Road: ରାସ୍ତା ସମସ୍ୟା ଶୁଣିଲାନି ପ୍ରଶାସନ, ଓଡିଶା ଆନ୍ଧ୍ର ରାସ୍ତା ଅବରୋଧ
ଆଜି ଓଡିଶା ସୀମାନ୍ତ କେରଡା ଗ୍ରାମ ପଞ୍ଚାୟତର ଶତାଧିକ ଗ୍ରାମ ବାସିନ୍ଦା ପ୍ରଶାସନିକ ଉଦାସୀନତାକୁ ବିରୋଧ କରିବା ସହ ଆଜି ସୀମାନ୍ତ ରାସ୍ତାକୁ ଅବରୋଧ କରିଛନ୍ତି ।

ରାୟଗଡା: ଦୀର୍ଘ ବର୍ଷ ହେଲା ରାସ୍ତା ପାଇଁ ଦାବି କରୁଥିଲେ ଓଡିଶା ଆନ୍ଧ୍ରପ୍ରଦେଶର ସୀମାନ୍ତ ବାସିନ୍ଦା । କିନ୍ତୁ ପ୍ରଶାସନ ଶୁଣିଲାନି । ଚେତାବନୀ ମଧ୍ୟ ଦେଇଥଲେ ରାସ୍ତା ଅବରୋଧ ପାଇଁ । ପ୍ରଶାସନ ଗ୍ରାମବାସୀଙ୍କ ସହ ଆଲୋଚନା କରି ରାସ୍ତା ସମସ୍ୟାର ସମାଧାନର ବାଟ ବାହାର କଲାନାହିଁ । ଆଜି ଓଡିଶା ସୀମାନ୍ତ କେରଡା ଗ୍ରାମ ପଞ୍ଚାୟତର ଶତାଧିକ ଗ୍ରାମ ବାସିନ୍ଦା ପ୍ରଶାସନିକ ଉଦାସୀନତାକୁ ବିରୋଧ କରିବା ସହ ଆଜି ସୀମାନ୍ତ ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ କେରଡା ରାସ୍ତା ଦେଇ ସୀମାନ୍ତ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସୀମାନ୍ତ କେରଡା ପଞ୍ଚାୟତର ଗ୍ରାମବାସୀ ମାନେ ଅନିଜା ଗ୍ରାମ, ଏମ୍ପଲବାଲାସା ଗ୍ରାମ ଠାରୁ ଆନ୍ଧ୍ର ସୀମା ଯାଏଁ ପିଚୁରାସ୍ତା ଓ ଅନିଜାଠାରୁ ଇସ୍କାପାଲମ(ବୋର ହାଲୁଆ) ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ଦାବି କରି ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି ।
ପ୍ରଶାସନ ଯଦି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ ନକରେ ତେବେ ତେବେ ଅବରୋଧ ଏବଂ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି । ରାସ୍ତା ଅବରୋଧ କରିବା ପରେ ଶେଷଖାଲ ଥାନା ଅଞ୍ଚଳର ପୁଲିସ ଟିମ ରାସ୍ତା ଅବରୋଧ ସ୍ଥଳରେ ପହଁଚି ଗ୍ରାମବାସୀଙ୍କ ସହ ଆଲୋଚନା କରୁଛନ୍ତି । କିନ୍ତୁ ଦାବି ପୁରଣ ପାଇଁ ଠୋସ ପଦକ୍ଷେପ ଗ୍ରହଣ କରାନଗଲେ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଗ୍ରାମବାସୀମାନେ ସ୍ପଷ୍ଟ କରିଛନ୍ତି । ଏମ୍ପଲବାଲାସା ଗ୍ରାମର ଜ୍ୟୋତି କିଲାକା ଅଭିଯୋଗ କରି କହିଛନ୍ତି ବେସରକାରୀ ରିସୋର୍ଟକୁ ରାସ୍ତା ପାଇଁ ପ୍ରଶାସନ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି, କିନ୍ତୁ ଆମ ଗ୍ରାମର ମୌଳିକ ଦାବିକୁ କାହିଁକି ଶୁଣୁନି । ପ୍ରଶାସନ ସାଧାରଣ ଲୋକ ପାଇଁ ନା ବେପାରୀଙ୍କ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ଜ୍ୟୋତି କିଲାକା ।
ସୌଜନ୍ୟ ସମ୍ବାଦ




