‘Habishyali: ହବିଷ୍ୟାଳି ଶିବିରରେ ମାଳମାଳ ନକଲି ପ୍ରାପ୍ତିସ୍ବୀକାର ପତ୍ର: ନାମ ଗୋଟିଏ, ହବିଷ୍ୟାଳି ଦୁଇଜଣ
ହବିଷ୍ୟାଳି ଶିବିରରେ ରହିବାକୁ ବି ଜାଲିଆତି। ପ୍ରାପ୍ତିସ୍ବୀକାର ପତ୍ର ନକଲ କରି ଜଣେ ମହିଳାଙ୍କ ନାମରେ ଦୁଇଜଣ ଲେଖାଏଁ ଶିବିରକୁ ପ୍ରବେଶ କରିଥିବା ସାମ୍ନାକୁ ଆସିଛି। ମାତ୍ର ପଞ୍ଜୀକରଣ ବେଳେ ସବୁ କାରନାମା ଧରାପଡ଼ି ଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି...

ପୁରୀ: ହବିଷ୍ୟାଳି ଶିବିରରେ ରହିବାକୁ ବି ଜାଲିଆତି। ପ୍ରାପ୍ତିସ୍ବୀକାର ପତ୍ର ନକଲ କରି ଜଣେ ମହିଳାଙ୍କ ନାମରେ ଦୁଇଜଣ ଲେଖାଏଁ ଶିବିରକୁ ପ୍ରବେଶ କରିଥିବା ସାମ୍ନାକୁ ଆସିଛି। ମାତ୍ର ପଞ୍ଜୀକରଣ ବେଳେ ସବୁ କାରନାମା ଧରାପଡ଼ି ଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗୋଟିଏ ଅଞ୍ଚଳର ଦୁଇଜଣ ଗୋଟିଏ ପତ୍ରରେ ଭିତରକୁ ସିନା ପ୍ରବେଶ କରିଗଲେ, କିନ୍ତୁ ରୁମ୍ରେ ବେଡ୍ ଯୋଗାଇବା ବେଳେ ସତ ଧରାପଡ଼ି ଯାଇଥିଲା।
ଖୋରଧା ଜିଲ୍ଲା ବାଣପୁର ଭେଟେଶ୍ବର ଗ୍ରାମର ପ୍ରମିଳା ପ୍ରଧାନ ଏବଂ ଖୋରଧା ଜିଲ୍ଲା ବାଣପୁର ବ୍ଲକ୍ ଖଜୁରିଆରୁ ଆସିଥିବା ବେଲୁ ଦେଈଙ୍କ ପ୍ରାପ୍ତିସ୍ବୀକାର ପତ୍ରକୁ ନକଲ କରି ଅନ୍ୟ ଦୁଇଜଣ ତାଙ୍କ ପାଇଁ ଉଦ୍ଦିଷ୍ଟ ବେଡ୍ କରାୟତ କରିସାରିଥିଲେ। ହବିଷ୍ୟାଳି ପରିଚୟ ପତ୍ର ମଧ୍ୟ ହାତେଇ ସାରିଥିଲେ। ତେଣୁ ପ୍ରମିଳା କାନ୍ଦିକାନ୍ଦି ନିଜ ଦୁଃଖ ଅଧିକାରୀଙ୍କୁ ଜଣାଇବା ପରେ ଏହି କମ୍ପ୍ୟୁଟର ରସିଦ ନକଲ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହା ଜାଣିବା ପରେ ପ୍ରଶାସନିକ ଅଧିକାରୀ ବେଲୁ ଦେଈଙ୍କ ପାଇଁ ମଞ୍ଜୁର ହୋଇଥିବା ୩ ତାଲାର ୨୧୦ କକ୍ଷରେ ଯାଞ୍ଚ କରିଥିଲେ। ଅଥଚ ପୂର୍ବରୁ ଏହି ନାଁରେ ଟିପ ଚିହ୍ନ ମାରି ଉକ୍ତ କକ୍ଷକୁ ଯାଇଥିବା ମହିଳା ଜଣକ ସେଠାରେ ଉପସ୍ଥିତ ନଥିଲେ। ଅନ୍ୟପକ୍ଷରେ ପ୍ରମିଳାଙ୍କୁ ୬ ତାଲାରେ ନିର୍ଦ୍ଦିଷ୍ଟ କକ୍ଷରେ ରହିବା ଲାଗି ବେଡ୍ ଉଦ୍ଦିଷ୍ଟ ଥିଲା। ମାତ୍ର ତାଙ୍କ ନାମରେ ଆଗରୁ କେହି ମହିଳା ପଞ୍ଜୀକରଣ କରି ଉକ୍ତ ବେଡକୁ ହାତେଇ ସାରିଥିଲେ। ଅଧିକାରୀମାନେ ଯାଞ୍ଚ ବେଳେ ପ୍ରମିଳାଙ୍କ ନାମରେ ପୂର୍ବରୁ ପଞ୍ଜୀକରଣ କରି ରହିଥିବା ମହିଳାଙ୍କୁ ଠାବ କରିବାକୁ ଯାଇଥିଲେ ହେଁ ପାଇଲେ ନାହିଁ। ତେଣୁ କିଏ ନକଲ କରି ଉକ୍ତ ରସିଦ ଦେଖାଇଥିଲା ତାହା ସ୍ପଷ୍ଟ ହୋଇପାରିନଥିଲା।
ସୌଜନ୍ୟ ସମ୍ବାଦ




