ଦେଶ ବିଦେଶ

ଟ୍ରମ୍ପଙ୍କ ଗୁପ୍ତ ନିର୍ବାସନ ଯୋଜନାରେ ପାକିସ୍ତାନ; ଆମେରିକାରୁ ବିଦେଶୀଙ୍କୁ ପଠାଇବାକୁ ହେବ ଟ୍ରାଞ୍ଜିଟ୍‌ କେନ୍ଦ୍ର

ଆମେରିକୀୟ ଅଦାଲତରେ ଦାଖଲ ହୋଇଥିବା ଦସ୍ତାବିଜ୍‌ରୁ ଏହି ଯୋଜନା ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିଛି । ଆମେରିକାରେ ଅଟକ ଥିବା ୧୫୦ରୁ ଅଧିକ ଆଫଗାନ ନାଗରିକଙ୍କୁ ପ୍ରଥମେ ଲୁଇସିଆନାରୁ ପାକିସ୍ତାନକୁ ବିମାନରେ ନିଆଯାଇ ସେଠାରୁ ତାଲିବାନ ନିୟନ୍ତ୍ରିତ ଆଫଗାନିସ୍ତାନକୁ ପଠାଇବା ଯୋଜନା ହୋଇଥିଲା ।

ୱାସିଂଟନ : ଆମେରିକାରେ ଅବୈଧ ଭାବେ ରହୁଥିବା ବିଦେଶୀ ନାଗରିକଙ୍କୁ ଦେଶରୁ ବାହାର କରିବା ଅଭିଯାନକୁ ଅଧିକ ଜୋରଦାର କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ଆଫଗାନିସ୍ତାନ ଓ ଇରାନର ନାଗରିକମାନଙ୍କୁ ସିଧାସଳଖ ନିଜ ଦେଶକୁ ପଠାଇବା ପରିବର୍ତ୍ତେ ପାକିସ୍ତାନ ଦେଇ ପଠାଇବାକୁ ଆମେରିକା ଯୋଜନା କରୁଥିବା ଜଣାପଡ଼ିଛି । ଏଥିପାଇଁ ପାକିସ୍ତାନକୁ ଏକ ଗୁପ୍ତ ଟ୍ରାଞ୍ଜିଟ୍‌ କେନ୍ଦ୍ର ଭାବେ ବ୍ୟବହାର କରିବାକୁ ୱାସିଂଟନ ଉଦ୍ୟମ କରୁଛି । ତେବେ ଏହି ଯୋଜନାକୁ ନେଇ ଆମେରିକାରେ ମାନବାଧିକାର ସଂଗଠନ, ଆଇନଜୀବୀ ଓ ସାଂସଦମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଆମେରିକୀୟ ଅଦାଲତରେ ଦାଖଲ ହୋଇଥିବା ଦସ୍ତାବିଜ୍‌ରୁ ଏହି ଯୋଜନା ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିଛି । ଆମେରିକାରେ ଅଟକ ଥିବା ୧୫୦ରୁ ଅଧିକ ଆଫଗାନ ନାଗରିକଙ୍କୁ ପ୍ରଥମେ ଲୁଇସିଆନାରୁ ପାକିସ୍ତାନକୁ ବିମାନରେ ନିଆଯାଇ ସେଠାରୁ ତାଲିବାନ ନିୟନ୍ତ୍ରିତ ଆଫଗାନିସ୍ତାନକୁ ପଠାଇବା ଯୋଜନା ହୋଇଥିଲା । ଅକ୍ଟୋବର ୩୧ରେ ଏହି ଯୋଜନା ସମ୍ପର୍କରେ ଖବର ପ୍ରକାଶ ପାଇଥିଲା । ଏହି ଗୋଷ୍ଠୀରେ ଆମେରିକା ସେନାକୁ ସହଯୋଗ କରିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ଏବଂ ଜଣେ ସମଲିଙ୍ଗୀ ଆଫଗାନ ନାଗରିକ ମଧ୍ୟ ଥିବା କୁହାଯାଇଛି । ସେମାନେ ଆଫଗାନିସ୍ତାନ ଫେରିଲେ ତାଲିବାନର ନିର୍ଯାତନାର ଶିକାର ହୋଇପାରନ୍ତି ବୋଲି ମାନବାଧିକାର ସଂଗଠନ ଆଶଙ୍କା କରିଛନ୍ତି ।

