Flights delayed: ଆମେରିକାରେ ୧୦ ଦିନ ମଧ୍ୟରେ ଦ୍ୱିତୀୟ ଯାନ୍ତ୍ରିକ ତ୍ରୁଟି: ଡେଲ୍ଟା ଏୟାରଲାଇନ୍ସର ୩,୫୦୦ ବିମାନ ଉଡ଼ାଣ ବିଳମ୍ବ
ଆମେରିକାର ବିମାନ ସେବାରେ ପୁଣି ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଡେଲ୍ଟା ଏୟାର ଲାଇନ୍ସରେ କେତେକ ସମସ୍ୟା ଯୋଗୁଁ ହଜାର ହଜାର ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏୟାରଲାଇନ୍ସର ଗୋଟିଏ କମ୍ପ୍ୟୁଟର ସିଷ୍ଟମ କାମ କରିବା...

ୱାସିଂଟନ: ଆମେରିକାର ବିମାନ ସେବାରେ ପୁଣି ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଡେଲ୍ଟା ଏୟାର ଲାଇନ୍ସରେ କେତେକ ସମସ୍ୟା ଯୋଗୁଁ ହଜାର ହଜାର ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏୟାରଲାଇନ୍ସର ଗୋଟିଏ କମ୍ପ୍ୟୁଟର ସିଷ୍ଟମ କାମ କରିବା ବନ୍ଦ କରିବାରୁ ଆମେରିକାର ଅନେକ ବିମାନବନ୍ଦରରେ ୩,୫୦୦ ଉଡ଼ାଣ ବିଳମ୍ବିତ ହୋଇଛି। ଏହି ସମସ୍ୟା ଯୋଗୁଁ ବିମାନଗୁଡ଼ିକର ଉଡ଼ାଣ ପୂର୍ବରୁ ଆବଶ୍ୟକୀୟ ଗଣନା ମାନୁଆଲୀ କରାଯାଇଥିଲା। ବିମାନର ଓଜନ ଏବଂ ସନ୍ତୁଳନ ନିର୍ଣ୍ଣୟ କରୁଥିବା ଏୟାରଲାଇନ୍ସର ସିଷ୍ଟମରେ ଏହି ତ୍ରୁଟି ଦେଖାଦେଇଥିଲା।
ଏହି ସିଷ୍ଟମ ଯାତ୍ରୀ, ଲଗେଜ, ଇନ୍ଧନ ଏବଂ ଅନ୍ୟାନ୍ୟ କାର୍ଗୋର ମୋଟ ଓଜନ ମାପ କରିବା ସହିତ ଓଜନ ସଠିକ୍ ଭାବରେ ବଣ୍ଟନ ହୋଇଛି କି ନାହିଁ ତାହା ମଧ୍ୟ ନିରୀକ୍ଷଣ କରିଥାଏ।୧୦ ଦିନ ମଧ୍ୟରେ ବିମାନ ସେବା କ୍ଷେତ୍ରରେ ଏହା ଦ୍ୱିତୀୟ ଯାନ୍ତ୍ରିକ ତ୍ରୁଟି। ପୂର୍ବରୁ ନଭେମ୍ବର ୧୩ ତାରିଖରେ ଏଭଳି ସ୍ଥିତି ଉପୁଜିଥିଲା। ଫଳରେ ଆମେରିକାର ଫେଡେରାଲ୍ ଏଭିଏସନ୍ ପ୍ରଶାସନ (ଏଫଏଏ) ସିଷ୍ଟମ୍ ପ୍ରାୟ ପାଞ୍ଚ ଘଣ୍ଟା ପାଇଁ ଦେଶବ୍ୟାପୀ ବିମାନ ଚଳାଚଳ ବନ୍ଦ କରିଥିଲା। ଏହି ସମୟ ମଧ୍ୟରେ ୧୮,୦୦୦ ରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ ହୋଇଥିଲା। ତେବେ ଡେଲ୍ଟା ଏୟାରଲାଇନ୍ସ କିମ୍ବା ଏଫଏଏ ସିଷ୍ଟମ୍ର ଯାନ୍ତ୍ରିକ ତ୍ରୁଟିରେ କୌଣସି ସାଇବର ଆକ୍ରମଣ ଚିହ୍ନଟ ହୋଇନାହିଁ।
ଏହି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆଟଲାଣ୍ଟାର ହାର୍ଟସଫିଲ୍ଡ-ଜ୍ୟାକସନ ଆନ୍ତର୍ଜାତୀୟ ବିମାନବନ୍ଦର ଏବଂ ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦର ସମେତ ଅନେକ ପ୍ରମୁଖ ଆମେରିକୀୟ ବିମାନବନ୍ଦରକୁ ପ୍ରଭାବିତ କରିଥିଲା। ଆମେରିକାର ଫେଡେରାଲ୍ ଏଭିଏସନ୍ ପ୍ରଶାସନ ପ୍ରାୟ ଗୋଟିଏ ଘଣ୍ଟା ପାଇଁ ଆଟଲାଣ୍ଟାକୁ ଏବଂ ସେଠାରୁ ବିମାନ ଚଳାଚଳ ବନ୍ଦ କରିଥିଲା। ଏହି ସମୟ ମଧ୍ୟରେ ବିମାନଗୁଡ଼ିକୁ ଆଟଲାଣ୍ଟାକୁ ପ୍ରସ୍ଥାନ କିମ୍ବା ପହଞ୍ଚିବାକୁ ଅନୁମତି ଦିଆ ଯାଇନଥିଲା। ପରେ ଏହି ବନ୍ଦକୁ ପ୍ରତ୍ୟାହାର କରାଯାଇଥିଲା, କିନ୍ତୁ ବିମାନ ଉଡ଼ାଣ ବିଳମ୍ବ ଜାରି ରହିଥିଲା। ଡେଲ୍ଟା ଏୟାରଲାଇନ୍ସ କହିଛି ଯେ, କମ୍ପ୍ୟୁଟର ସିଷ୍ଟମ ଠିକ୍ ନହେବା ପର୍ଯ୍ୟନ୍ତ ଏହାର କର୍ମଚାରୀମାନେ ମାନୁଆଲି ଓଜନ ଏବଂ ସନ୍ତୁଳନ ଗଣନା କରୁଥିଲେ। କମ୍ପାନିର ବୈଷୟିକ କର୍ମଚାରୀ ସିଷ୍ଟମ ମରାମତି ପାଇଁ କାମ କରିବା ପରେ ଏୟାରଲାଇନ୍ସ ରିପୋର୍ଟ କରିଥିଲା ଯେ, ସିଷ୍ଟମ ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି।
୫,୦୦୦ ଉଡ଼ାଣ ସ୍ଥିର
ଡେଲ୍ଟା ଏୟାରଲାଇନ୍ସ ଅନୁଯାୟୀ, ୫,୦୦୦ ଉଡ଼ାଣ ସ୍ଥିର କରାଯାଇଥିଲା। ଯେଉଁଥିରେ ଏହାର ନିଜସ୍ୱ ଏବଂ ଡେଲ୍ଟା କନେକ୍ସନ ଉଡ଼ାଣ ମଧ୍ୟ ସାମିଲ ଥିଲା। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ଆୱେରର ତଥ୍ୟ ଅନୁଯାୟୀ, ପ୍ରାୟ ୭୦% ଉଡ଼ାଣ ବିଳମ୍ବ ଏବଂ ବାତିଲକରଣ ଏହି ଯାନ୍ତ୍ରିକ ସମସ୍ୟା ସହିତ ଜଡିତ ଥିଲା। ଅବଶିଷ୍ଟ ଉଡ଼ାଣଗୁଡ଼ିକ ନ୍ୟୁୟର୍କ ସମେତ ଉତ୍ତର-ପୂର୍ବ ଆମେରିକାରେ ଖରାପ ପାଗ ଏବଂ ବିମାନ ଟ୍ରାଫିକ୍ ସମସ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା। ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନ କମ୍ପାନି ଯାତ୍ରୀମାନଙ୍କୁ କ୍ଷମା ମାଗିଛି। ପ୍ରଭାବିତ ଯାତ୍ରୀମାନଙ୍କୁ ପରବର୍ତ୍ତୀ ଉପଲବ୍ଧ ବିମାନରେ ସ୍ଥାନ ଦିଆଯାଇଥିଲା। ଆବଶ୍ୟକ କ୍ଷେତ୍ରରେ ଖାଦ୍ୟ ଏବଂ ହୋଟେଲରେ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଯେଉଁ ଯାତ୍ରୀମାନଙ୍କର ବିମାନ ବାତିଲ ହୋଇଥିଲା ଏବଂ ସେମାନେ ଆଉ ଯାତ୍ରା କରିବାକୁ ଚାହୁଁ ନଥିଲେ ସେମାନଙ୍କୁ ଟିକେଟ୍ ଫେରସ୍ତ ପ୍ରଦାନ କରାଯାଇଥିଲା।
ଡେଲ୍ଟା ବିମାନ ପ୍ରଭାବିତ
ଏଫଏଏ ସ୍ପଷ୍ଟ କରିଛି ଯେ, ଏହି ସମସ୍ୟା କେବଳ ଡେଲ୍ଟା ଏୟାରଲାଇନ୍ସର ସିଷ୍ଟମରେ ସୀମିତ ରହିଛି। ସରକାରଙ୍କ ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ସିଷ୍ଟମ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଆଟଲାଣ୍ଟା ବିମାନବନ୍ଦର ଏହା ମଧ୍ୟ କହିଛି ଯେ,ଉଡ଼ାଣ ବିଳମ୍ବ କେବଳ ଡେଲ୍ଟା ବିମାନଗୁଡ଼ିକୁ ପ୍ରଭାବିତ କରିଛି। ସାମଗ୍ରିକ ଭାବରେ ବିମାନବନ୍ଦର କାର୍ଯ୍ୟକୁ ପ୍ରଭାବିତ କରିନାହିଁ।
ସୌଜନ୍ୟ ସମ୍ବାଦ




