Judgement: ଦିଲ୍ଲୀ-ଏନ୍ସିଆର୍ରେ ଗାଡ଼ି-ପ୍ରଦୂଷଣ ନେଇ ସୁପ୍ରିମ୍କୋର୍ଟଙ୍କ କଡ଼ା ଆଭିମୁଖ୍ୟ
ଦିଲ୍ଲୀରେ ବାୟୁର ମାନ ଦିନକୁ ଦିନ ଅତି ଖରାପ ହେଉଥିବାରୁ ସୁପ୍ରିମ୍କୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ବିଶେଷକରି ଯାନବାହନରୁ ନିର୍ଗତ ଧୂଆଁ ଯୋଗୁଁ ବଢ଼ୁଥିବା ପ୍ରଦୂଷଣ ରୋକିବାକୁ ତୁରନ୍ତ ପ୍ରଭାବୀ ପଦକ୍ଷେପ ନେବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁର ମାନ ଦିନକୁ ଦିନ ଅତି ଖରାପ ହେଉଥିବାରୁ ସୁପ୍ରିମ୍କୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ବିଶେଷକରି ଯାନବାହନରୁ ନିର୍ଗତ ଧୂଆଁ ଯୋଗୁଁ ବଢ଼ୁଥିବା ପ୍ରଦୂଷଣ ରୋକିବାକୁ ତୁରନ୍ତ ପ୍ରଭାବୀ ପଦକ୍ଷେପ ନେବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ଏଥିସହ ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତରପ୍ରଦେଶ ସରକାରଙ୍କୁ ଯାନବାହନ ପ୍ରଦୂଷଣ ରୋକିବା ପାଇଁ ବିସ୍ତୃତ କାର୍ଯ୍ୟଯୋଜନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀ ସରକାର, ଦିଲ୍ଲୀ ନଗର ନିଗମ (ଏମ୍ସିଡି), ଦିଲ୍ଲୀ ପୁଲିସର ଟ୍ରାଫିକ୍ ବିଭାଗ ଏବଂ ତିନି ପଡ଼ୋଶୀ ରାଜ୍ୟର ସରକାରଙ୍କଠାରୁ ଏ ସମ୍ପର୍କିତ ସବିଶେଷ ତଥ୍ୟ ମାଗିଛନ୍ତି।
ଦିଲ୍ଲୀ ଓ ଏନ୍ସିଆର୍ରେ ଚଳାଚଳ କରୁଥିବା ବାଣିଜ୍ୟିକ ଓ ଅଣବାଣିଜ୍ୟିକ ଯାନ ନିୟନ୍ତ୍ରଣ ପାଇଁ କି ପ୍ରକାର ବ୍ୟବସ୍ଥା ରହିଛି, ତାହା ଜାଣିବାକୁ କୋର୍ଟ ଚାହିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି) ଯାଞ୍ଚ, ନିର୍ଦ୍ଧାରିତ ନିର୍ଗମନ ମାନଦଣ୍ଡର ପାଳନ ଏବଂ ନିୟମ ଉଲ୍ଲଂଘନକାରୀ ଗାଡ଼ି ବିରୋଧରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ବିଶେଷକରି ନିର୍ଦ୍ଧାରିତ ବୟସସୀମା ଅତିକ୍ରମ କରିଥିବା, ବ୍ୟବହାର ଅନୁପଯୋଗୀ ହୋଇପଡ଼ିଥିବା ଏବଂ ପ୍ରଦୂଷଣ ନିୟମ ପାଳନ କରୁନଥିବା ଗାଡ଼ିଗୁଡ଼ିକୁ ରାସ୍ତାକୁ ଓହ୍ଲାଇବାରୁ ରୋକିବା ପାଇଁ ଥିବା ବ୍ୟବସ୍ଥାର ବିବରଣୀ ମଧ୍ୟ ମାଗିଛନ୍ତି। ସେହିପରି କେତେ ଗାଡ଼ି ଯାଞ୍ଚ ହୋଇଛି, କେତେ ଗାଡ଼ିର ଚାଲାଣ କଟାଯାଇଛି, କେତେ ଗାଡ଼ିକୁ ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିନାହିଁ ଏବଂ ନିୟମ ଉଲ୍ଲଂଘନ ପାଇଁ କେତେ ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି, ସେ ସମ୍ପର୍କରେ ମଧ୍ୟ ହିସାବ ମାଗିଛନ୍ତି।
କମିସନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍) ପକ୍ଷରୁ ଚଳିତ ବର୍ଷ ଆରମ୍ଭରେ କୋର୍ଟରେ ଦାଖଲ ରିପୋର୍ଟ ଅନୁସାରେ, ଦିଲ୍ଲୀ-ଏନ୍ସିଆର୍ରେ ବାୟୁ ପ୍ରଦୂଷଣର ସବୁଠାରୁ ବଡ଼ ଉତ୍ସ ହେଉଛି ଯାନବାହନରୁ ନିର୍ଗତ ଧୂଆଁ। ଶୀତଦିନେ ମୋଟ ପ୍ରଦୂଷଣର ୨୩ ପ୍ରତିଶତ ଏବଂ ଗ୍ରୀଷ୍ମଦିନେ ୧୯ ପ୍ରତିଶତ ପ୍ରଦୂଷଣ ପାଇଁ ଯାନବାହନ ଦାୟୀ ବୋଲି ଏଥିରେ ଉଲ୍ଲେଖ ରହିଛି। ଏହି ତଥ୍ୟକୁ ଆଧାର କରି ଯାନବାହନ ପ୍ରଦୂଷଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।
ସୌଜନ୍ୟ ସମ୍ବାଦ




