ଦେଶ ବିଦେଶ

Political party: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ମାମଲାରେ ନିଷ୍ପତ୍ତି ପୂର୍ବରୁ ରାଜନୈତିକ ଦଳର ନେତାଙ୍କ ସହ ପରାମର୍ଶ କରିବେ ବାଚସ୍ପତି ବିର୍ଲା

ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବାସଭବନରୁ ନଗଦ ଟଙ୍କା ଜବତ ମାମଲାରେ ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ପରାମର୍ଶ କରିବେ।

ନୂଆଦିଲ୍ଲୀ : ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବାସଭବନରୁ ନଗଦ ଟଙ୍କା ଜବତ ମାମଲାରେ ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ପରାମର୍ଶ କରିବେ। ବିଚାରପତିଙ୍କ ମହାଭିଯୋଗ ପ୍ରକ୍ରିୟା ସମ୍ପର୍କିତ ନିୟମଗୁଡ଼ିକର ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ବାଚସ୍ପତି କହିଛନ୍ତି। ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ବାଚସ୍ପତିଙ୍କ ଦ୍ୱାରା ‘ଜଜେସ୍ ଆକ୍ଟ’ ଅନୁଯାୟୀ ଗଠିତ ତିନି ଜଣିଆ କମିଟି ଅଗଷ୍ଟ ମାସରେ ସଂସଦର ଉଭୟ ଗୃହରେ ରିପୋର୍ଟ ଦାଖଲ କରିଥିଲା।

ଏଥିରେ ତାଙ୍କ ସରକାରୀ ବାସଭବନରୁ ମିଳିଥିବା ହିସାବବିହୀନ ନଗଦ ଟଙ୍କା, ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଏବଂ ତାଙ୍କର ଅସ୍ପଷ୍ଟ ଉତ୍ତର ସମ୍ପର୍କିତ ଅଭିଯୋଗଗୁଡ଼ିକ ପ୍ରମାଣିତ ହୋଇଥିବା କମିଟି ଦର୍ଶାଇଥିଲା। ଏହି ଘଟଣା ପରେ ଜଷ୍ଟିସ୍ ବର୍ମା ଆହ୍ଲାବାଦ ହାଇକୋର୍ଟର ବିଚାରପତି ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଫଳରେ ହାଇକୋର୍ଟର ବିଚାରପତି ତାଲିକାରେ ଏବେ ମଧ୍ୟ ତାଙ୍କ ନାମ ରହିଛି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ବାଚସ୍ପତି ବିର୍ଲା କହିଛନ୍ତି, ‘ଆମେ ନିୟମଗୁଡ଼ିକର ଅନୁଧ୍ୟାନ କରିବୁ। ଭବିଷ୍ୟତରେ କେଉଁ ପଦକ୍ଷେପ ନିଆଯିବ, ସେନେଇ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ମଧ୍ୟ ଆଲୋଚନା କରିବୁ। ଜଷ୍ଟିସ୍ ବର୍ମାଙ୍କୁ ପଦରୁ ହଟାଇବା ପାଇଁ ଶାସକ ଓ ବିରୋଧୀ ମେଣ୍ଟର ପ୍ରାୟ ୨୦୦ ଜଣ ସାଂସଦ ସଂସଦରେ ଦାବି ଉଠାଇବା ପରେ ତଦନ୍ତ କମିଟି ଗଠନ କରାଯାଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button