ବିଶେଷ

Bottomless Ocean: କିମାଶ୍ଚର୍ଯ୍ୟମ୍‌: ଅଥଳ ସମୁଦ୍ରରେ ପଥହୁଡ଼ା ଯାତ୍ରୀ

ଅଥଳ ସମୁଦ୍ରର ଅକାତ କାତ ଜଳରାଶି ମଧ୍ୟରେ ଯେତେବେଳେ ଜଣେ ମଣିଷ ବାଟ ଭୁଲିଯାଏ, ସେତେବେଳେ ବଞ୍ଚିବାର ଆଶା ପ୍ରାୟ ଶେଷ ହୋଇଯାଏ। ତେବେ ଇତିହାସରେ ଏପରି କେତେକ ଆଶ୍ଚର୍ଯ୍ୟଜନକ ଘଟଣା...

ଅଥଳ ସମୁଦ୍ରର ଅକାତ କାତ ଜଳରାଶି ମଧ୍ୟରେ ଯେତେବେଳେ ଜଣେ ମଣିଷ ବାଟ ଭୁଲିଯାଏ, ସେତେବେଳେ ବଞ୍ଚିବାର ଆଶା ପ୍ରାୟ ଶେଷ ହୋଇଯାଏ। ତେବେ ଇତିହାସରେ ଏପରି କେତେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଯାହା ମଣିଷର ଦୃଢ଼ ଇଚ୍ଛାଶକ୍ତି ଓ ସଂଘର୍ଷର ନିଆରା ଉଦାହରଣ ପାଲଟିଛି।

ନିକଟରେ ଏହିଭଳି ଏକ ଅବିଶ୍ୱସନୀୟ ଘଟଣା ଘଟିଛି। ପ୍ରଶାନ୍ତ ମହାସାଗରରେ ପ୍ରାୟ ୩ ମାସ କାଳ ଭାସି ବୁଲିବା ପରେ ୨ ଶିଶୁଙ୍କ ସମେତ ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ନଭେମ୍ବର ପହିଲାରେ କିରିବାଟିର ଫ୍ୟାନିଂ ଦ୍ୱୀପରୁ ସ୍ଥାନୀୟ ଲୋକେ ଏମାନଙ୍କୁ ଉଦ୍ଧାର କରିଥିଲେ। ସେତେବେଳେ ସେମାନେ ମାଇକ୍ରୋନେସିଆର ଫେଡେରେଟେଡ୍‌ ଷ୍ଟେଟ୍‌ସରୁ ପ୍ରାୟ ୫୪୦୦ କିଲୋମିଟର୍‌ ପୂର୍ବ ଦିଗରେ ଏକ ୨୦ ଫୁଟିଆ ଛୋଟ ଡଙ୍ଗାରେ ଭାସୁଥିଲେ। ରିପୋର୍ଟ ମୁତାବକ, ଏହି ଦଳ ମୁରିଲୋ ଓ ରୁଓ ଦ୍ୱୀପପୁଞ୍ଜ ମଧ୍ୟରେ ଜଳପଥ ପାରି ହେବାକୁ ଚେଷ୍ଟା କଲାବେଳେ ଏକ ଝଡ଼ ସେମାନଙ୍କୁ ସମୁଦ୍ରରେ ଭସାଇ ନେଇଥିଲା। ଏବେ ୯ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୪ ଜଣ ଏଯାଏଁ ନିଖୋଜ ଅଛନ୍ତି।