ନଭେମ୍ବର ୩ରେ ନ୍ୟୁୟର୍କର ଫେଡେରାଲ୍‌ ଜଜ୍‌ ଭାଲେରି କାପ୍ରୋନି ଆଫଗାନ ନାଗରିକଙ୍କୁ ପାକିସ୍ତାନ କିମ୍ବା ଆଫଗାନିସ୍ତାନ ପଠାଇବା ଉପରେ ସାମୟିକ ରୋକ୍‌ ଲଗାଇଥିଲେ । ଆମେରିକାର ୬୬ ଜଣ ସାଂସଦ ଏହି ଯୋଜନା ବାତିଲ କରିବାକୁ ଟ୍ରମ୍ପ ପ୍ରଶାସନକୁ ଚିଠି ଲେଖିଥିଲେ । ସେମାନଙ୍କ ମତରେ, ଏହି ଲୋକମାନଙ୍କୁ ଫେରାଇଲେ ନିର୍ଯାତନା, ଅତ୍ୟାଚାର ଏପରିକି ମୃତ୍ୟୁର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ଆଫଗାନ ନାଗରିକଙ୍କ ସହ ଇରାନୀ ନାଗରିକଙ୍କୁ ମଧ୍ୟ ପାକିସ୍ତାନ ଦେଇ ଫେରାଇବାକୁ ଆମେରିକା ଉଦ୍ୟମ କରୁଛି । ନଭେମ୍ବର ୮ରେ ଆଠଜଣ ଇରାନୀ ନାଗରିକଙ୍କୁ ନେଇ ଏକ ବିମାନ ଆରିଜୋନାରୁ ଉଡ଼ାଣ ଭରିଥିଲେ ମଧ୍ୟ ଯାତ୍ରା ବାତିଲ ହୋଇଥିଲା । ପୁଣି ନଭେମ୍ବର ୧୦ରେ ନଅଜଣ ଇରାନୀ ନାଗରିକଙ୍କୁ ନେଇ ଉଡ଼ିଥିବା ଏକ ବିମାନ ପ୍ରାୟ ୩୦ ମିନିଟ୍‌ ପରେ ଆରିଜୋନାକୁ ଫେରିଆସିଥିଲା । ପାକିସ୍ତାନ ସେମାନଙ୍କୁ ଗ୍ରହଣ କରିବାକୁ ମନା କରିବାରୁ ବିମାନଟି ଫେରିଥିବା ଆମେରିକୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଏହା ପୂର୍ବରୁ ନଭେମ୍ବର ୩ରେ ଆଫଗାନ ନାଗରିକଙ୍କୁ ନେଇ ଯିବାକୁ ଥିବା ବିମାନ ମଧ୍ୟ ଅଦାଲତଙ୍କ ହସ୍ତକ୍ଷେପ ଯୋଗୁଁ ଅଟକିଥିଲା ।

ପାକିସ୍ତାନ ଏହି ଯୋଜନାକୁ ନେଇ ଆମେରିକା ସହ ଆଲୋଚନା ଚାଲିଥିବା ସ୍ୱୀକାର କରିଛି । ନଭେମ୍ବର ୬ରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ସଜ୍ଜାଦ ହାଇଦର ଖାନ୍‌ କହିଥିଲେ ଯେ ଏହି ପ୍ରସ୍ତାବ ଉପରେ ବିଚାରବିମର୍ଶ ଚାଲିଛି ଏବଂ ସମ୍ପୃକ୍ତ ପକ୍ଷଙ୍କ ସହ ପରାମର୍ଶ କରାଯାଉଛି । ତେବେ ଏ ନେଇ ଆମେରିକା ସହ କୌଣସି ଚୂଡ଼ାନ୍ତ ଚୁକ୍ତି ହୋଇଥିବା ପାକିସ୍ତାନ ସରକାର ସାର୍ବଜନୀନ ଭାବେ ସ୍ୱୀକାର କରିନାହାନ୍ତି । ଏହି ଯୋଜନାକୁ ନେଇ ଆମେରିକାରେ ରାଜନୈତିକ ଓ ମାନବାଧିକାର ବିବାଦ ତୀବ୍ର ହୋଇଛି । ଆଫଗାନ ଶରଣାର୍ଥୀଙ୍କ ପକ୍ଷରେ କାମ କରୁଥିବା ସଂଗଠନଗୁଡ଼ିକ କହିଛନ୍ତି, ପାକିସ୍ତାନ ମାଧ୍ୟମରେ ନିଜ ଦେଶକୁ ଫେରାଇବା ଏକ ପରୋକ୍ଷ ନିର୍ବାସନ ପ୍ରକ୍ରିୟା । ଅନ୍ୟପକ୍ଷରେ ଆମେରିକା ପ୍ରଶାସନ ଟ୍ରମ୍ପଙ୍କ ବ୍ୟାପକ ନିର୍ବାସନ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଆଇନସମ୍ମତ ସମସ୍ତ ଉପାୟ ଅବଲମ୍ବନ କରୁଥିବା କହିଛି ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button