Neglect: ନିର୍ମାଣ ଅବଧିକୁ ୭ ବର୍ଷ ବିତିଲା; ବିପଦ ସଂକୁଳ ଅବସ୍ଥାରେ ବ୍ରିଟିସ୍ ଅମଳର ପୋଲ
ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ-ରାଇରଙ୍ଗପୁର ମୁଖ୍ୟ ରାସ୍ତାର ସିମିଳିନାଳିଠାରେ ବିଜୁ ସେତୁ ଯୋଜନାରେ ପୂର୍ତ ବିଭାଗ ପକ୍ଷରୁ ପୋଲ ନିର୍ମାଣ ହେଉଛି। ଏହି କାର୍ଯ୍ୟ ଫେବ୍ରୁଆରି ୨୦୧୯ରୁ ଆରମ୍ଭ ହୋଇଥିଲା।

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ-ରାଇରଙ୍ଗପୁର ମୁଖ୍ୟ ରାସ୍ତାର ସିମିଳିନାଳିଠାରେ ବିଜୁ ସେତୁ ଯୋଜନାରେ ପୂର୍ତ ବିଭାଗ ପକ୍ଷରୁ ପୋଲ ନିର୍ମାଣ ହେଉଛି। ଏହି କାର୍ଯ୍ୟ ଫେବ୍ରୁଆରି ୨୦୧୯ରୁ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟ ଆରମ୍ଭ ହୋଇ ୭ ବର୍ଷରୁ ଅଧିକ ହେଲାଣି ଏବେ ବି ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଏହା ବ୍ୟତୀତ ନିର୍ମାଣ ହୋଇଥିବା ରାସ୍ତାର ଚିପ୍ସ ମଧ୍ୟ କିଛି କିଛି ସ୍ଥାନରେ ଉଠି ଯାଉଥିବା ଓ ରାସ୍ତାରେ ଫାଟ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି ତୋ କିଛି ସ୍ଥାନରେ ଛୋଟ ଛୋଟ ଗଛରେ ଜଙ୍ଗଲ ସୃଷ୍ଟି ହେଲାଣି।
ଉକ୍ତ କାର୍ଯ୍ୟଟି ବିଜୁ ସେତୁ ଯୋଜାନାରେ ପୋଲ ସହିତ ରାସ୍ତା ନିର୍ମାଣ କରାଯାଉଛି। ଏହାର ଅଟକଳ ମୂଲ୍ୟ ୨ କୋଟି ୧୧ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ କାର୍ଯ୍ୟ କରାଯାଉଛି। ଏବେ ୨୦୨୬ ମସିହା ନଭେମ୍ବର ମାସ ହେଲାଣି କିନ୍ତୁ ଅଧାରେ ପୋଡି ରହିଛି। ପୋଲ ସମେତ ରାସ୍ତା ମଧ୍ୟ ନିର୍ମାଣ ଚାଲିଛି ତାହା ବି ସମ୍ପୂର୍ଣ ହୋଇନାହିଁ। ଏହି ରାସ୍ତା ଦେଇ ଦୈନିକ ଲକ୍ଷାଧିକ ଜନସାଧାରଣ ଯିବା ଆସିବା କରିଥାନ୍ତି। ତା ସହିତ ଉକ୍ତ ରାସ୍ତା ପଡୋଶୀ ଝାଡଖଣ୍ଡ ରାଜ୍ୟ ସହିତ ସଂଯୋଗ କରୁଛି।
ପଡୋଶୀ ଝାଡଖଣ୍ଡର ଟାଟା ନଗର (ଜାମସେଦପୁର)କୁ ବ୍ୟବସାୟିକ କାର୍ଯ୍ୟ ପାଇଁ ଗମନାଗମନ କରିବା ପାଇଁ ସର୍ଟକର୍ଟ ରାସ୍ତା ରହିଛି। ତେବେ ଏ ସମ୍ବନ୍ଧରେ ପୂର୍ତ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା। ତେବେ ଉକ୍ତ ରାସ୍ତାରେ ବ୍ରିଟିଶ ଅମଳରୁ ନିର୍ମାଣ ହୋଇଥିବା ପୋଲ ଅବସ୍ଥା ଶୋଚନୀୟ ହୋଇପଡ଼ି ଥିବାରୁ କେତେବେଳେ ବି ଭୁଶୁଡିବାର ସମ୍ଭାବନା ରହିଛି। ତଥାପି ପଥଚାରୀମାନେ ବାଧ୍ୟ ହୋଇ ଉକ୍ତ ପୋଲ ଦେଇ ବିପଦ ସଂକୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି। ଏହା ବ୍ୟତୀତ ଉକ୍ତ ପୋଲ ଉପର ଦେଇ ପ୍ରତ୍ୟେକ ଦିନ ଶହଶହ ଭାରି ଯାନ ଗୁଡିକ ଯିବା ଆସିବା କରିଥାଏ। ଏଣୁ ଯଥାଶୀଘ୍ର ଉକ୍ତ ପୋଲ ଓ ରାସ୍ତା କାର୍ଯ୍ୟ ଶେଷ କରିବାକୁ ସ୍ଥାନୀୟ ଲୋକେ ପାଇଁ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ




