ଦେଶ ବିଦେଶ

Judgement: ସହମତିରେ ଗଢ଼ିଥିବା ସମ୍ପର୍କ ଭାଙ୍ଗିଗଲେ ଶାରୀରିକ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ: ସୁପ୍ରିମ୍‌କୋର୍ଟ

ଦୁଇଜଣ ବୟସ୍କଙ୍କ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କ ଗଢ଼ିଥିବାବେଳେ ପରେ ସମ୍ପର୍କ ଖରାପ ହୋଇଗଲେ, ପୂର୍ବରୁ ହୋଇଥିବା ଶାରୀରିକ ସମ୍ପର୍କକୁ ବଳାତ୍କାର ବୋଲି କୁହାଯାଇପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଶୁକ୍ରବାର ଜଷ୍ଟିସ୍‌ ବି.ଭି. ନାଗରତ୍ନା...

ନୂଆଦିଲ୍ଲୀ: ଦୁଇଜଣ ବୟସ୍କଙ୍କ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କ ଗଢ଼ିଥିବାବେଳେ ପରେ ସମ୍ପର୍କ ଖରାପ ହୋଇଗଲେ, ପୂର୍ବରୁ ହୋଇଥିବା ଶାରୀରିକ ସମ୍ପର୍କକୁ ବଳାତ୍କାର ବୋଲି କୁହାଯାଇପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଶୁକ୍ରବାର ଜଷ୍ଟିସ୍‌ ବି.ଭି. ନାଗରତ୍ନା ଓ ଜଷ୍ଟିସ୍‌ ଆର୍‌. ମହାଦେବନ୍‌ଙ୍କ ଖଣ୍ଡପୀଠ ଏକ ମାମଲାରେ ଜଣେ କେରଳ ନିବାସୀଙ୍କୁ ବଳାତ୍କାର ଓ ଠକେଇ ଅଭିଯୋଗରୁ ମୁକ୍ତ କରିବା ସମୟରେ ଏହି ମତ ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି, ସମ୍ପର୍କ ଭାଙ୍ଗିଯିବା ପରେ ପୂର୍ବରୁ ସହମତିରେ ହୋଇଥିବା ଶାରୀରିକ ସମ୍ପର୍କକୁ ବଳାତ୍କାର ଭାବେ ଚିତ୍ରଣ କରାଯାଇପାରିବ ନାହିଁ। ତେବେ ଆରମ୍ଭରୁ ଯଦି ଜାଣିଶୁଣି ଠକେଇ କିମ୍ବା ମିଥ୍ୟା ପ୍ରତିଶ୍ରୁତି ଦେଇ ସହମତି ହାସଲ କରାଯାଇଥାଏ, ତାହା ଭିନ୍ନ ମାମଲା। ଏଭଳି ଘଟଣାରେ ସହମତିର ବୈଧତା ଓ ଅଭିଯୁକ୍ତଙ୍କ ଉଦ୍ଦେଶ୍ୟକୁ ଯାଞ୍ଚ କରିବା ଆବଶ୍ୟକ। ଏହି ମାମଲାର ଅଭିଯୁକ୍ତ ସନ୍ତୋଷ କୁମାର ଏନ୍‌.ପି. କେରଳ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ ବଳାତ୍କାର, ଠକେଇ ଓ ବିଶ୍ୱାସଭଙ୍ଗ ଅଭିଯୋଗ ରହିଥିଲା।

ଅଭିଯୋଗ ଅନୁଯାୟୀ, ସେ ନିଜର ପୂର୍ବ ବିବାହ ସମ୍ପର୍କରେ ତଥ୍ୟ ଲୁଚାଇ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ପୂର୍ବ ବିବାହ ଆଇନଗତ ଭାବେ ରଦ୍ଦ ହୋଇନଥିବା ସତ୍ତ୍ୱେ ସେ ଦ୍ୱିତୀୟ ବିବାହ କରିଥିବା ମହିଳା ଅଭିଯୋଗ କରିଥିଲେ। ଏହା ଫଳରେ ବିବାହ ସମ୍ପର୍କରେ ମିଥ୍ୟା ଧାରଣା ସୃଷ୍ଟି କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖାଯାଇଥିବା ସେ ଦାବି କରିଥିଲେ। ଉଭୟଙ୍କ ବିବାହ ମହୀଶୂରରେ ହୋଇଥିବା ଏବଂ ୧୯୯୬ରୁ ୨୦୦୩ ପର୍ଯ୍ୟନ୍ତ ସେମାନେ ଏକାଠି ରହିଥିବା ଅଭିଯୋଗରେ ଉଲ୍ଲେଖ ଅଛି।

ଖଣ୍ଡପୀଠ କହିଛନ୍ତି, ଏକ ସହମତିଭିତ୍ତିକ ସମ୍ପର୍କ ଶେଷ ହେବା ପରେ ପ୍ରତ୍ୟେକ ଘଟଣାକୁ ଅପରାଧିକ ମାମଲାରେ ପରିଣତ କରିବାର ପ୍ରବୃତ୍ତି ଚିନ୍ତାଜନକ। କେବଳ ସମ୍ପର୍କ ଭାଙ୍ଗିଯିବା ଆଧାରରେ ଅପରାଧ ନିର୍ଦ୍ଧାରଣ କରାଯାଇପାରିବ ନାହିଁ। ଜଣେ ବ୍ୟକ୍ତିଙ୍କର ସମ୍ପର୍କରୁ ଓହରିଯିବାର ଅଧିକାର ରହିଛି। ତେବେ ବଳାତ୍କାର ଏକ ଗୁରୁତର ଅପରାଧ ହୋଇଥିବାରୁ ଯେଉଁଠାରେ ପ୍ରକୃତ ଯୌନ ହିଂସା, ଜବରଦସ୍ତି କିମ୍ବା ସହମତିକୁ ଠକେଇ ମାଧ୍ୟମରେ ହାସଲ କରାଯାଇଥିବାର ପ୍ରମାଣ ରହିଛି, ସେଠାରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବା ଉଚିତ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ପ୍ରକୃତ ଯୌନ ଅପରାଧର ଅଭିଯୋଗକୁ ଗୁରୁତ୍ୱର ସହ ନେବା ସହ ନ୍ୟାୟ ବ୍ୟବସ୍ଥାର ଦୁରୁପଯୋଗ ରୋକିବା ମଧ୍ୟ ଆବଶ୍ୟକ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button