Bomb Threat: ଆମେରିକା ବିମାନ ଅପହରଣ ଉଦ୍ୟମ: ପାଖରେ ବୋମା ଥିବା ଧମକ ଦେଇ କକପିଟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ହଣ୍ଡୁରାସର ନାଗରିକ
ଆମେରିକାର ଆକାଶରେ ଏକ ବଡ଼ ବିମାନ ଦୁର୍ଘଟଣା ଏଡାଇ ଦିଆଯାଇଛି। ୟୁନାଇଟେଡ୍ ଏୟାରଲାଇନ୍ସର ୟୁଏ ୨୧୭୪ ବୋଇଂ ୭୩୭ ମ୍ୟାକ୍ସ ୯ ବିମାନଟି ନ୍ୟୁଆର୍କ ଲିବର୍ଟି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲୁଇସ୍ ଆର୍ମଷ୍ଟ୍ରଙ୍ଗ ନ୍ୟୁ ଅର୍ଲିନ୍ସ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାତ୍ରା କରୁଥିବା ସମୟରେ...

ୱାସିଂଟନ: ଆମେରିକାର ଆକାଶରେ ଏକ ବଡ଼ ବିମାନ ଦୁର୍ଘଟଣା ଏଡାଇ ଦିଆଯାଇଛି। ୟୁନାଇଟେଡ୍ ଏୟାରଲାଇନ୍ସର ୟୁଏ ୨୧୭୪ ବୋଇଂ ୭୩୭ ମ୍ୟାକ୍ସ ୯ ବିମାନଟି ନ୍ୟୁଆର୍କ ଲିବର୍ଟି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲୁଇସ୍ ଆର୍ମଷ୍ଟ୍ରଙ୍ଗ ନ୍ୟୁ ଅର୍ଲିନ୍ସ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାତ୍ରା କରୁଥିବା ସମୟରେ ବିମାନର ଜଣେ ଯାତ୍ରୀ ହଠାତ୍ କକପିଟରେ ଜୋରଜବରଦସ୍ତି ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସେ ଧମକ ଦେଇ କହିଥିଲେ ମୋ ପାଖରେ ବୋମା ଅଛି। ଯାହା ଫଳରେ ବିମାନରେ ହାଇଜ୍ୟାକ୍ ଆଲର୍ଟ ଜାରି କରାଯାଇଥିଲା।
ବିମାନ କର୍ମଚାରୀ ଏବଂ ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୩୪ ବର୍ଷୀୟ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କାବୁ କରାଯାଇଥିଲା। ଏହା ପରେ, ରାତି ପ୍ରାୟ ୧୧ ଟା ୧୫ରେ ବିମାନଟି ନ୍ୟୁ ଅର୍ଲିନ୍ସ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ଅଭିଯୁକ୍ତଙ୍କୁ ସୁରକ୍ଷା ଏଜେନ୍ସି ହେପାଜତକୁ ନେଇଥିଲା। ବିମାନରେ ୪୬ ଜଣ ଯାତ୍ରୀ ଏବଂ ଛଅ ଜଣ କ୍ରୁ ସଦସ୍ୟ ଥିଲେ। ଗୃହ ସୁରକ୍ଷା ବିଭାଗ ଅନୁଯାୟୀ, ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ରୋନି ଆଲେକଜାଣ୍ଡାର ଗୋମେଜ୍-ଆଲବର୍ଟୋ ଭାବରେ ଚିହ୍ନଟ କରାଯାଇଛି। ସେ ହଣ୍ଡୁରାସର ନାଗରିକ। ତାଙ୍କୁ ପୂର୍ବରୁ ଦୁଇଥର ଆମେରିକାରୁ ନିର୍ବାସିତ କରାଯାଇଥିଲା। ସେ ବେଆଇନ ଭାବରେ ଦେଶରେ ପ୍ରବେଶ କରିବା ପରେ ତିନୋଟି ପୃଥକ ସମୟରେ ଆମେରିକୀୟ ସୀମା ପାଟ୍ରୋଲ ଦ୍ୱାରା ଗିରଫ କରାଯାଇଥିଲା।
ନ୍ୟୁ ମେକ୍ସିକୋର କଲମ୍ବସ୍ ନିକଟରେ ଗିରଫ
ବିଭାଗ ଅନୁଯାୟୀ, ତାଙ୍କୁ ପ୍ରଥମେ ସେପ୍ଟେମ୍ବର ୨୦୧୧ ରେ ଟେକ୍ସାସର ଏଲ୍ ଇଣ୍ଡିଓ ନିକଟରେ ଗିରଫ କରାଯାଇଥିଲା ଏବଂ ହଣ୍ଡୁରାସ୍ ପଠାଇ ଦିଆଯାଇଥିଲା। ଅକ୍ଟୋବର ୨୦୧୪ରେ ତାଙ୍କୁ ପୁଣି ଥରେ ନ୍ୟୁ ମେକ୍ସିକୋର କଲମ୍ବସ୍ ନିକଟରେ ଗିରଫ କରାଯାଇଥିଲା ଏବଂ ଦ୍ୱିତୀୟ ଥର ପାଇଁ ପଠାଇ ଦିଆଯାଇଥିଲା।
୨୦୧୯ ମସିହାରେ, କାଲିଫର୍ନିଆର ସାନ ୟିସିଡ୍ରୋ ନିକଟରେ ଆଉ ଏକ ଅବୈଧ ପ୍ରବେଶ ପରେ ତାଙ୍କୁ ଗିରଫ କରାଯାଇଥିଲା। ସେ ଜାନୁଆରି ୨୦୨୦ ପର୍ଯ୍ୟନ୍ତ ହାଜତରେ ରହିଥିଲେ। ଜଣେ ପ୍ରବାସୀ ବିଚାରପତି ତାଙ୍କୁ ବହିଷ୍କାର ପ୍ରକ୍ରିୟା ପର୍ଯ୍ୟନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୟୁନାଇଟେଡ୍ ଏୟାରଲାଇନ୍ସ ଘଟଣା ପୂର୍ବରୁ ଗୋମେଜ୍-ଆଲବର୍ଟୋ ନ୍ୟୁୟର୍କରେ ରହୁଥିଲେ। ଜେଫରସନ ପାରିସ୍ ସେରିଫ୍ଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଯାତ୍ରୀ ଜଣକ ଉଡ଼ାଣ ଶେଷ ହେବା ବେଳକୁ ଅଯୌକ୍ତିକ ବ୍ୟବହାର କରିବା ଆରମ୍ଭ କରିଥିଲେ ଏବଂ କ୍ରୁ ସଦସ୍ୟମାନଙ୍କୁ କହିଥିଲେ ଯେ, ତାଙ୍କ ପାଖରେ ବୋମା ଅଛି।
ସୌଜନ୍ୟ ସମ୍ବାଦ




