ରାଜ୍ୟ

Naxal-free Odisha: ରାଷ୍ଟ୍ରୀୟ ଏକତା ଦିବସ ପରେଡ୍‌ରେ ଯୋଗଦେବେ ଓଡ଼ିଶାର ହଜାରେ ପ୍ରତିନିଧି: ନକ୍ସଲମୁକ୍ତ ଓଡ଼ିଶାର ପ୍ରତିନିଧିତ୍ୱ କରିବେ

ଆସନ୍ତା ୩୧ ତାରିଖରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତାନଗରସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିକଟରେ ଜାତୀୟ ପରେଡ୍‌ ଅନୁଷ୍ଠିତ ହେବ।

ଭୁବନେଶ୍ୱର: ଆସନ୍ତା ୩୧ ତାରିଖରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତାନଗରସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିକଟରେ  ଜାତୀୟ ପରେଡ୍‌ ଅନୁଷ୍ଠିତ ହେବ। ଏଥିରୁ ରାଜ୍ୟର ୧୯ଟି ନକ୍ସଲମୁକ୍ତ ଜିଲ୍ଲାରୁ ପ୍ରାୟ ଏକ ହଜାର ପ୍ରତିନିଧି ଯୋଗ ଦେବେ। ସେମାନେ ଶାନ୍ତି, ସୁରକ୍ଷା ଓ ପ୍ରଗତିର ପ୍ରତୀକ ଭାବେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଏହି ପ୍ରତିନିଧିମାନଙ୍କୁ ନେଇ ଏକ ସ୍ବତନ୍ତ୍ର ‌ଟ୍ରେନ୍‌ ଆଜି ଗୁଜରାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଭୁବନେଶ୍ୱର ନୂଆ ରେଳ ଷ୍ଟେସନରୁ ଏହି ଟ୍ରେନ୍‌କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ନକ୍ସଲମୁକ୍ତ ଓଡ଼ିଶାର ପ୍ରତିନିଧିତ୍ୱ କରିବେ 
ଗୁଜରାଟର ଏକତାନଗର ଅଭିମୁଖେ ଗଲା ସ୍ୱତନ୍ତ୍ର ଟ୍ରେନ୍ 
ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇ ଦ୍ରୁତ ବିକାଶ ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଏହି ଅବସରରେ ଗଣମାଧ୍ୟମକୁ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଏକ ଅସାଧାରଣ ନେତୃତ୍ୱ ଓ ଦୃଢ଼ ସଂକଳ୍ପ ବଳରେ ସର୍ଦ୍ଦାର ପଟେଲ ଦେଶର ୫୫୦ରୁ ଅଧିକ ଦେଶୀୟ ରାଜ୍ୟକୁ ଏକତ୍ରିତ କରି ଆଜିର ଅଖଣ୍ଡ ଭାରତ ଗଠନ କରିଥିଲେ। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ କ୍ଷମତାକୁ ଆସିବା ପରେ ପ୍ରତିବର୍ଷ ତାଙ୍କ ଜନ୍ମଦିବସକୁ ‘ରାଷ୍ଟ୍ରୀୟ ଏକତା ଦିବସ’ ଭାବେ ପାଳନ କରି ତାଙ୍କ ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିଆସୁଛନ୍ତି। ଚଳିତ ବର୍ଷର ଏହି ଜାତୀୟ ସ୍ତରୀୟ ଏକତା ପରେଡ୍‌ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଭାରତର ଚିତ୍ରକୁ ପ୍ରତିଫଳିତ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଭିତ୍ତିଭୂମି ନିର୍ମାଣ ସହିତ ସାମାଜିକ ଓ ଅର୍ଥନୈତିକ ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ବିଶେଷ କରି ୧୦ଟି ପ୍ରଭାବିତ ଜିଲ୍ଲାରେ ‘ଗ୍ରାମୋଦୟ ପ୍ଲସ୍’ ଯୋଜନା ଜରିଆରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ସମନ୍ୱିତ ଭାବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଯାଉଛି। ଯାହାଫଳରେ ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ‘ଏକ୍ ଭାରତ, ଶ୍ରେଷ୍ଠ ଭାରତ’ କଳ୍ପନାକୁ ସାକାର କରିବା ପାଇଁ ଦେଶର ୧୪୦ କୋଟି ଜନସାଧାରଣଙ୍କ ମିଳିତ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button