ରାଜ୍ୟ

Mobile services: ଅନୁଗୋଳର ଅନେକ ଗାଁକୁ ମୋବାଇଲ୍‌ ସେବା ଅପହଞ୍ଚ

ଇଣ୍ଟରନେଟ୍‌ ଯୋଗୁ କ୍ଷଣକରେ ସାରା ବିଶ୍ବର ସବୁ ଖବର ମିଳିପାରୁଛି। ଇଣ୍ଟରନେଟ୍‌ ବ୍ୟବହାର କରି ପାଠପଢ଼ାଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ ବ୍ୟବସାୟ, ଡିଜିଟାଲ ପେମେଣ୍ଟ ଭଳି ଅନେକ କାମ ସହଜରେ ହୋଇପାରୁଛି।

ଅନୁଗୋଳ (ପ୍ରଭାତ କୁମାର ବେହେରା): ଇଣ୍ଟରନେଟ୍‌ ଯୋଗୁ କ୍ଷଣକରେ ସାରା ବିଶ୍ବର ସବୁ ଖବର ମିଳିପାରୁଛି। ଇଣ୍ଟରନେଟ୍‌ ବ୍ୟବହାର କରି ପାଠପଢ଼ାଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ ବ୍ୟବସାୟ, ଡିଜିଟାଲ ପେମେଣ୍ଟ ଭଳି ଅନେକ କାମ ସହଜରେ ହୋଇପାରୁଛି। ଏପରିକି ୟୁଟ୍ୟୁବ୍‌, ଫେସ୍‌ବୁକ ଆଦି ଜରିଆରେ ଲୋକେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରୁଥିବା ଦେଖାଯାଉଛି। ତେବେ, ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାର ବହୁ ଗାଁରେ ଏବେ ବି ମୋବାଇଲ୍‌ ସେବା ଉପଲବ୍‌ଧ ନାହିଁ। ୨୯ ଅକ୍ଟୋବର ଅର୍ନ୍ତଜାତୀୟ ଇଣ୍ଟରନେଟ୍‌ ଦିବସ ପାଳିତ ହେଉଥିବା ବେଳେ ଜିଲ୍ଲାର ବଣଜଙ୍ଗଲ ଘେରା ଅନେକ ଗାଁ ଲୋକଙ୍କ ପାଇଁ ଇଣ୍ଟରନେଟ୍‌ ସେବା ଏବେ ବି ସ୍ବପ୍ନ ହୋଇ ରହିଛି।

ଅନୁଗୋଳ ଜିଲ୍ଲାର ୨୨୫ ପଞ୍ଚାୟତ ମଧ୍ୟରୁ ମାତ୍ର ୧୨୦ଟି ପଞ୍ଚାୟତରେ ବିଏସ୍‌‌ଏନ୍‌ଏଲ୍‌ ମୋବାଇଲ ସେବା ଉପଲବ୍‌ଧ ରହିଛି।  କିଛି ଅଞ୍ଚଳରେ କେତେକ ଘରୋଇ କମ୍ପାନି ଇଣ୍ଟରନେଟ୍‌ ସେବା ଯୋଗାଇ ଦେଉଛନ୍ତି। ତଥାପି, ଶତାଧିକ ଗାଁ ଇଣ୍ଟରନେଟ ସେବାରୁ ବଞ୍ଚିତ ରହିଛନ୍ତି। ଆଠମଲ୍ଲିକ ବ୍ଲକ୍‌ର ମିନ୍ଦୋଳ, ଲକ୍ଷ୍ମୀପୁର, ଗୁଡ଼ିଆମୁଣ୍ଡା, ବିପ୍ରଡିହ, ତରଣ୍ଡା, ମଇମୁରା, ଆନନ୍ଦପୁର, ସିନ୍ଦୂରଖୋଳ, ହାତୀଗେଞ୍ଜ, ବରଢିପ ଗାଁରେ ମୋବାଇଲ୍‌ ନେଟ୍‌ୱର୍କ ଏବେ ବି ଅପହଞ୍ଚ। ସେହିପରି କିଶୋରନଗର ବ୍ଲକ୍‌ ଜାମୁଝରୀ, ପଥରଗଡ଼, ରଙ୍ଗମାଟି ଭଳି ଅନେକ ଗାଁରେ ନାହିଁ ମୋବାଇଲ ନେଟ୍‌ୱର୍କ। ଅନୁଗୋଳ ବ୍ଲକ୍‌ର ତରଭା, ମାଣିକଯୋଡ଼ି, ସିଟିକୋଇଲି, କନ୍ଧକୋଇଲି, ପଥରଗଡ଼, ବେତର, କରାବିରାଖୋଲ ଗାଁରେ ମୋବାଇଲ ନେଟ୍‌ୱର୍କ ସ୍ବପ୍ନ ପାଲଟିଛି। ଗଛ ଚଢ଼ିଲେ କିମ୍ବା ଘର ଛାତ ଉପରକୁ ଗଲେ କେତେକ ଗାଁରେ ‌ମୋବାଇଲ ଫୋନ୍ ସେବା ମିଳୁଛି। ସେପଟେ ପାଳଲହଡ଼ା ବ୍ଲକ୍‌ରେ ମୋବାଇଲ୍‌ ନେଟ୍‌ୱର୍କ ନଥିବା ଗାଁର ତାଲିକା ବେଶ୍‌ ଲମ୍ବା। ସବୁଠାରୁ ବଡ଼କଥା ହେଲା, ଗାଁରେ ମୋବାଇଲ ସେବା ନଥିବାରୁ ଝିଅ ବିବାହ ଦେବାକୁ ଲୋକେ ଅମଙ୍ଗ ହେଉଥିବା ଅଭିଯୋଗ ହୋଇଛି। ସିନ୍ଦୂରଖୋଳ ଗାଁର ଶ୍ରୀକାନ୍ତ ସାହୁ କହିଛନ୍ତି, ଏବେ ବି ତାଙ୍କ ଗାଁ ଯୁବକଙ୍କୁ ଝିଅ ବିବାହ ଦେବାକୁ ଆଗ୍ରହ ଦେଖାଉନାହାନ୍ତି। ବଲଙ୍ଗ ଗାଁର ସୁଶାନ୍ତ ପ୍ରଧାନ ମଧ୍ୟ ସମାନ କଥା କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button