ଦେଶ ବିଦେଶ

Sabarmati Express Fire: ସାବରମତୀ ଏକ୍ସପ୍ରେସ୍‌ ଅଗ୍ନିକାଣ୍ଡ ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ଥିଲା: ପୂର୍ବତନ ସିବିଆଇ ମୁଖ୍ୟ

୨୦୦୨ ମସିହାର ଗୋଧ୍ରା ସାବରମତୀ ଏକ୍ସପ୍ରେସ୍‌ ଅଗ୍ନିକାଣ୍ଡ ଏକ ପୂର୍ବ ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ଥିଲା। ଭାରତକୁ ଅସ୍ଥିର କରିବା ଓ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୀମାପାରରୁ ଏହି ଷଡ଼୍‌ଯନ୍ତ୍ର ରଚାଯାଇଥିଲା।

ବେଙ୍ଗାଲୁରୁ: ୨୦୦୨ ମସିହାର ଗୋଧ୍ରା ସାବରମତୀ ଏକ୍ସପ୍ରେସ୍‌ ଅଗ୍ନିକାଣ୍ଡ ଏକ ପୂର୍ବ ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ଥିଲା। ଭାରତକୁ ଅସ୍ଥିର କରିବା ଓ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୀମାପାରରୁ ଏହି ଷଡ଼୍‌ଯନ୍ତ୍ର ରଚାଯାଇଥିଲା। ଏହାର ବିସ୍ତୃତ ତଦନ୍ତ ହେବା ସହ ଅଦାଲତ ମଧ୍ୟ ଦୋଷୀଙ୍କୁ ଦଣ୍ଡିତ କରିଛନ୍ତି ବୋଲି କହିଛନ୍ତି ପୂର୍ବତନ ସିବିଆଇ ନିର୍ଦ୍ଦେଶକ ରାକେଶ ଅସ୍ଥାନା। କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ତାଙ୍କ ଆତ୍ମଜୀବନୀରେ ଏହି ଅଗ୍ନିକାଣ୍ଡର କାରଣ ବିବାଦୀୟ ବୋଲି ଲେଖିବା ପରେ ଅସ୍ଥାନା ଏହାର ଜବାବ ଦେଇଛନ୍ତି।

ଶନିବାର ଗଣମାଧ୍ୟମକୁ ଏକ ସାକ୍ଷାତ୍‌କାର ଦେଇ ଅସ୍ଥାନା କହିଛନ୍ତି, ଗୋଧ୍ରାକୁ ଏହି ଷଡ଼୍‌ଯନ୍ତ୍ର ପାଇଁ ଚୟନ କରାଯାଇଥିଲା। ଏହି ଅଞ୍ଚଳର ପୂର୍ବ ସାମ୍ପ୍ରଦାୟିକ ଇତିହାସ ଓ କରାଚୀର ନିକଟତାକୁ ଷଡ଼୍‌ଯନ୍ତ୍ରକାରୀମାନେ ବିଚାରକୁ ନେଇଥିଲେ। ସେହି ସମୟରେ ଗୁଇନ୍ଦା ସଂସ୍ଥା ର’ ଓ ଆଇବି ପକ୍ଷରୁ ସୀମାପାର ଷଡ଼୍‌ଯନ୍ତ୍ର ସମ୍ପର୍କରେ ସତର୍କ ସୂଚନା ମିଳିଥିଲା। ଗୁଜରାଟ ସମେତ ସମଗ୍ର ଦେଶକୁ ସତର୍କ ରଖାଯାଇଥିଲା ବୋଲି ସେ କହିଛନ୍ତି।

ଅସ୍ଥାନା ସେତେବେଳେ ଗୁଜରାଟ ପୁଲିସର ଅପରାଧ ତଦନ୍ତ ବିଭାଗର ଡିଆଇଜି ଥିଲେ। ସାବରମତୀ ଏକ୍ସପ୍ରେସ୍‌ ଅଗ୍ନିକାଣ୍ଡ ଓ ପରବର୍ତ୍ତୀ ଗୋଧ୍ରା ଦଙ୍ଗାର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି)ର ନେତୃତ୍ୱ ତାଙ୍କୁ ଦିଆଯାଇଥିଲା। ତାଙ୍କ ଅନୁଯାୟୀ, ସୁପ୍ରିମ୍‌କୋର୍ଟଙ୍କ ଦ୍ବାରା ଗଠିତ ଡକ୍ଟର ଆର୍‌.କେ. ରାଘବନ୍‌ଙ୍କ ନେତୃତ୍ୱାଧୀନ ଏସ୍‌ଆଇଟି ଗୁଜରାଟ ଏସ୍‌ଆଇଟିର ତଦନ୍ତରେ କୌଣସି ତ୍ରୁଟି ପାଇନଥିଲା। ନାନାବତୀ କମିସନ ମଧ୍ୟ ଅନୁରୂପ ନିଷ୍କର୍ଷରେ ପହଞ୍ଚିଥିଲେ ବୋଲି ସେ ଦାବି କରିଛନ୍ତି।

ତଦନ୍ତରେ ଟ୍ରେନ୍‌ର ଏସ୍‌-୬ ବଗିକୁ ଉଦ୍ଦେଶ୍ୟମୂଳକ ଭାବେ ନିଆଁ ଲଗାଯାଇଥିବା ଏବଂ ଏଥିପାଇଁ ଜ୍ୱଳନଶୀଳ ପଦାର୍ଥ ବ୍ୟବହାର ହୋଇଥିବା ପ୍ରମାଣ ମିଳିଥିଲା ବୋଲି ଅସ୍ଥାନା କହିଛନ୍ତି। ତାଙ୍କ ମତରେ, ଘଟଣାର ପୂର୍ବ ରାତିରେ ଅମନ୍‌ ଲଜ୍‌ରେ ଷଡ଼୍‌ଯନ୍ତ୍ର ରଚାଯାଇଥିଲା। ଫରେନ୍ସିକ୍‌ ରିପୋର୍ଟ ଓ ସାକ୍ଷୀଙ୍କ ବୟାନ ଆଧାରରେ ନିମ୍ନ ଅଦାଲତ ଦୋଷୀଙ୍କୁ ଦଣ୍ଡିତ କରିଥିଲେ ଏବଂ ହାଇକୋର୍ଟ ମଧ୍ୟ ଦଣ୍ଡାଦେଶକୁ କାଏମ ରଖିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୦୨ ଫେବ୍ରୁଆରି ୨୭ରେ ଗୋଧ୍ରା ଷ୍ଟେସନ୍‌ ନିକଟରେ ସାବରମତୀ ଏକ୍ସପ୍ରେସ୍‌ର ଏସ୍‌-୬ ବଗିରେ ନିଆଁ ଲାଗି ୫୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଗୁଜରାଟର ବିଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଦଙ୍ଗା ଘଟିଥିଲା। ଏହି ମାମଲାରେ ଅଦାଲତଙ୍କ ରାୟ ଓ ଅଭିଯୁକ୍ତଙ୍କ ଦଣ୍ଡାଦେଶ ସତ୍ତ୍ୱେ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଏବେ ନୂଆ ବିବାଦ ସୃଷ୍ଟି ହୋଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button