Black magic: ତନ୍ତ୍ରବିଦ୍ୟା ପାଇଁ ମଶାଣିରେ ବୀଭତ୍ସ କାଣ୍ଡ! ସମାଧି ଖୋଳି ଶବ ମୁଣ୍ଡ କାଟିନେଲେ
ତନ୍ତ୍ରବିଦ୍ୟା ପାଇଁ ମଶାଣିରେ ବୀଭତ୍ସ କାଣ୍ଡ। ମୃତ୍ୟୁର ୪୨ ଦିନ ପରେ ସମାଧି ଖୋଳି ମୃତ ଯୁବତୀଙ୍କ ମୁଣ୍ଡ କାଟି ନେଇଥିବା ଅଭିଯୋଗ ହୋଇଛି। ମଶାଣିରେ ଦୁଇଟି କୁକୁଡ଼ା ବଳି ଦେବା ସହ ତନ୍ତ୍ରପୂଜା କରାଯାଇଥିବା...

ତେନ୍ତୁଳିଖୁଣ୍ଟି: ତନ୍ତ୍ରବିଦ୍ୟା ପାଇଁ ମଶାଣିରେ ବୀଭତ୍ସ କାଣ୍ଡ। ମୃତ୍ୟୁର ୪୨ ଦିନ ପରେ ସମାଧି ଖୋଳି ମୃତ ଯୁବତୀଙ୍କ ମୁଣ୍ଡ କାଟି ନେଇଥିବା ଅଭିଯୋଗ ହୋଇଛି। ମଶାଣିରେ ଦୁଇଟି କୁକୁଡ଼ା ବଳି ଦେବା ସହ ତନ୍ତ୍ରପୂଜା କରାଯାଇଥିବା ଚିହ୍ନ ମିଳିଛି। ଏହି ଅମାନବୀୟ ଘଟଣାକୁ ନେଇ ନବରଙ୍ଗପୁରଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ନରସିଂହଗୁଡ଼ା ଗାଁରେ ଆତଙ୍କ ଖେଳିଯାଇଛି।
ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନରସିଂହଗୁଡ଼ା ଗ୍ରାମର ୨୭ ବର୍ଷୀୟା ଅବିବାହିତ ଯୁବତୀଙ୍କର ଗତ ସେପ୍ଟେମ୍ବର ମାସ ୨୬ ତାରିଖରେ ମୃତ୍ୟୁ ହୋଇଥିଲା। ସେ ହାଡ଼ଫୁଟି ରୋଗରେ ପୀଡ଼ିତ ଥିବାରୁ ତାଙ୍କ ଦେହରେ ଭଗବାନ ଆସିଥିବା ବିଶ୍ୱାସ କରି ପରିବାର ଲୋକ ମୃତଦେହକୁ ଦାହ ନକରି ଗାଁ ମଶାଣିରେ ପୋତି ଦେଇଥିଲେ। ସ୍ଥାନୀୟ ବିଶ୍ୱାସ ଅନୁଯାୟୀ, ମୃତଦେହ ପୋତିବାର ପ୍ରଥମ ୨୧ ଦିନ ତାନ୍ତ୍ରିକମାନେ କିଛି କରିପାରନ୍ତି ବୋଲି ଆଶଙ୍କା କରି ପରିବାର ଲୋକ ମଶାଣିକୁ ଜଗି ରହିଥିଲେ। ୨୧ ଦିନ ପରେ ଜଗିବା ବନ୍ଦ କରିଦେଇଥିଲେ।
ସମାଧି ଖୋଳି ଶବ ମୁଣ୍ଡ କାଟିନେଲେ
କୁକୁଡ଼ା ବଳି ଦେବା ସହ କରିଛନ୍ତି ପୂଜାପାଠ
ନରସିଂହଗୁଡ଼ାରେ ଆତଙ୍କ, ନ୍ୟାୟ ଦାବି କଲେ ପରିବାର
ତେବେ ମୃତ୍ୟୁର ୪୨ ଦିନ ପରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସକାଳେ କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ ସମାଧି ଖୋଳା ହୋଇଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାରବର୍ଗ ଓ ଗ୍ରାମବାସୀ ପହଞ୍ଚି ସମାଧି ଭିତରେ ଦୁଇଟି କୁକୁଡ଼ା ବଳି ଦିଆଯାଇଥିବା ଦେଖିଥିଲେ। ଏଥିସହ ଚାରିପଟେ ତନ୍ତ୍ରପୂଜାରେ ବ୍ୟବହୃତ ସାମଗ୍ରୀ ପଡ଼ିଥିବା ଦେଖିବାକୁ ପାଇଥିଲେ। ମୃତଦେହରୁ ମୁଣ୍ଡ କାଟି ନିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହା ପଛରେ ତନ୍ତ୍ରବିଦ୍ୟା କିମ୍ବା କୌଣସି ଗୁପ୍ତ ପୂଜାପାଠର ଉଦ୍ଦେଶ୍ୟ ଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଏହି ଘଟଣା ପରେ ପରିବାର ଲୋକେ ମୃତଦେହକୁ ପୁଣି ପୋତି ନ୍ୟାୟ ଦାବି କରିଛନ୍ତି। ନବରଙ୍ଗପୁର ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତରା କହିଛନ୍ତି, ଏପର୍ଯ୍ୟନ୍ତ ପରିବାର ପକ୍ଷରୁ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ହେଲେ ପୋତାଯାଇଥିବା ଶବ ବାହାର କରି ତଦନ୍ତ କରାଯିବ।
ସୌଜନ୍ୟ ସମ୍ବାଦ




