ରାଜ୍ୟ

Education: ଓଡ଼ିଶା ସ୍କିଲ୍ସ ୨୦୨୬–୨୭: ନଭେମ୍ବର ୨୮ରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ଓଡ଼ିଶାର ଯୁବପ୍ରତିଭାଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ମିଳିବ ବିଶ୍ଵସ୍ତରୀୟ ମଞ୍ଚ। ଓଡ଼ିଶା ସ୍କିଲ୍ସ ୨୦୨୬–୨୭ ପ୍ରତିଯୋଗିତା ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି ରାଜ୍ୟସ୍ତରୀୟ ସ୍କିଲ୍ କମିଟି। ଏହି ଅନୁସାରେ, ନଭେମ୍ବର ୨୮ରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆରମ୍ଭ ହେବ।

ଭୁବନେଶ୍ୱର: ଓଡ଼ିଶାର ଯୁବପ୍ରତିଭାଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ମିଳିବ ବିଶ୍ଵସ୍ତରୀୟ ମଞ୍ଚ। ଓଡ଼ିଶା ସ୍କିଲ୍ସ ୨୦୨୬–୨୭ ପ୍ରତିଯୋଗିତା ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି ରାଜ୍ୟସ୍ତରୀୟ ସ୍କିଲ୍ କମିଟି। ଏହି ଅନୁସାରେ, ନଭେମ୍ବର ୨୮ରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆରମ୍ଭ ହେବ। ସେହିପରି ଡିସେମ୍ବର ୧୭ ଏବଂ ୧୮ରେ ଜୋନାଲ୍ ସ୍ତରୀୟ ଏବଂ ଜାନୁଆରି ୧୧ରୁ ୧୬, ୨୦୨୭ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ନଭେମ୍ବର ୯ ତାରିଖରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍କିଲ୍ କମିଟିର ବୈଠକରେ ଏହି କାର୍ଯ୍ୟସୂଚୀ ଓ ପ୍ରତିଯୋଗିତାର ଆୟୋଜନ ସମ୍ପର୍କିତ ଯୋଜନା ଚୂଡ଼ାନ୍ତ ହୋଇଥିଲା। ବିଶ୍ଵ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। ଏଥିରେ  ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ବରିଷ୍ଠ ଅଧିକାରୀ ଓ ସହଯୋଗୀ ସଂସ୍ଥାର ସଦସ୍ୟମାନେ ଯୋଗ ଦେଇଥିଲେ।

ଓଡ଼ିଶା ସ୍କିଲ୍ସ ୨୦୨୬-୨୭ ପ୍ରତିଯୋଗିତା କିପରି ସୁଚାରୁ ଭାବେ ଆୟୋଜନ ହେବ, ଏହାର ସ୍ଥାନ, ବିଭିନ୍ନ ଅନୁଷ୍ଠାନର ଦାୟିତ୍ୱ ଓ ଆବଶ୍ୟକ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଏଥିସହ ପ୍ରତିଯୋଗିତାରେ ସ୍ୱଚ୍ଛ ମୂଲ୍ୟାୟନ ଓ ସମସ୍ତଙ୍କ ପାଇଁ ସମାନ ନିୟମ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର କହିଥିଲେ, ଓଡ଼ିଶା ସ୍କିଲ୍ସ ପ୍ରତିଯୋଗିତା ୨୦୨୬–୨୭ ମାଧ୍ୟମରେ ରାଜ୍ୟର ପ୍ରତି ଅଞ୍ଚଳରୁ ଦକ୍ଷ ଯୁବପ୍ରତିଭାଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ନିଜ ଦକ୍ଷତା ବିକାଶ ଓ ପ୍ରଦର୍ଶନ ପାଇଁ ସମାନ ସୁଯୋଗ ମିଳିବ। ପ୍ରତ୍ୟେକ ଯୁବ ପ୍ରତିଯୋଗୀ ଯେପରି ନିଜ ଦକ୍ଷତା ଦେଖାଇବା ଓ ଆଗକୁ ବଢ଼ିବା ପାଇଁ ସମାନ ସୁଯୋଗ ପାଇବେ, ସେଥିପାଇଁ ଆମେ ଗୁରୁତ୍ୱ ଦେଉଛୁ। ଏହି ପ୍ରତିଯୋଗିତାକୁ ଏକ ଉତ୍କର୍ଷର ମଞ୍ଚ ଭାବେ ଗଢ଼ି ତୋଳିବା ସହ ଓଡ଼ିଶାର ଶ୍ରେଷ୍ଠ ଯୁବପ୍ରତିଭାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ପ୍ରତିନିଧିତ୍ୱ ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିଶ୍ଵ ଦକ୍ଷତା କେନ୍ଦ୍ର ବିଭିନ୍ନ ସହଯୋଗୀ ଅନୁଷ୍ଠାନ ଓ ଶିଳ୍ପ ସଂସ୍ଥା ସହ ମିଶି କାର୍ଯ୍ୟ କରିବ।

