Indonesia Navy: ଚୀନ୍ରୁ ବାଂଲାଦେଶ ଯାଉଥିବା ୪୦୫ ଟନ୍ ବିସ୍ଫୋରକ ଜବତ କଲା ଇଣ୍ଡୋନେସିଆ ନୌସେନା: ତିଆରି ହୋଇପାରିବ ୧୦୦ କ୍ଷେପଣାସ୍ତ୍ର
ଇଣ୍ଡୋନେସିଆ ନୌସେନା ବାଂଲାଦେଶର ମୋଙ୍ଗଲା ବନ୍ଦରକୁ ଯାଉଥିବା ଏକ ଚୀନ୍ ଜାହାଜକୁ ଜବତ କରିଛି। ପ୍ରାୟ ଦୁଇ ସପ୍ତାହ ପୂର୍ବେ ଏହାକୁ ଇଣ୍ଡୋନେସିଆର ବେଲାୱାନ୍ ଉପକୂଳ ଜଳସୀମାରେ ଅଟକାଯାଇଥିଲା।

ଜାକର୍ତ୍ତା: ଇଣ୍ଡୋନେସିଆ ନୌସେନା ବାଂଲାଦେଶର ମୋଙ୍ଗଲା ବନ୍ଦରକୁ ଯାଉଥିବା ଏକ ଚୀନ୍ ଜାହାଜକୁ ଜବତ କରିଛି। ପ୍ରାୟ ଦୁଇ ସପ୍ତାହ ପୂର୍ବେ ଏହାକୁ ଇଣ୍ଡୋନେସିଆର ବେଲାୱାନ୍ ଉପକୂଳ ଜଳସୀମାରେ ଅଟକାଯାଇଥିଲା। ଜାହାଜଟି ୪୦୫ ଟନ୍ ସୋଡିୟମ୍ ପର୍କ୍ଲୋରେଟ୍ ବିସ୍ଫୋରଣକ ବୋହି ନେଉଥିବାର ଜଣାପଡ଼ିଛି। ଏହା ଶିଳ୍ପ ପ୍ରକ୍ରିୟା ଏବଂ ବିସ୍ଫୋରକରେ ବ୍ୟବହୃତ ଏକ ଶକ୍ତିଶାଳୀ ଅକ୍ସିଡାଇଜିଂ ରାସାୟନିକ ପଦାର୍ଥ।
ରକେଟ୍ ପ୍ରୋପେଲାଣ୍ଟ ଏବଂ ବିସ୍ଫୋରକ-ଟିପ୍ଡ୍ ମିସାଇଲ୍ ଉତ୍ପାଦନ ପାଇଁ ସୋଡିୟମ୍ ପର୍କ୍ଲୋରେଟ୍ ବ୍ୟବହାର କରାଯାଇଥାଏ। ଜାହାଜରେ ଲୋଡ୍ ହୋଇଥିବା ସୋଡିୟମ୍ ପର୍କ୍ଲୋରେଟ୍ରୁ ୧୦୦ କ୍ଷେପଣାସ୍ତ୍ର ତିଆରି କରାଯାଇ ପାରିବ। ଏହି ଖବର ନେଇ ଭାରତ ଚିନ୍ତା ବୃଦ୍ଧି ପାଇଛି। ବାଂଲାଦେଶରେ ଚୀନ୍ କ’ଣ କରିବାକୁ ଚେଷ୍ଟା କରୁଛି ସେ ବିଷୟରେ ପ୍ରଶ୍ନ ଉଠିବାରେ ଲାଗିଛି। ଏତେ ପରିମାଣର ବିସ୍ଫୋରକ ପଠାଇବା ପଛରେ ଭାରତରେ ତଥା ବିଶେଷକରି ଉତ୍ତର-ପୂର୍ବ ଭାରତରେ ଅଶାନ୍ତି ସୃଷ୍ଟି କରିବାର ଉଦ୍ଦେଶ୍ୟ ଅଛି କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି।
ଗତ ୧୫ ଦିନ ଧରି ବେଲାୱାନରେ ଫସି ରହିଛି ଜାହାଜ
