Judgement: ନାବାଳିକା ଗଣଦୁଷ୍କର୍ମ ମାମଲା, ତିନି ଆସାମୀଙ୍କୁ ଆଜୀବନ କରାଦଣ୍ଡ
ନାବାଳିକା ଗଣ ଦୁଷ୍କର୍ମ ଅଭିଯୋଗ ମାମଲାର କଟକ ଆଡ୍-ହକ୍ ଅତିରିକ୍ତ ଦୌରା ଜଜ (ଏଫଟିଏସସି-୨) ଅଦାଲତ ବିଚାରପତି ସବିତା ଦାସ ଶୁଣାଣି କରି ୩ଜଣଙ୍କୁ ଆଜୀବନ କରାଦଣ୍ଡ ପ୍ରଦାନ କରିଛନ୍ତି। ମାମଲାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳର...

କଟକ: ନାବାଳିକା ଗଣ ଦୁଷ୍କର୍ମ ଅଭିଯୋଗ ମାମଲାର କଟକ ଆଡ୍-ହକ୍ ଅତିରିକ୍ତ ଦୌରା ଜଜ (ଏଫଟିଏସସି-୨) ଅଦାଲତ ବିଚାରପତି ସବିତା ଦାସ ଶୁଣାଣି କରି ୩ଜଣଙ୍କୁ ଆଜୀବନ କରାଦଣ୍ଡ ପ୍ରଦାନ କରିଛନ୍ତି। ମାମଲାରେ ଢେଙ୍କାନାଳଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳର ରାମ ବରଜ(୩୮), ନିହାଲପ୍ରସାଦ ଅଞ୍ଚଳର ମହିମା ବାଁରା(୨୦), ଯାଜପୁର ବଡ଼ଚଣା ଥାନା ଅଞ୍ଚଳର ଚରଣ ମୁଣ୍ଡା(୪୦)ଙ୍କୁ ଆଜୀବନ କରାଦଣ୍ଡ ମିଳିଛି। ଅଦାଲତ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୭୦(୨), ୬୪(୨), ୩୫୧(୩) ଓ ପୋକସୋ ଆଇନର ଧାରା ୬ରେ ରାମ, ମହିମା ଓ ଚରଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ସହିତ ୧ ଲକ୍ଷ ୪୦ ହଜାର ଟଙ୍କା ଲେଖାଏ ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି। ଜରିମାନା ରାଶି ଯଦି ଆସାମୀମାନେ ପଇଠ କରନ୍ତି ତେବେ ତାହା ପୀଡ଼ିତାଙ୍କୁ କ୍ଷତିପୂରଣ ଭାବେ ପ୍ରଦାନ କରାଯିବ ବୋଲି ଅଦାଲତ କହିଛନ୍ତି। ଏଥି ସହିତ ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଅଦାଲତ ଉପଯୁକ୍ତ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୧୪ ବର୍ଷିୟା ପୀଡ଼ିତା କଟକର ଏକ ଜାଳେଣି କାଠ ଗୋଲାରେ ରହି କାମ କରୁଥିବା ବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ପୀଡ଼ିତାଙ୍କ ସହିତ ଏକାଧିକ ବ୍ୟକ୍ତି ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଜଣେ ଡ୍ରାଇଭରଙ୍କ ମୋବାଇଲ ଫୋନ ଦ୍ବାରା ପୀଡ଼ିତା ନିଜ ଭଉଣୀ ଓ ଭିଣୋଇଙ୍କୁ ଘଟଣା ସଂକ୍ରାନ୍ତରେ ଜଣାଇଥିଲେ। ଏହପାରେ ଭଉଣୀ ଓ ଭିଣୋଇ ଚୌଦ୍ବାର ପୁଲିସ ସହାୟତାରେ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ।
ପୀଡ଼ିତା ଚୌଦ୍ବାର ଥାନାରେ ଏତଲା ଦେବା ପରେ ପୁଲିସ ୨୦୨୪, ଅକ୍ଟୋବର ୪ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ଏସଆଇ ସରସ୍ବତୀ ସାହୁଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ରାମ, ମହିମା ଓ ଚରଣଙ୍କୁ ପୁଲିସ ୨୦୨୪, ଅକ୍ଟୋବର ୫ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୨୪, ଡିସେମ୍ବର ୫ରେ ପୁଲିସ ତଦନ୍ତ କରି ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ମିହିର ଶେଖର ସାହୁ ମାମଲା ପରିଚାଳନା କରୁଥିଲେ।
ସୌଜନ୍ୟ ସମ୍ବାଦ




