ରାଜ୍ୟ

Cyclone Update: ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ: କାକିନାଡ଼ା ନିକଟ ୟାନମ୍‌ ପାଖରେ ସ୍ଥଳଭାଗ ମୁହାଁ, ୧୫୦ କିମି ଯାଏଁ ଝଟ୍‌କା ପବନ

ଭୁବନେଶ୍ୱର,୨୮/୧୦(ବ୍ୟୁରୋ): ଆଗୁଆ ମାଡ଼ି  ଆସିଲା ‘ଅର୍ଣ୍ଣବ’ । ଆନ୍ଧ୍ରରେ ଭିଆଇଲା ତାଣ୍ଡବ ।  ଅତି ଭୀଷଣ ବାତ୍ୟା ରୂପରେ ମଙ୍ଗଳବାର  ବିଳମ୍ବିତ ରାତିରେ କାକିନାଡ଼ାର ଦକ୍ଷିଣରେ କଲା  ଲ୍ୟାଣ୍ଡଫଲ୍‌ । ସ୍ଥଳଭାଗ ଛୁଇଁଲାବେଳକୁ ପବନ  ପିଟୁଥିଲା ଘଣ୍ଟା ପ୍ରତି ୧୨୫-୧୩୫ କିଲୋମିଟର  ବେଗରେ । ଝଟ୍‌କା ପବନ ୧୫୦ କିମି ଯାଏଁ  ଯାଇଥିବା ଅନୁମାନ କରାଯାଉଛି । ଅତି ପ୍ରବଳ  ବର୍ଷା ବି ଅଜାଡ଼ିଛି । ମୋଡ଼ି ମକଚି ଦେଇଛି  ଉପକୂଳବର୍ତ୍ତୀ ଆନ୍ଧ୍ର ଅଞ୍ଚଳକୁ । ବିଶାଖାପଟ୍ଟମ,  ଶ୍ରୀକାକୁଲମ, ବିଜୟନଗରମ, କାକିନାଡ଼ା,  ୟାନମ ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ  ଧରାଶାୟୀ ହୋଇଛି ବିରାଟକାୟ ଗଛ । ବହୁ  ସ୍ଥାନରେ ଗଛ ପଡ଼ି ଅବରୋଧ ହୋଇଛି  ରାସ୍ତା । ଅନେକ ସ୍ଥାନରେ ଛପର, ହୋର୍ଡିଂ ଉଡ଼ି  ପଡ଼ିଛି । କଚା ଘର ଭାଙ୍ଗିଛି । ବିଦ୍ୟୁତ, ଟେଲି  ସେବା ବି ମାଟି କାମୁଡ଼ିଛି ବିଭିନ୍ନ ଅଞ୍ଚଳରେ ।

ଆଇଏମଡିର ପୂର୍ବାନୁମାନ କହୁଛି, ଆନ୍ଧ୍ରରେ  କୋପ ଦେଖାଇବା ପରେ ବାତ୍ୟା ପଶିବ  ଓଡ଼ିଶାକୁ । ଦକ୍ଷିଣ ଓଡ଼ିଶାର ମାଲକାନଗିରି  ଭିତର ଦେଇ ମୁହାଁଇବ ଛତିଶଗଡ଼ ଆଡ଼କୁ ।  ବାତ୍ୟାର ବଳୟ ପାର୍ଶ୍ବରେ ଦକ୍ଷିଣ ଓଡ଼ିଶାର  ବିଭିନ୍ନ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର କେତେକ  ଅଞ୍ଚଳ ବି ପଡ଼ିବ ।  ସିଧା ମାଡ଼ ନ ହେଲେ ବି ଦକ୍ଷିଣ ଓଡ଼ିଶାରେ  ୬୦-୭୦ ପବନ ଏବଂ ଝଟକା ପବନ ୮୦  କିମି ପର୍ଯ୍ୟନ୍ତ ରହିପାରେ । ଦକ୍ଷିଣ, ଉପକୂଳ  ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଦୁଇଦିନ ପ୍ରବଳରୁ ଅତି ପ୍ରବଳ  ବର୍ଷା ହୋଇପାରେ । ଲଗାଣ ବର୍ଷା, ପବନ ଯୋଗୁ ଦକ୍ଷିଣ ଓଡ଼ିଶାରେ  ଭୂସ୍ଖଳନ ଆଶଙ୍କା ରହିଛି । ଅନ୍ୟପଟେ ଲଗାଣ  ବର୍ଷାରେ ନାଗାବଳୀ, ଋଷିକୂଲ୍ୟା, ଗୋଦାବରୀ ଫୁଲିବା  ଆଶଙ୍କା ରହିଛି । ଛତିଶଗଡ଼ରେ ପ୍ରବଳ ବର୍ଷା ହେଲେ  ମହାନଦୀ ଉପରମୁଣ୍ଡ ଜଳସ୍ତର ବଢ଼ିପାରେ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button