ଇଣ୍ଡୋନେସିଆର ନ୍ୟୁଜ୍ ପୋର୍ଟାଲ୍ ୱାସପାଡା ଆଇଡି ରିପୋର୍ଟ କରିଛି ଯେ, କୋମୋରୋସ୍-ପତାକାଯୁକ୍ତ ଜାହାଜ ଏମଭି ଷ୍ଟାର ଲାଇନ ନଭେମ୍ବର ୭ ତାରିଖରେ ଚୀନ୍ରୁ ବାଂଲାଦେଶ ଯାଉଥିବା ସମୟରେ ଦେଶର ନୌସେନା ଦ୍ୱାରା ଅଟକ ରଖାଯାଇଥିଲା। ଏହା ଗତ ୧୫ ଦିନ ଧରି ବେଲାୱାନରେ ଫସି ରହିଛି। ସୋଡିୟମ୍ ପର୍କ୍ଲୋରେଟ୍ ସହିତ ଏଥିରେ ପ୍ରାୟ ୪୦ ଲକ୍ଷ ସିମ୍ କାର୍ଡ ରହିଛି। ଜାହାଜଟି ସେପ୍ଟେମ୍ବର ୧୨ ତାରିଖରେ ଚୀନ୍ର ଲିଆନୟୁଙ୍ଗାଙ୍ଗରୁ ଯାତ୍ରା ଆରମ୍ଭ କରିଥିଲା। ଇଣ୍ଡୋନେସିଆ ନୌସେନା ଏହାକୁ ବେଲାୱାନ ନିକଟରେ ଅଟକାଇ ପରେ ଉତ୍ତର ସୁମାତ୍ରାର ମେଡାନ ଜିଲ୍ଲାର ଏକ ବନ୍ଦରକୁ ଟାଣି ନେଇଥିଲା। ବେଲାୱାନ ସୁମାତ୍ରାର ଉତ୍ତର-ପୂର୍ବ ଉପକୂଳରେ ମାଲାକା ପ୍ରଣାଳୀ ନିକଟରେ ଅବସ୍ଥିତ।
ମୋଙ୍ଗଲା ବନ୍ଦରରେ ସୋଡିୟମ ପର୍କ୍ଲୋରେଟ ଏବଂ ସିମ କାର୍ଡର ଏହି ସିପମେଣ୍ଟ୍ କାହାକୁ ବିତରଣ କରାଯିବାକୁ ଥିଲା ତାହା ଜଣା ପଡ଼ିନାହିଁ। ଅଟକାଇବା ପରେ ଜଣାପଡିଥିଲା ଯେ, ଷ୍ଟାର ଲାଇନ ଜାହାଜଟି ଇନ୍ଧନ ଭର୍ତ୍ତି କରିବା ପାଇଁ ବେଲାୱାନ ବନ୍ଦରରେ ଅଟକିଥିଲା। ଜାହାଜର ଏକ ସମ୍ପୂର୍ଣ୍ଣ ଯାଞ୍ଚ୍ ପରେ ଏଥିରେ ଥିବା ସମସ୍ତ ୩୬ କଣ୍ଟେନରକୁ ଜବତ କରାଯାଇଥିଲା। ଏହି କଣ୍ଟେନର ମଧ୍ୟରୁ ୧୫ଟିରେ ସୋଡିୟମ୍ ପର୍କ୍ଲୋରେଟ୍ ଥିଲା। ଗୋଟିଏ ଜାହାଜରେ ଲକ୍ଷ ଲକ୍ଷ ଖାଲି ୪ଜି ଏଲଟିଇ ସିମ୍ କାର୍ଡ ମିଳିବା ତଦନ୍ତକୁ ଏକ ନୂଆ ମୋଡ଼ ଦେଇଛି। ଏତେ ପରିମାଣର ଶିଳ୍ପ ରାସାୟନିକ ପଦାର୍ଥ ଏବଂ ଲକ୍ଷ ଲକ୍ଷ ଟେଲିକମ୍ ସିମ୍ କାର୍ଡର ଏକକାଳୀନ ପରିବହନର ବାଣିଜ୍ୟିକ ଉଦ୍ଦେଶ୍ୟ, ଏହାର ମାଲିକାନା ଏବଂ ଏହାର ଉଦ୍ଦିଷ୍ଟ ବଣ୍ଟନ ଉପରେ ପ୍ରଶ୍ନ ଉଠାଇଛି।
ସୌଜନ୍ୟ ସମ୍ବାଦ




