Lowest temperature in space: ମହାକାଶରେ ସର୍ବନିମ୍ନ ତାପମାତ୍ରା
ଚୀନ୍ର ବୈଜ୍ଞାନିକମାନେ ସ୍ପେସ୍ ଷ୍ଟେସନ୍ରେ ରୁବିଡିୟମ୍ ପରମାଣୁଗୁଡ଼ିକୁ ୯.୭ ପିକୋକେଲଭିନ୍ ତାପମାତ୍ରା ଯାଏ ଥଣ୍ଡା କରି ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଏହା ମଣିଷ ଦ୍ୱାରା ସୃଷ୍ଟ ସବୁଠୁ କମ୍ ତାପମାତ୍ରା।

ଚୀନ୍ର ବୈଜ୍ଞାନିକମାନେ ସ୍ପେସ୍ ଷ୍ଟେସନ୍ରେ ରୁବିଡିୟମ୍ ପରମାଣୁଗୁଡ଼ିକୁ ୯.୭ ପିକୋକେଲଭିନ୍ ତାପମାତ୍ରା ଯାଏ ଥଣ୍ଡା କରି ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଏହା ମଣିଷ ଦ୍ୱାରା ସୃଷ୍ଟ ସବୁଠୁ କମ୍ ତାପମାତ୍ରା। ଏହି ଅବସ୍ଥାକୁ ସାତ ସେକେଣ୍ଡ ପର୍ଯ୍ୟନ୍ତ ସ୍ଥିର ରଖି ବୈଜ୍ଞାନିକମାନେ ପରମାଣୁଗୁଡ଼ିକର ଗତିବିଧି ଅଧ୍ୟୟନ କରିଛନ୍ତି। ଏହି ସଫଳତା କ୍ୱାଣ୍ଟମ୍ ବିଜ୍ଞାନ ଗବେଷଣା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ତାପମାତ୍ରାର ସବୁଠୁ ନିମ୍ନ ତାତ୍ତ୍ୱିକ ସୀମାକୁ ‘ଆବ୍ସଲ୍ୟୁଟ୍ ଜିରୋ’ କୁହାଯାଏ। ଏହି ତାପମାତ୍ରା ହେଉଛି ଶୂନ ଡିଗ୍ରି କେଲ୍ଭିନ୍ ବା ବିଯୁକ୍ତ ୨୭୩.୧୫ ଡିଗ୍ରି ସେଲସିୟସ୍। ଏକ ପିକୋକେଲଭିନ୍ ହେଉଛି ଏକ ଡିଗ୍ରି କେଲଭିନ୍ର ଏକ ଲକ୍ଷ କୋଟି ଭାଗରୁ ଭାଗେ। ଏହି ପରୀକ୍ଷଣରେ ହାସଲ ହୋଇଥିବା ୯.୭ ପିକୋକେଲଭିନ୍ ତାପମାତ୍ରା ‘ଆବ୍ସଲ୍ୟୁଟ୍ ଜିରୋ’ର ଅତି ନିକଟତର। ଏଭଳି ଅବସ୍ଥାରେ ପରମାଣୁଗୁଡ଼ିକର ଗତି ପ୍ରାୟ ବନ୍ଦ ହୋଇଯାଏ। ଫଳରେ ସେମାନଙ୍କର କ୍ୱାଣ୍ଟମ୍ ଗୁଣକୁ ଅଧ୍ୟୟନ କରିବା ସହଜ ହୁଏ।
ଚୀନ୍ର ସ୍ପେସ୍ ଷ୍ଟେସନ୍ରେ ଥିବା ଅଲ୍ଟ୍ରା କୋଲ୍ଡ ଆଟମ୍ ଫିଜିକ୍ସ ରାକ୍ରେ ଏହି ପରୀକ୍ଷଣ କରାଯାଇଥିଲା। ପେକିଂ ବିଶ୍ୱବିଦ୍ୟାଳୟ ଓ ସାଂଘାଇ ଇନଷ୍ଟିଚ୍ୟୁଟ୍ ଅଫ୍ ଅପ୍ଟିକ୍ସ ଆଣ୍ଡ୍ ଫାଇନ୍ ମେକାନିକ୍ସର ବୈଜ୍ଞାନିକମାନେ ଏହାକୁ ସଫଳ କରିଥିଲେ। ୨୦୧୧ରେ ଏହି ପ୍ରକଳ୍ପର ସମ୍ଭାବ୍ୟତା ଅଧ୍ୟୟନ ଆରମ୍ଭ ହୋଇଥିଲା। ୨୦୨୨ରେ ମେଙ୍ଗତିଆନ୍ ମଡ୍ୟୁଲ୍ ସହ ପରୀକ୍ଷଣ ବ୍ୟବସ୍ଥା ମହାକାଶକୁ ପଠାଯାଇଥିଲା। ଏହି ପରୀକ୍ଷଣ ପାଇଁ ବୈଜ୍ଞାନିକମାନେ ଲେଜର୍ ଆଲୋକର ସହାୟତା ନେଇଥିଲେ। ପ୍ରଥମେ ପରମାଣୁଗୁଡ଼ିକୁ ଏକ ଆଲୋକୀୟ ଫାଶରେ ରଖାଯାଇଥିଲା। ପରେ ଲେଜର୍ର ତୀବ୍ରତା କମାଇ ଏବଂ ସ୍ୱତନ୍ତ୍ର ଶୀତଳୀକରଣ ପ୍ରକ୍ରିୟା ଆପଣାଇ ତାପମାତ୍ରା ହ୍ରାସ କରାଯାଇଥିଲା। ଏହି ପ୍ରକ୍ରିୟାରେ ମହାକାଶର ଅତି କମ୍ ମାଧ୍ୟାକର୍ଷଣ ବଳ ବେଶ୍ ସହାୟକ ହୋଇଥିଲା।
ସୌଜନ୍ୟ ସମ୍ବାଦ




