Cyclone Update: ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ: କାକିନାଡ଼ା ନିକଟ ୟାନମ୍ ପାଖରେ ସ୍ଥଳଭାଗ ମୁହାଁ, ୧୫୦ କିମି ଯାଏଁ ଝଟ୍କା ପବନ

ଭୁବନେଶ୍ୱର,୨୮/୧୦(ବ୍ୟୁରୋ): ଆଗୁଆ ମାଡ଼ି ଆସିଲା ‘ଅର୍ଣ୍ଣବ’ । ଆନ୍ଧ୍ରରେ ଭିଆଇଲା ତାଣ୍ଡବ । ଅତି ଭୀଷଣ ବାତ୍ୟା ରୂପରେ ମଙ୍ଗଳବାର ବିଳମ୍ବିତ ରାତିରେ କାକିନାଡ଼ାର ଦକ୍ଷିଣରେ କଲା ଲ୍ୟାଣ୍ଡଫଲ୍ । ସ୍ଥଳଭାଗ ଛୁଇଁଲାବେଳକୁ ପବନ ପିଟୁଥିଲା ଘଣ୍ଟା ପ୍ରତି ୧୨୫-୧୩୫ କିଲୋମିଟର ବେଗରେ । ଝଟ୍କା ପବନ ୧୫୦ କିମି ଯାଏଁ ଯାଇଥିବା ଅନୁମାନ କରାଯାଉଛି । ଅତି ପ୍ରବଳ ବର୍ଷା ବି ଅଜାଡ଼ିଛି । ମୋଡ଼ି ମକଚି ଦେଇଛି ଉପକୂଳବର୍ତ୍ତୀ ଆନ୍ଧ୍ର ଅଞ୍ଚଳକୁ । ବିଶାଖାପଟ୍ଟମ, ଶ୍ରୀକାକୁଲମ, ବିଜୟନଗରମ, କାକିନାଡ଼ା, ୟାନମ ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ଧରାଶାୟୀ ହୋଇଛି ବିରାଟକାୟ ଗଛ । ବହୁ ସ୍ଥାନରେ ଗଛ ପଡ଼ି ଅବରୋଧ ହୋଇଛି ରାସ୍ତା । ଅନେକ ସ୍ଥାନରେ ଛପର, ହୋର୍ଡିଂ ଉଡ଼ି ପଡ଼ିଛି । କଚା ଘର ଭାଙ୍ଗିଛି । ବିଦ୍ୟୁତ, ଟେଲି ସେବା ବି ମାଟି କାମୁଡ଼ିଛି ବିଭିନ୍ନ ଅଞ୍ଚଳରେ ।
ଆଇଏମଡିର ପୂର୍ବାନୁମାନ କହୁଛି, ଆନ୍ଧ୍ରରେ କୋପ ଦେଖାଇବା ପରେ ବାତ୍ୟା ପଶିବ ଓଡ଼ିଶାକୁ । ଦକ୍ଷିଣ ଓଡ଼ିଶାର ମାଲକାନଗିରି ଭିତର ଦେଇ ମୁହାଁଇବ ଛତିଶଗଡ଼ ଆଡ଼କୁ । ବାତ୍ୟାର ବଳୟ ପାର୍ଶ୍ବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳ ବି ପଡ଼ିବ । ସିଧା ମାଡ଼ ନ ହେଲେ ବି ଦକ୍ଷିଣ ଓଡ଼ିଶାରେ ୬୦-୭୦ ପବନ ଏବଂ ଝଟକା ପବନ ୮୦ କିମି ପର୍ଯ୍ୟନ୍ତ ରହିପାରେ । ଦକ୍ଷିଣ, ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଲଗାଣ ବର୍ଷା, ପବନ ଯୋଗୁ ଦକ୍ଷିଣ ଓଡ଼ିଶାରେ ଭୂସ୍ଖଳନ ଆଶଙ୍କା ରହିଛି । ଅନ୍ୟପଟେ ଲଗାଣ ବର୍ଷାରେ ନାଗାବଳୀ, ଋଷିକୂଲ୍ୟା, ଗୋଦାବରୀ ଫୁଲିବା ଆଶଙ୍କା ରହିଛି । ଛତିଶଗଡ଼ରେ ପ୍ରବଳ ବର୍ଷା ହେଲେ ମହାନଦୀ ଉପରମୁଣ୍ଡ ଜଳସ୍ତର ବଢ଼ିପାରେ ।
ସୌଜନ୍ୟ ପ୍ରମେୟ




