Death: କାର ସୋରୁମର ମାଲିକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା
ନୀଳଗିରି ବ୍ଲକ ବରହମପୁର ଥାନା ତିନିକୋଶିଆ ଜଙ୍ଗଲ ଦେବଯାନୀ ଛକ ନିକଟରେ ଜଙ୍ଗଲ ଭିତରେ ଥିବା ଏକ ଶାଳ ଗଛ ଡାଳରେ ବେକରେ ଜନୈକ ଯୁବକ ଗାମୁଛା ଲଗାଇ ଝୁଲୁଥିବା ଆଜି ସକାଳେ ଦେଖିବାକୁ ମିଳିଛି।

ନୀଳଗିରି: ନୀଳଗିରି ବ୍ଲକ ବରହମପୁର ଥାନା ତିନିକୋଶିଆ ଜଙ୍ଗଲ ଦେବଯାନୀ ଛକ ନିକଟରେ ଜଙ୍ଗଲ ଭିତରେ ଥିବା ଏକ ଶାଳ ଗଛ ଡାଳରେ ବେକରେ ଜନୈକ ଯୁବକ ଗାମୁଛା ଲଗାଇ ଝୁଲୁଥିବା ଆଜି ସକାଳେ ଦେଖିବାକୁ ମିଳିଛି। ଯୁବକ ଜଣକ ହେଲେ ନୀଳଗିରି ଥାନା କେପିଲାଖରାଜ ପଞ୍ଚାୟତ କଅଁରପୁର ମାହାଲ ଗ୍ରାମର ଭରତ ଜେନାଙ୍କ ପୁତ୍ର ଶୁଭମ ଜ୍ୟୋତି ଜେନା (୨୮)। ତେବେ ତାଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି। ଏହା ଏକ ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ବାପା କହିଛନ୍ତି।
ସୂଚନାଯୋଗ୍ୟ, ଶୁଭମ ଗତକାଲି ଅପରାହ୍ନ ୪ ଘଟିକା ସମୟରେ ଘରୁ ଆସିବା ବେଳେ କପ୍ତିପଦାକୁ ଯାଉଛି, ରାତିରେ ଫେରିବି ବୋଲି ମା କୁ କହି ଆସିଥିଲେ। ରାତି ୭,୩୦ ପରେ ପରିବାର ଲୋକ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ମୋବାଇଲ ଆଉ ଲାଗିନଥିଲା। ତେବେ ଏନେଇ ବାପା ଭରତ ପୁଅର ନିଖୋଜ ନେଇ ଗତକାଲି ନୀଳଗିରି ଥାନାରେ ଲିଖିତ ଏତଲା ଦେଇଥିଲେ। ଆଜି ସକାଳେ ବାପା ଖୋଜାଖୋଜି କରି ତିନିକୋଶିଆ ରାସ୍ତାରେ ଯାଉଥିବା ବେଳେ ପୁଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।
ତାଙ୍କ ପୁଅ ସହିତ ଦୁଇ ତିନି ଜଣ ଲୋକ ଥିଲେ
ଖବର ପାଇ ବରହମପୁର ଥାନା ଅଧିକାରୀ ଜନ ପଟ୍ଟନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶୁଭମର ମୃତଦେହକୁ ଉଦ୍ଧାର କରିବା ସହିତ ଓଡିଠ୧ଏଏ ୮୭୩୪ ନମ୍ବର ବିଶିଷ୍ଟ ଏକ କଳା ରଙ୍ଗର ପଲସର ବାଇକ ଜବତ କରିଛି। ପରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ନୀଳଗିରି ମେଡିକାଲକୁ ପଠାଇ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ପୁଲିସ ସୂଚନା ଦେଇଛି। ବାପାଙ୍କ କହିବା ଅନୁସାରେ ଗତକାଲି ମୃତ୍ୟୁ ସ୍ଥାନରେ ତାଙ୍କ ପୁଅ ସହିତ ଦୁଇ ତିନି ଜଣ ଲୋକ ଥିଲେ ବୋଲି ସେ ଖବର ପାଇଥିଲେ । ତେଣୁ ମୋ ପୁଅକୁ ଯୋଜନାବଦ୍ଧ ଭାବେ ମାରିଦିଆଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପାଖରେ ଦାବି କରିଛନ୍ତି ।ବାଲେଶ୍ୱର କୁରୁଡ଼ା ବ୍ରିଜ ନିକଟରେ ଥିବା କାର ସୋରୁମ ର ମାଲିକ ଥିଲେ ଶୁଭମ।
ସୌଜନ୍ୟ ସମ୍ବାଦ




