ବିଶେଷ

Internship: ୬୪ ବର୍ଷ ବୟସରେ ଇଣ୍ଟର୍ନସିପ୍‌!

ଅବସର ନେବା ପରେ ଅନେକ ଲୋକ ଆରାମରେ ଜୀବନ କାଟିବାକୁ ଚାହାନ୍ତି। କିନ୍ତୁ ମୁମ୍ବାଇର ୬୪ ବର୍ଷୀୟ ଓଟିସ୍ ଡି’ସୁଜାଙ୍କ କାହାଣୀ ଟିକେ ଅଲଗା। କୋଟି କୋଟି ଟଙ୍କାର ମାଲିକ ହୋଇ ମଧ୍ୟ...

ଅବସର ନେବା ପରେ ଅନେକ ଲୋକ ଆରାମରେ ଜୀବନ କାଟିବାକୁ ଚାହାନ୍ତି। କିନ୍ତୁ ମୁମ୍ବାଇର ୬୪ ବର୍ଷୀୟ ଓଟିସ୍ ଡି’ସୁଜାଙ୍କ କାହାଣୀ ଟିକେ ଅଲଗା। କୋଟି କୋଟି ଟଙ୍କାର ମାଲିକ ହୋଇ ମଧ୍ୟ ସେ ଏବେ ଏକ ଷ୍ଟାର୍ଟଅପ୍‌ରେ ବିନା ଦରମାରେ ଇଣ୍ଟର୍ନ ଭାବେ କାମ କରୁଛନ୍ତି।

ଓଟିସ୍ ୧୯୯୯ ମସିହାରେ ନିଜ ଘରୁ ଫାଉଣ୍ଟେନ୍‌ହେଡ୍‌ ନାମରେ ଏକ କମ୍ପାନି ଆରମ୍ଭ କରିଥିଲେ। ପରେ ୨୦୧୫ରେ ଏହାକୁ ‘ଡେନ୍‌ସୁ’ କମ୍ପାନିକୁ ବିକ୍ରି କରି ପ୍ରାୟ ୨୫ କୋଟି ଟଙ୍କା ପାଇଥିଲେ। କିନ୍ତୁ ଅବସର ପରେ ତାଙ୍କୁ ଟଙ୍କାର ଅଭାବ ନଥିଲେ ମଧ୍ୟ ଜୀବନରେ କିଛି ଅଭାବ ଅନୁଭବ ହେଲା। ତାହା ହେଉଛି କାମ କରିବା ଏବଂ ଲୋକଙ୍କ ସହ ମିଶିବାର ଖୁସି।

ଏହି ସମୟରେ ତାଙ୍କର ୨୬ ବର୍ଷୀୟ ଜୋସୁଆ ସାଲିନ୍‌ସଙ୍କ ସହ ପରିଚୟ ହେଲା। ଜୋସୁଆ ମୁମ୍ବାଇର ହବି ଟ୍ରାଇବ୍‌ ନାମକ ଏକ ଷ୍ଟାର୍ଟଅପ୍ ଚଳାଉଛନ୍ତି। ସେ ଓଟିସ୍‌ଙ୍କୁ ନିଜ ଅଫିସ୍‌କୁ ଆସିବାକୁ ନିମନ୍ତ୍ରଣ ଦେଇଥିଲେ। ଏବେ ଓଟିସ୍ ଅଫିସ୍‌କୁ ଯାଇ ଯୁବ କର୍ମଚାରୀଙ୍କ ସହ କଥା ହୁଅନ୍ତି, ସେମାନଙ୍କ ସମସ୍ୟା ଶୁଣନ୍ତି ଏବଂ ବ୍ୟବସାୟ ଓ ଜୀବନ ସମ୍ପର୍କରେ ନିଜ ଅନୁଭବ ବାଣ୍ଟନ୍ତି। କେବେ କେବେ ସମସ୍ତଙ୍କ ପାଇଁ କଫି ମଧ୍ୟ ତିଆରି କରନ୍ତି। ଓଟିସ୍‌ଙ୍କ କହିବା କଥା, “ମୁଁ ଯଥେଷ୍ଟ ଟଙ୍କା ରୋଜଗାର କରିସାରିଛି। ଏଠାକୁ ଟଙ୍କା ପାଇଁ ନୁହେଁ, ବରଂ ଯୁବପିଢ଼ିଙ୍କ ସହ ମିଶିବା ଏବଂ ନିଜ ଅନୁଭବ ବାଣ୍ଟିବା ପାଇଁ ଆସୁଛି।” ତାଙ୍କ କାହାଣୀ ଆମକୁ ଶିଖାଏ ଯେ ବୟସ ବଢ଼ିଲେ ବି ମଣିଷର ଶିଖିବା ଓ  ଅନ୍ୟକୁ ଶିଖାଇବାର ଇଚ୍ଛା କମିଯିବା ଉଚିତ ନୁହେଁ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button