ସେହିଭଳି ଜାନୁଆରି ୨୦୧୪ରେ ପ୍ରଶାନ୍ତ ମହାସାଗରରେ ବର୍ଷେରୁ ଅଧିକ କାଳ ଭାସି ବୁଲୁଥିବା ଜୋସ୍‌ ସାଲ୍‌ଭାଦୋର୍‌ ଆଲ୍‌ଭାରେଙ୍ଗାଙ୍କୁ ମାର୍ସଲ୍‌ ଦ୍ୱୀପପୁଞ୍ଜରୁ ଉଦ୍ଧାର କରାଯାଇଥିଲା। ବିବିସିର ରିପୋର୍ଟ ଅନୁଯାୟୀ, ଆଲ୍‌ଭାରେଙ୍ଗା ପ୍ରାୟ ୧୩ ମାସ ସମୁଦ୍ରରେ ବିତାଇ ୮୦୦୦ କିଲୋମିଟର୍‌ ସାମୁଦ୍ରିକ ପଥ ଅତିକ୍ରମ କରିଥିଲେ। ଡିସେମ୍ବର ୨୦୧୨ରେ ଏକ ଝଡ଼ ତାଙ୍କୁ ବାଟବଣା କରିଦେଇଥିଲା। ସେ ଖାଦ୍ୟାଭାବରୁ ପରିସ୍ରା, ବର୍ଷାପାଣି ଓ ପକ୍ଷୀଙ୍କ ରକ୍ତ ପିଇ ବଞ୍ଚିଥିଲେ। ତାଙ୍କ ସାଥୀ ମତ୍ସ୍ୟଜୀବୀ ଏଜେକ୍ୱିଏଲ୍‌ କର୍ଡୋବା ସମୁଦ୍ରରେ ପ୍ରାଣ ହରାଇଥିଲେ। ୯ ଅଗଷ୍ଟ ୨୦୦୬ରେ ତିନି ଜଣ ମେକ୍ସିକାନ୍‌ ମତ୍ସ୍ୟଜୀବୀ ଏଡୁଆର୍ଡୋ ଭିଡାନା, ଲୁସିଓ ରେଣ୍ଡନ୍‌ ଓ ସାଲଭାଦର୍‌ ଅର୍ଡୋନେଜ୍‌ ସେହି ପ୍ରଶାନ୍ତ ମହାସାଗରରେ ଭାସିଯିବାର ପ୍ରାୟ ୯ ମାସ ପରେ ଉଦ୍ଧାର ହୋଇଥିଲେ। ସେମାନେ ମଧ୍ୟ କଞ୍ଚା ମାଛ ଓ ପକ୍ଷୀ ଖାଇ ତଥା ବର୍ଷାପାଣି ପିଇ ବଞ୍ଚି ରହିଥିଲେ। ୨୦୦୧ରେ ସାମୋଆର ଲାପାହେଲେ ସୋପି ଓ ଟେଲିଆ ପା’ ୪ ମାସ ସମୁଦ୍ରରେ ଭାସି ରହିବା ପରେ ଏମାନଙ୍କୁ ପାପୁଆ ନ୍ୟୁ ଗିନିରୁ ଉଦ୍ଧାର କରାଯାଇଥିଲା।

୧୯୭୩େର ଗ୍ବାଟେମାଲା ଉପକୂଳରେ ଜାହାଜକୁ ଏକ ତିମି ଧକ୍କା ଦେବା ଫଳରେ ବ୍ରିଟିସ୍‌ ଦମ୍ପତି ମରିସ୍‌ ଓ ମେରିଲିନ୍‌ ବେଲି ଜାହାଜରୁ ଖସିପଡ଼ି ପ୍ରଶାନ୍ତ ମହାସାଗରରେ ୧୧୭ ଦିନ ଭାସି ବଞ୍ଚି ଯାଇଥିଲେ। ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ ଅନୁଯାୟୀ, ଜାପାନୀ କ୍ୟାପ୍‌ଟେନ୍‌ ଓଗୁରି ଜୁକିଚି ଓ ତାଙ୍କର ଜଣେ ନାବିକ ୧୮୧୩ରୁ ୧୮୧୫ ମଧ୍ୟରେ ପ୍ରାୟ ୪୮୪ ଦିନ ସମୁଦ୍ରରେ ଭାସି ବଞ୍ଚିଥିଲେ। ଏହିଭଳି ଦୁଃସାହସିକ ପଥହୁଡ଼ାଙ୍କ କାହାଣୀ ‘ଟୁ କମ୍‌ ବ୍ୟାକ୍‌’ ଓ ‘ଲାଇଫ୍‌ ଅଫ୍ ପାଇ’ ଭଳି ଚଳଚ୍ଚିତ୍ର ସମେତ ବେଷ୍ଟ୍‌ସେଲର୍‌ ପୁସ୍ତକ ‘ଆଡ୍ରିଫ‌୍ଟ: ୭୬ ଡେଜ୍ ଲଷ୍ଟ୍‌ ଆଟ୍‌ ସି’କୁ ପ୍ରେରିତ କରିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button