Telling the truth: ସତ କହୁଛି: ହେ ରାଜନ, ଆପଣ ଉଲଗ୍ନ କାହିଁକି?
ଥରେ ଚୀନର ଜଣେ ନାଗରିକ ତାଙ୍କ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଲେ। ତାଙ୍କୁ ପ୍ରଶ୍ନ କରାଗଲା, “ଆପଣ ଚୀନ ଛାଡ଼ିବାକୁ କାହିଁକି ଚାହୁଛନ୍ତି? ଆପଣ କ’ଣ ଚୀନ ଦେଶରେ ସନ୍ତୁଷ୍ଟ ନାହାନ୍ତି।” ସେ ଉତ୍ତର ଦେଇ କହିଲେ, “ମୁଁ ଅତ୍ୟନ୍ତ ସନ୍ତୁଷ୍ଟ।”

ଶ୍ୟାମସୁନ୍ଦର ଅଗ୍ରୱାଲା
ଥରେ ଚୀନର ଜଣେ ନାଗରିକ ତାଙ୍କ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଲେ। ତାଙ୍କୁ ପ୍ରଶ୍ନ କରାଗଲା, “ଆପଣ ଚୀନ ଛାଡ଼ିବାକୁ କାହିଁକି ଚାହୁଛନ୍ତି? ଆପଣ କ’ଣ ଚୀନ ଦେଶରେ ସନ୍ତୁଷ୍ଟ ନାହାନ୍ତି।” ସେ ଉତ୍ତର ଦେଇ କହିଲେ, “ମୁଁ ଅତ୍ୟନ୍ତ ସନ୍ତୁଷ୍ଟ।”
“ଆପଣ କ’ଣ ଚୀନରେ କୌଣସି ଅଭାବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି?” “ନା, ମୋ’ର ଏଠି କୌଣସି ଅଭାବ କି ଅସୁବିଧା ନାହିଁ।” “ଯଦି ଆପଣ ସନ୍ତୁଷ୍ଟ ଅଛନ୍ତି ଆଉ ଆପଣଙ୍କର କିଛି ଅଭାବ ନାହିଁ କି ଅସୁବିଧା ନାହିଁ ତେବେ ଚୀନ ଛାଡ଼ି ଯାଉଛନ୍ତି କାହିଁକି?” ସେ କହିଲେ, “କାରଣ ଯେତେ ସନ୍ତୁଷ୍ଟ ହେଲେ ବି ଅନ୍ୟ ଦେଶରେ ମୋତେ ଅସନ୍ତୁଷ୍ଟ ହେବାକୁ ଯେଉଁ ଅଧିକାର ଦିଆଯାଇଛି ତାହା ଚୀନ ଦେଶରେ ନାହିଁ।”
ବନ୍ଧୁଗଣ, ଅସନ୍ତୁଷ୍ଟ ହେବା ମନୁଷ୍ୟର ଏକ ଜନ୍ମଗତ ଅଧିକାର। ଏହି ଅଧିକାରରୁ ସୃଷ୍ଟି ହୁଏ ‘ପ୍ରଶ୍ନ’, ଯାହା ମନୁଷ୍ୟ ଯେତେବେଳେ ଯାହାକୁ ଚାହିବ ବିନା ଦ୍ୱିଧାରେ ପଚାରିପାରିବ। ଆପଣ ମୋତେ କହିପାରିବେ ନାହିଁ- “ଆପଣ ଚୁପ୍ଚାପ୍ କେବଳ ମୋ କଥା ଶୁଣନ୍ତୁ ଆଉ ପ୍ରଶ୍ନ କରନ୍ତୁ ନାହିଁ।” ଆପଣ ହୁଏତ ସର୍ବଜନବିଦିତ ଓ ପ୍ରମାଣିତ ସତ କଥା କହୁଥିବେ କିନ୍ତୁ ଆପଣଙ୍କର ଏହି ସତ୍ୟ ବଚନ ମୋର ପ୍ରଶ୍ନ କହିବାର ଅଧିକାରକୁ ଛଡ଼େଇ ନେଇ ପାରିବ ନାହିଁ। ମୁଁ ହୁଏତ ଅତ୍ୟନ୍ତ ଅବାନ୍ତର କଥା କହୁଥିବି ଯାହାକୁ ଆପଣ ଗ୍ରହଣ ନ କରିପାରନ୍ତି, କିନ୍ତୁ ମୋର ଏ କଥା କହିବାର ଅଧିକାରକୁ ଆପଣ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ଏଥିପାଇଁ ଥରେ ଫରାସୀ ଦାର୍ଶନିକ ଭୋଲଟେୟର କହିଥିଲେ, “ମୁଁ ଆପଣଙ୍କ ମତକୁ ସ୍ୱୀକାର ନ କରିପାରେ କିନ୍ତୁ ଆପଣଙ୍କର ଏହି ମତାମତ ପ୍ରକାଶର ଅଧିକାର ପାଇଁ ମୁଁ ଜୀବନ ଥିବା ପର୍ଯ୍ୟନ୍ତ ଲଢ଼ିବି।”
