ଭଞ୍ଜନଗର (ବିଶ୍ବମ୍ବର ଜେନା): ବାଜିଲା ଘଣ୍ଟି, ଖୋଲିଲା ସ୍କୁଲ। ଦୀର୍ଘ ୨୩ ଦିନ ପରେ ବିଦ୍ୟାଳୟରେ ପାଦ ଥାପିଲେ ସ୍କୁଲ ଛାତ୍ରଛାତ୍ରୀ। ଦଶହରା ପାଇଁ ବିଦ୍ୟାଳୟ ଗୁଡିକ ଛୁଟି ଘୋଷଣା କରାଯାଇଥିବା ବେଳେ ଏହାରି ଭିତରେ ମାଡି ଆସିଥିଲା। ଅର୍ଣ୍ଣବ ବାତ୍ୟା ଆଉ ବାତ୍ୟା ପ୍ରଭାବରେ ହୋଇଥିବା ବନ୍ୟାରେ ପ୍ରତିଟି କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ପିଲାଙ୍କ ଭବିଷ୍ୟତ ଗଢା ଯାଉଥିବା ସ୍କୁଲ ଗୁଡିକ ମଧ୍ୟ ଏଥିରୁ ବାଦ ପଡିନଥିଲା। ବିଶେଷ କରି ଭଞ୍ଜନଗର ବ୍ଳକ ଓ ସହର ପାଇଁ ଦୁଖ ଆଣିଥିଲା ଲୋହରାଖଣ୍ଡ ନଦୀ।
ଏହି ନଦୀ ଅବବାହିକାରେ ରହିଥିବା ଗ୍ରାମ ଗୁଡିକ ଜଳବନ୍ଦୀ ପରିସ୍ଥିତି ହେବା ସହ ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ କରି ଦେଇଥିଲା। ଚାଷବାସ ଠାରୁ ଆରମ୍ଭ କରି ରୋଜଗାରକୁ ଛାରଖାର କରି ଦେଇଥିଲା। ଲୋହରାଖଣ୍ଡି ନଦୀର ବନ୍ୟା। ଗତମାସ ୨୮ ତାରିଖ ରାତିରେ ପ୍ରବଳ ବର୍ଷା ସହ ଡହ ଡ୍ୟାମ ଶତପ୍ରତିଶତ ପୂର୍ଣ୍ଣ ହେବା ପରେ ଏହି ଡ୍ୟାମରୁ ଆସିଥିବା ପାଣି ହିଁ ଏହି ଅଞ୍ଚଳର ବନ୍ୟାର କାରଣ ବୋଲି ସାଧାରଣରେ ଅଭିଯୋଗ ହେଉଥିବା ବେଳେ କୁନି ପିଲାଙ୍କ ପାଠ ପଢା ମଧ୍ୟ ପାଣିରେ ମିଳେଇ ଯାଇଛି। ଅନେକ ପରିବାର ଘରେ ପାଣି ପଶିବା ଯୋଗୁ ଘର କରଣା ସାଙ୍ଗକୁ ପିଲାଙ୍କ ବହି ଖାତା ଠାରୁ ଆରମ୍ଭ କରି ପାଠ ପଢା ସାମଗ୍ରୀ ସବୁ ଲୋଟି ଯାଇଛି।
ବର୍ତ୍ତମାନ ବନ୍ୟା ପାଣି ଛାଡିଛି ସତ କିନ୍ତୁ ଏବେ ବି ସ୍କୁଲ ଗୁଡିକରେ ବନ୍ୟା ବିଭୀଷିକାର ବାସ୍ତବତା ଜଳଜଳ ହୋଇ ଦେଖା ଯାଉଛି। ଅନେକ ବହିପତ୍ର ପାଣିରେ ବୁଡି ଯାଇଥିବା ବେଳେ ତାକୁ ଶୁଖା ଯାଉଛି। କେଉଁଠି ଭଙ୍ଗା ଟେବୁଲ ବ୍ୟାଞ୍ଚକୁ ସଜାଡୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ତ କେଉଁଠି ବନ୍ୟାରୁ ଉଦ୍ଧାର ହୋଇଥିବା ଜିନିଷକୁ ଆଜି ବି ସଫା କରୁଛନ୍ତି କର୍ତ୍ତୁପକ୍ଷ। ସୋମବାର ଠାରୁ ସ୍କୁଲ ଖୋଲିଥିବା ବେଳେ ଧିରେ ଧିରେ ପିଲାଙ୍କ ଉପସ୍ଥାନ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ଭଞ୍ଜନଗର ବ୍ଳକର ସାନକୋଦଣ୍ଡା ପଞ୍ଚାୟତର ବାହାଡାପଦର ଉଚ୍ଚ ବିଦ୍ୟାଳୟ, ଗମ୍ଭାରିଗୋଚ୍ଛା,ବଡକୋଦଣ୍ଡା ପଞ୍ଚାୟତର ଡି.କଇଠପଲ୍ଲୀ, ପୌରପାଳିକାର ଟାଉନ ପ୍ରାଥମିକ ବିଦ୍ୟାଳୟ,ରାଜକୁଣ୍ଡପଲ୍ଲୀ ପ୍ରାଥମିକ ବିଦ୍ୟାଳୟ,ନାହାତୁଠ ସାହି ପ୍ରାଥମିକ ବିଦ୍ୟାଳୟ ଓ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନ୍ୟା ଜଳ ପ୍ରବେଶ କରିଥିଲା।
ସୌଜନ୍ୟ ସମ୍ବାଦ