ରାଜ୍ୟ

ମହଙ୍ଗା ପଡ଼ିଲା ୭ ହଜାର ଲାଞ୍ଚ: ଚାକିରିରୁ ବିଦା ହେଲେ ମନୀଷା

ଚାକିରି ଜୀବନ ଆରମ୍ଭ ହେଉ ହେଉ ଚାକିରି ଚାଲିଗଲା। ୭ ହଜାର ଟଙ୍କା ଲାଞ୍ଚ ନେବା ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ସବ୍‌-ରେଜିଷ୍ଟ୍ରାର୍‌ ମନୀଷା ମିଶ୍ରଙ୍କ ପାଇଁ।

ଭୁବନେଶ୍ବର: ଚାକିରି ଜୀବନ ଆରମ୍ଭ ହେଉ ହେଉ ଚାକିରି ଚାଲିଗଲା। ୭ ହଜାର ଟଙ୍କା ଲାଞ୍ଚ ନେବା ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ସବ୍‌-ରେଜିଷ୍ଟ୍ରାର୍‌ ମନୀଷା ମିଶ୍ରଙ୍କ ପାଇଁ। ଭିଜିଲାନ୍ସ ଦ୍ବାରା ଗିରଫ ହେଲା ପରେ ସରକାର କଠୋର ଆଭିମୁଖ୍ୟ ଦେଖାଇଛନ୍ତି। ନିଲମ୍ବନ ନୁହେଁ, ସିଧା ବହିଷ୍କାର କରିଛନ୍ତି। ବର୍ଷ ବର୍ଷ ଧରି ପରିଶ୍ରମ କରି ଓଆର୍‌ଏସ୍‌ ପାଇଥିବା ମନୀଷା ଏବେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଅଲୋଡ଼ା ଉଦାହରଣ ସୃଷ୍ଟି କରିଛନ୍ତି।

ମନୀଷା ୨୦୨୪ ମସିହାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ପ୍ରୋବେସନ୍ (ପ୍ରଶିକ୍ଷଣ) ଅବଧିରେ ଥାଇ ୮ ମାସ ତଳେ ସେ ବାଲିଆପାଳରେ ସବ୍‌-ରେଜିଷ୍ଟ୍ରାର ଭାବେ ନିଯୁକ୍ତ ହୋଇଥିଲେ। ଗତ ୬ ତାରିଖରେ ଜଣେ ବ୍ୟକ୍ତିଙ୍କ ଜମି ପଞ୍ଜୀକରଣ ଓ ସେଲ୍‌ ଡିଡ୍‌ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ। ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଏବେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ମନୀଷାଙ୍କ ଚାକିରି ଜନସ୍ବାର୍ଥ ପାଇଁ କ୍ଷତିକାରକ

ଆଜି ରାଜସ୍ବ ବିଭାଗ ପକ୍ଷରୁ ମନୀଷାଙ୍କ ବହିଷ୍କାର ନିର୍ଦ୍ଦେଶନାମା ଜାରି ‌ହୋଇଛି। ଏଥିରେ ଦର୍ଶାଯାଇଛି, ମନୀଷା ମିଶ୍ରଙ୍କ ଏପରି ଆଭିମୁଖ୍ୟକୁ ଦୁର୍ନୀତି ସଂକ୍ରାନ୍ତୀୟ ଏକ ଗମ୍ଭୀର ମାମଲା ଭାବେ ବିବେଚନା କରାଯିବ। ଏହା ପଦବିର ଗୁରୁତର ଅପବ୍ୟବହାର, ବ୍ୟକ୍ତିଗତ ଅସାଧୁତା ଏବଂ ଓଡ଼ିଶା ସରକାରୀ କର୍ମଚାରୀ ନିୟମର ଖୋଲା ବିରୁଦ୍ଧାଚରଣ କରୁଛି। ସାଧାରଣ ପ୍ରଶାସନ ବିଭାଗ (ଭିଜିଲାନ୍ସ) ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟକୁ ଭଲ ଭାବେ ଅନୁଧ୍ୟାନ କଲା ପରେ ଏହା ଅନୁଭବ ହେଲା ଯେ ମନୀଷାଙ୍କ ଚାକିରି ଜାରି ରହିବା ଜନସ୍ବାର୍ଥ ପାଇଁ କ୍ଷତିକାରକ। ତେଣୁ ଓଆର୍‌ଏସ୍‌ ରିକ୍ରୁଟମେଣ୍ଟ ଆଇନ-୨୦୧୧ ଏବଂ ଓଡ଼ିଶା ରାଜସ୍ବ ସେବା, ଗ୍ରୁପ୍‌- ବି ନିୟମାବଳୀ-୨୦୧୬ରେ ଥିବା ବ୍ୟବସ୍ଥା ଅନୁଯାୟୀ ମନୀଷା ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରାଗଲା। ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଏହି ବହିଷ୍କାର ବିଜ୍ଞପ୍ତି ଜାରି ହୋଇଛି। ମନୀଷାଙ୍କ ପ୍ରତି ସରକାରଙ୍କର ଏହି କଡ଼ା କାର୍ଯ୍ୟାନୁଷ୍ଠାନ ସବୁ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏହା ଅନ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ଏକ ସତର୍କବାଣୀ ବୋଲି ଅନେକ ମତ ଦେଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button