2-BHK flat for 155 rupees: ୧୫୫ ଟଙ୍କାରେ ୨-ବିଏଚ୍କେ ଫ୍ଲାଟ୍
ଆଜିକାଲିର ମହଙ୍ଗା ଯୁଗରେ ସାଧାରଣ ଲୋକଟିଏ ପାଇଁ ନିଜର ଘର ଖଣ୍ଡିଏ କରିବା ସ୍ୱପ୍ନ ପାଲଟିଛି। ସହରାଞ୍ଚଳରେ ଛୋଟ ଘରଟିଏ କିଣିବାକୁ ହେଲେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ।

ଆଜିକାଲିର ମହଙ୍ଗା ଯୁଗରେ ସାଧାରଣ ଲୋକଟିଏ ପାଇଁ ନିଜର ଘର ଖଣ୍ଡିଏ କରିବା ସ୍ୱପ୍ନ ପାଲଟିଛି। ସହରାଞ୍ଚଳରେ ଛୋଟ ଘରଟିଏ କିଣିବାକୁ ହେଲେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ଏମିତି ଏକ ସମୟରେ ଜଣେ ବ୍ୟକ୍ତି ମାତ୍ର ୧୩.୩ ୟୁଆନ୍ ବା ୧୫୫ ଟଙ୍କାରେ ଏକ ସୁସଜ୍ଜିତ ୨-ବିଏଚ୍କେ ଫ୍ଲାଟ୍ କିଣିଛନ୍ତି। ନିକଟରେ ଚୀନରେ ଏହି ଆଶ୍ଚର୍ଯ୍ୟଜନକ ତଥା ଅବିଶ୍ୱସନୀୟ ଘଟଣା ଘଟିଛି, ଯାହା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଚୀନର ପ୍ରସିଦ୍ଧ ଅନ୍ଲାଇନ୍ ସପିଂ ଫେଷ୍ଟିଭାଲ୍ ‘ଡବଲ୍ ୧୧’ ଅବସରରେ ଆଲିବାବାର ଅନ୍ଲାଇନ୍ ପ୍ଲାଟଫର୍ମ (ତାଓବାଓ)ରେ ଏହି ନିଲାମ ଅନୁଷ୍ଠିତ ହୋଇଥିଲା।
‘ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ’ର ରିପୋର୍ଟ ଅନୁସାରେ, ଚୀନର ହେନାନ୍ ପ୍ରଦେଶ ଅନ୍ତର୍ଗତ ହେବି ସହରରେ ଏହି ଆପାର୍ଟମେଣ୍ଟ ଅବସ୍ଥିତ। ନିର୍ମାଣ ସଂସ୍ଥାକୁ ବିଜ୍ଞାପିତ କରିବା ସକାଶେ ଜଣେ ପ୍ରପର୍ଟି ଡେଭେଲପର୍ ଦେଶର ସବୁଠାରୁ ବଡ଼ ଅନ୍ଲାଇନ୍ ସେଲ୍ ପ୍ଲାଟ୍ଫର୍ମରେ ଫ୍ଲାଟ୍ର ଶାଗ ମାଛ ଦର ରଖି ନିଲାମ ଡାକିଥିଲେ। ନିଲାମରେ ୧୬୭୭ ଜଣ ଲୋକ ଅଂଶଗ୍ରହଣ କରିଥିବାବେଳେ ଶେଷରେ ଜଣେ ବ୍ୟକ୍ତି ମାତ୍ର ୧୩.୩ ୟୁଆନ୍, ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୧୫୫ ଟଙ୍କାରେ ବାଜି ମାରିନେଇଥିଲେ।
ସବୁଠାରୁ ବଡ଼ କଥା ହେଉଛି, ଫ୍ଲାଟ୍ରେ ସମସ୍ତ ଦରକାରୀ ଆସବାବପତ୍ର ମଧ୍ୟ ସଜ୍ଜିତ ହୋଇ ରହିଛି। ଏହାକୁ ନିଲାମରେ ଜିତିଥିବା ବ୍ୟକ୍ତିଜଣକ କହିଛନ୍ତି ଯେ, ସେ ଏହି ଆପାର୍ଟମେଣ୍ଟ୍ ଜିତିବେ ବୋଲି ଆଶା କରି ନଥିଲେ। ସେ ଏହାକୁ ବେଳେବେଳେ ଶୀତକାଳୀନ ଛୁଟି କାଟିବା ଲାଗି ବ୍ୟବହାର କରିବାକୁ ଚାହାନ୍ତି। ରିପୋର୍ଟ ଅନୁସାରେ, ସେ ମାତ୍ର ୧୫୫ ଟଙ୍କାରେ ନିଲାମ ଜିତିଥିଲେ ବି ମାଲିକାନା ହସ୍ତାନ୍ତର ଆଦି ପାଇଁ ତାଙ୍କୁ ପ୍ରାୟ ୨୦୦୦ ୟୁଆନ୍ (ପ୍ରାୟ ୨୮,୦୦୦ ଟଙ୍କା) ଚୁକ୍ତିନାମା ପ୍ରସ୍ତୁତି ଲାଗି ଦେବାକୁ ପଡ଼ିବ।
ସୌଜନ୍ୟ ସମ୍ବାଦ




