
ଭୁବନେଶ୍ୱର: ରାଜ୍ୟରେ ଜଳ ସଂରକ୍ଷଣ ଓ ଜଳ ସୁରକ୍ଷା ନିମନ୍ତେ ଜଳ ସମ୍ପଦ ବିଭାଗ ପକ୍ଷରୁ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍ (ISS) ଯୋଜନାର ସମ୍ପ୍ରତି ଆଇଏସ୍ଏସ୍ ୨.୦ ଚାଲୁଛି। ଏହି ଯୋଜନାରେ ୪ଟି ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୋଟ ୮୯ଟି ପ୍ରକଳ୍ପ ହାତକୁ ନିଆଯାଇଅଛି। ଏହା ମଧ୍ୟରୁ ବର୍ତ୍ତମାନ ୧୩ଟି ଜିଲ୍ଲାରେ ୨୨ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି ବୋଲି ଆଜି (ସୋମବାର) ଜଳସମ୍ପଦ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକର ତଥ୍ୟରୁ ଜଣାଯାଇଛି।
ବୈଠକରୁ ମିଳିଥିବା ସୂଚନାନୁସାରେ, ୧୦ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ପ୍ରାୟ ୧.୧୦ କୋଟି ଘନମିଟର ଜଳ ସଂରକ୍ଷଣ କ୍ଷମତା ସୃଷ୍ଟି ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୧୨୨ରୁ ଅଧିକ ଗ୍ରାମର ପ୍ରାୟ ୧.୮୨ ଲକ୍ଷ ଲୋକ ଉପକୃତ ହେବେ। କଳାହାଣ୍ଡିର ଜୁଲ୍କୋ, ବଲାଙ୍ଗୀରର ଛତାମଖନା, ଗଞ୍ଜାମର ଜକମାରପଲ୍ଲୀ, ଢୋଲପିଟା ଓ ଧନେଇ, ବରଗଡ଼ର ମହୁଲପାଲି, ଯାଜପୁରର ସପ୍ତମାତୃକା ଏବଂ ସମ୍ବଲପୁରର ଗୋଚରା, କିରାସାସନ ଓ ବୁଢ଼ାରଜାଠାରେ ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହୋଇଛି।
ବର୍ତ୍ତମାନ ୧୩ଟି ଜିଲ୍ଲାରେ ୨୨ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି। ସୁନ୍ଦରଗଡ଼ରେ ୫ଟି ଓ ଖୋର୍ଦ୍ଧାରେ ୩ଟି ପ୍ରକଳ୍ପ ନିର୍ମାଣାଧୀନ ଥିବାବେଳେ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ କାର୍ଯ୍ୟ ଅଗ୍ରଗତି କରୁଛି। ଏହାବ୍ୟତୀତ ଆଉ ୩୫ଟି ପ୍ରକଳ୍ପ ପାଇପ୍ଲାଇନ୍ରେ ରହିଛି। ସେଥିମଧ୍ୟରୁ ୧୨ଟି ପ୍ରକଳ୍ପର କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି।
ଏହି ଜଳ ସଂରକ୍ଷଣ ପ୍ରକଳ୍ପଗୁଡ଼ିକ ଦ୍ୱାରା ବର୍ଷା ଋତୁରେ ନଦୀରେ ପ୍ରବାହିତ ଜଳକୁ ସଂରକ୍ଷଣ କରି ଅଣମୌସୁମୀ ସମୟରେ ଉପଯୋଗ କରାଯାଇପାରିବ। ଏହାଦ୍ୱାରା କୃଷି ପାଇଁ ଜଳସେଚନ, ଭୂତଳ ଜଳସ୍ତର ବୃଦ୍ଧି, ପାନୀୟ ଜଳ ଉପଲବ୍ଧତା, ମତ୍ସ୍ୟଚାଷ ଓ ଗ୍ରାମୀଣ ଜୀବିକା ସୁଦୃଢ଼ ହେବ। ଜଳବାୟୁ ପରିବର୍ତ୍ତନ ଓ ଅନିୟମିତ ବର୍ଷା ଜନିତ ଜଳ ସଙ୍କଟର ମୁକାବିଲାରେ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ବିଭାଗ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି।
ସୌଜନ୍ୟ ସମ୍ବାଦ