ଏହି ପ୍ରତିଯୋଗିତାରେ ୬ଟି କ୍ଷେତ୍ରରେ ମୋଟ ୬୩ଟି ଦକ୍ଷତା ବିଭାଗ ରହିଛି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ଯୁବ ବର୍ଗ ଏଥିରେ ଭାଗନେଇ ନିଜର ବୈଷୟିକ ଜ୍ଞାନ ଏବଂ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିପାରିବେ। ଜିଲ୍ଲା, ଜୋନାଲ୍ ଓ ରାଜ୍ୟସ୍ତରରେ ତିନିଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ପର୍ଯ୍ୟାୟରୁ ଶ୍ରେଷ୍ଠ ପ୍ରତିଯୋଗୀମାନେ ପରବର୍ତ୍ତୀ ସ୍ତରକୁ ଯିବେ।

ରାଜ୍ୟର ନୋଡାଲ୍ ଅନୁଷ୍ଠାନ ଭାବେ ବିଶ୍ଵ ଦକ୍ଷତା କେନ୍ଦ୍ର ଏହି ପ୍ରତିଯୋଗିତାର ଆୟୋଜନ ଓ ସମନ୍ୱୟ ଦାୟିତ୍ୱ ତୁଲାଇବ। ସେହିପରି ବିଭିନ୍ନ ସରକାରୀ ଅନୁଷ୍ଠାନ, ବୈଷୟିକ ତାଲିମ ପ୍ରତିଷ୍ଠାନ ଓ ସହଯୋଗୀ ସଂସ୍ଥାଗୁଡ଼ିକ ଆବଶ୍ୟକୀୟ ଉପକରଣ, ପ୍ରଶିକ୍ଷକ, ବିଶେଷଜ୍ଞ, ବିଚାରକ ଓ ମୂଲ୍ୟାୟନ ସହାୟତା ଯୋଗାଇଦେବେ।

ଓଡ଼ିଶାସ୍କିଲ୍ସ ମାଧ୍ୟମରେ ପ୍ରତିଯୋଗୀମାନେ ପ୍ରଥମେ ରାଜ୍ୟସ୍ତରରେ ନିଜ ଦକ୍ଷତା ପ୍ରଦର୍ଶନ କରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଯୋଗ୍ୟ ପ୍ରତିଯୋଗୀମାନେ ଇଣ୍ଡିଆସ୍କିଲ୍ସରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଜାତୀୟ ସ୍ତରରେ ଯୋଗ୍ୟତା ହାସଲ କରୁଥିବା ପ୍ରତିଯୋଗୀମାନେ ୨୦୨୮ରେ ଜାପାନର ଆଇଚିଠାରେ ହେବାକୁ ଥିବା ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ଚୟନ ହେବାର ସୁଯୋଗ ପାଇପାରିବେ।

ଏହି ପ୍ରତିଯୋଗିତା ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ସମନ୍ୱୟକୁ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କୁ ନିଯୁକ୍ତି ଓ ଭବିଷ୍ୟତର କର୍ମକ୍ଷେତ୍ର ପାଇଁ ଆବଶ୍ୟକ ଦକ୍ଷତା ହାସଲରେ ସହାୟକ ହେବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button