକଥିବା ସୌରଶକ୍ତି ପ୍ଲେଟ୍ ବୋଝେଇ ଗାଡ଼ିକୁ ମୁକୁଳାଇବା ପାଇଁ ଆସିଥିବା ଆନ୍ଧ୍ରପ୍ରଦେଶ ପୁଲିସ ସହ ଓଡ଼ିଶା ପୁଲିସ ମୁହାଁମୁହିଁ ହୋଇଥିଲେ।
ରବିବାର କୋଟିଆର ଉପରସେମ୍ବି ଗ୍ରାମରେ ହିତାଧିକାରୀଙ୍କୁ ମାଗଣା ସୌର ଉପକରଣ ବାଣ୍ଟିବାକୁ ଆସିଥିଲା ଆନ୍ଧ୍ରର ଏକ ଟିମ୍। ମତଦାନ ଲାଗି ଆକର୍ଷିତ କରିବାକୁ ଆନ୍ଧ୍ରପ୍ରଦେଶର ଟିମ୍ ଉଦ୍ୟମ କରୁଥିବା ବେଳେ ଖବର ପାଇ ଗାଁରେ ପହଞ୍ଚିଥିଲା କୋରାପୁଟ ପ୍ରଶାସନ ଓ ପୁଲିସ। ସୋଲାର ପ୍ଲେଟ୍ ବୋଝେଇ ଗାଡ଼ି ସୀମାନ୍ତ ଫାଟୁସିନେରୀରେ ପ୍ରବେଶ କରିବା ପରେ ଓଡ଼ିଶା ପୁଲିସ ଅଟକାଇଥିଲା। ଫଳରେ ଅଟକ ଗାଡ଼ିକୁ ମୁକୁଳାଇବା ପାଇଁ ଆସିଥିଲା ଆନ୍ଧ୍ର ପୁଲିସ। ଏହି ସମୟରେ କୋଟିଆରେ ଆନ୍ଧ୍ର ପୁଲିସର ଅନୁପ୍ରବେଶକୁ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛ, ପୂର୍ବତନ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ପ୍ରମୁଖ ବିରୋଧ କରିଥିଲେ। ଓଡ଼ିଶାରେ ଆନ୍ଧ୍ରର ସୌର ଉପକରଣ ଗାଡ଼ି ପ୍ରବେଶକୁ କିଏ ଅନୁମତି ଦେଲା ବୋଲି ପଚାରିବା ସହ ତୁରନ୍ତ ଫେରିଯିବାକୁ କହିଥିଲେ ବିଧାୟକ ଶ୍ରୀ ମାଛ। କିଛି ସମୟ ଯୁକ୍ତିତର୍କ ପରେ ଆନ୍ଧ୍ର ପୁଲିସ ଫେରିଯାଇଥିଲା।
ସୌଜନ୍ୟ ସମ୍ବାଦ




