ରାଜ୍ୟ

Ration rice scam: ୧୨୦ କ୍ବିଣ୍ଟାଲ୍‌ ଚାଉଳ ହଡ଼ପ୍‌ ଅଭିଯୋଗ; ରାସନ କାର୍ଡ ଧାରୀଙ୍କ ମେଳି ଓ ବିକ୍ଷୋଭ

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ହାତୀବାରି ପଞ୍ଚାୟତରେ ବଡ଼ ଧରଣର ରାସନ ଚାଉଳ ଦୁର୍ନୀତି ନେଇ ସାଧାରଣରେ ଅଭିଯୋଗ ହୋଇଛି। ଦେଢ଼ ହଜାରରୁ ଅଧିକ ରାସନକାର୍ଡଧାରୀଙ୍କ ପାଇଁ ନିୟୋଜିତ ଜଣେ ଡିଲର ସଂପୂର୍ଣ୍ଣ ୨ ମାସର ଚାଉଳ...

କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ହାତୀବାରି ପଞ୍ଚାୟତରେ ବଡ଼ ଧରଣର ରାସନ ଚାଉଳ ଦୁର୍ନୀତି ନେଇ ସାଧାରଣରେ ଅଭିଯୋଗ ହୋଇଛି। ଦେଢ଼ ହଜାରରୁ ଅଧିକ ରାସନକାର୍ଡଧାରୀଙ୍କ ପାଇଁ ନିୟୋଜିତ ଜଣେ ଡିଲର ସଂପୂର୍ଣ୍ଣ ୨ ମାସର ଚାଉଳ ଓ ୪ ମାସର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣ ଯୋଜନାର ଚାଉଳ ହଡ଼ପ କରିଥିବା ଦର୍ଶାଯାଇଛି। ପାଖାପାଖି ୧୨୦ କ୍ବିଣ୍ଟାଲ ଚାଉଳ ଦୁର୍ନୀତି ହୋଇଥିବା ଧରାପଡ଼ିଛି।

ଏ ସଂକ୍ରାନ୍ତରେ ଏହି ପଞ୍ଚାୟତର ବୈରୀମାଳ, ହାତୀବାରି ଓ କରଡ଼ାପାଳର ରାସନକାର୍ଡ ଧାରୀମାନେ ପୃଥକ ଭାବେ ଗତ ୯ ତାରିଖରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହ ଏ କ୍ଷେତ୍ରରେ ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏଥିସହ ଯଥାଶୀଘ୍ର ବକେୟା ଚାଉଳ ବଣ୍ଟନ ଦାବି କରାଯାଇଛି।

ପ୍ରସଙ୍ଗକୁ ନେଇ ପଞ୍ଚାୟତବାସୀ ବିଡିଓ ପ୍ରଜ୍ଞାପରିମିତା ପୃଷ୍ଟିଙ୍କୁ ଭେଟିଥିଲେ। ୨ ଦିନ ଧରି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆନଯିବାରେ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି। ଆଜି ବୈରୀମାଳ ହିଙ୍ଗୁଳା ପୀଠ ପାଖ ପଡ଼ିଆରେ ୨ ଶହରୁ ଅଧିକ ରାସନକାର୍ଡ ଧାରୀ ମେଳି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଡିଲର ତଞ୍ଚକତା କରି ରାସନକାର୍ଡ ଧାରୀଙ୍କ ଠାରୁ ୪ ମାସ(ଜୁଲାଇରୁ ଅକ୍ଟୋବର)ର ଫିଙ୍ଗର ପ୍ରିଣ୍ଟ୍‌ ନେଇ ୨ ମାସର ଚାଉଳ ଦେଇଥିବା ସ୍ଥଳେ ଆଉ ଧରାଛୁଆଁ ଦେଉନଥିବା ନେଇ ଗଣମାଧ୍ୟମରେ ବିବୃତି ରଖିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣ ଯୋଜନାରେ ହିତାଧିକାରୀଙ୍କ ପାଇଁ ଆସିଥିବା ଅତିରିକ୍ତ ୪ ମାସର ଚାଉଳ ଉକ୍ତ ଡିଲର ହଡ଼ପ କରିଥିବା ନେଇ ମାଳମାଳ ଅଭିଯୋଗ ହୋଇଥିଲା।

ବିଡିଓଙ୍କ ନିର୍ଦ୍ଦେଶରେ ବ୍ଲକ ଯୋଗାଣ ନିରୀକ୍ଷକ(ଏମ୍‌ଆଇ) ପ୍ରଦୀପ୍ତ କୁମାର ବେହେରା ଆଜି ବୈରୀମାଳରେ ପହଞ୍ଚି ରାସନକାର୍ଡ ଧାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ ଲୋକେ ନିଜ ଜିଦ୍‌ରେ ଅଡ଼ି ବସିଥିବା ଦେଖାଯାଇଥିଲା। ସମସ୍ୟା ସମାଧାନ ନହେଲେ ରାଜରାସ୍ତା ଅବରୋଧ କରି ଗଣଧାରଣା ଓ ଆନ୍ଦୋଳନ କରାଯିବ ବୋଲି ରାସନକାର୍ଡ ଧାରୀ ଚେତାବନୀ ଦେଇଥିଲେ।

ଏ ସଂପର୍କରେ ଏମ୍‌ଆଇ ଶ୍ରୀ ବେହେରାଙ୍କୁ ପଚାରିବାରେ ଡିଲର ରବୀନ୍ଦ୍ର ମହାନ୍ତିଙ୍କ ବିରୁଦ୍ଧରେ ଚାଉଳ ହଡ଼ପ୍‌ ସଂପର୍କରେ ଅଭିଯୋଗକୁ ନେଇ ବିଭାଗୀୟ ତଦନ୍ତ ଜାରି ରହିଥିବା କହିଥିଲେ। ତେବେ ଏବେ ପଞ୍ଚାୟତରେ ଏବେ ଭାଗ କରାଯାଇ ଆଉ ଜଣେ ନୂଆ ଡିଲର ସୁବାସିନୀ ନାୟକଙ୍କୁ ଦାୟିତ୍ବ ଦିଆଯାଇ ସମସ୍ୟାର ସମାଧାନ ଉଦ୍ୟମ ଜାରି ରହିଥିବା କହନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button