ନିଉଟନଙ୍କ ମୁଣ୍ଡ ଉପରେ ଆତଟିଏ ପଡ଼ିଲା। ଏହା ସ୍ୱାଭାବିକ ଥିଲା। ସେ ଯଦି କାହାକୁ ପଚାରିଥାନ୍ତେ, “ଆଜ୍ଞା, ଟିକିଏ କହିବେ କି? ମୁଁ ଗଛ ମୂଳେ ବସିଥିଲି। ଗଛରୁ ଆତଟିଏ ଝଡ଼ି ମୋ ମୁଣ୍ଡ ଉପରେ ପଡ଼ିଲା କାହିଁକି?” ସେହି ଲୋକଟି ନିଉଟନଙ୍କୁ ନିଶ୍ଚୟ ପାଗଳ ଆଖ୍ୟା ଦେଇଥାନ୍ତା ଆଉ କହିଥାନ୍ତା, “ଆପଣ ଏମତି ଅବାନ୍ତର ପ୍ରଶ୍ନ କ’ଣ ପଚାରୁଛନ୍ତି? ଆତଟି ତଳକୁ ପଡ଼ି ନଥାନ୍ତା ଆଉ କ’ଣ ଉପରକୁ ଯାଇଥାନ୍ତା?” ବନ୍ଧୁଗଣ, ଏହିପରି ଅବାନ୍ତର ପ୍ରଶ୍ନ ଯଦି ନିଉଟନ ପଚାରି ନଥାନ୍ତେ ତେବେ ମାଧ୍ୟାକର୍ଷଣ ଶକ୍ତିର ଆବିଷ୍କାର ହୋଇଥାନ୍ତା କି?
ସୂର୍ଯ୍ୟ ସ୍ଥିର ଓ ପୃଥିବୀ ଘୂର୍ଣ୍ଣାୟମାନ ବୋଲି କହି କୋପରନିକସ ବାସନ୍ଦ ହୋଇଥିଲେ ଓ ଗାଲିଲିଓ ଆଜୀବନ କାରାଦଣ୍ଡ ଭୋଗ କରିଥିଲେ। ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ଏମାନଙ୍କର ଏହି କଥା ଅତ୍ୟନ୍ତ ମିଥ୍ୟା ଓ ଅବାନ୍ତର ଲାଗୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ସତ୍ୟ ପ୍ରମାଣିତ ହେଲା ଏବଂ ଯେଉଁ ଧର୍ମାନୁଷ୍ଠାନମାନେ ଏମାନଙ୍କୁ ବାସନ୍ଦ କରିଥିଲେ ଓ ଦଣ୍ଡ ଦେଇଥିଲେ ଶେଷକୁ ସେମାନେ ତାଙ୍କର ଭୁଲ୍ ପାଇଁ ପ୍ରାୟଶ୍ଚିତ୍ତ କରି କ୍ଷମାପ୍ରାର୍ଥନା କରିଥିଲେ। ତେଣୁ ସର୍ବଦା ତଥାକଥିତ ସତ୍ୟ ଉପରେ ପ୍ରଶ୍ନବାଚୀ ରହିବା ଉଚିତ ଏବଂ ଯେଉଁମାନେ ଏହି ପ୍ରଶ୍ନ ପଚାରୁଛନ୍ତି ସେମାନଙ୍କୁ ବାମପନ୍ଥୀ ଆଖ୍ୟା ଦେଇ କିମ୍ବା ଅଯଥା ଗାଳିଗୁଲଜ କରି ଭର୍ତ୍ସନା କରିବା ଉଚିତ ନୁହେଁ।
ଥରେ ଜଣେ ବ୍ୟକ୍ତି ବୁଦ୍ଧଦେବଙ୍କୁ ଆସି କହିଲେ, “ମହାଶୟ, ମୁଁ ଜଣେ ଆସ୍ତିକ। ଏ ସଂସାରରେ ଭଗବାନ ନିଶ୍ଚୟ ଅଛନ୍ତି।” ବୁଦ୍ଧଦେବ କହିଲେ, “କିଏ କହୁଛି ଭଗବାନ ଅଛନ୍ତି? ଭଗବାନ ବୋଲି କେହି ନାହାନ୍ତି।” ପରେ ପରେ ଅନ୍ୟ ଜଣେ ବ୍ୟକ୍ତି ଆସି କହିଲେ, “ମହାଶୟ ମୁଁ ଜଣେ ନାସ୍ତିକ। ଏ ସଂସାରରେ ଭଗବାନ ଫଗବାନ କେହି ନାହାନ୍ତି।” ବୁଦ୍ଧଦେବ କହିଲେ, “କିଏ କହୁଛି ଭଗବାନ ନାହାନ୍ତି? ଭଗବାନ ଅଛନ୍ତି।” ଏହି ସମୟରେ ବୁଦ୍ଧଙ୍କ ଶିଷ୍ୟ ଆନନ୍ଦ ତାଙ୍କୁ କହିଲେ, “ପ୍ରଭୁ, ଆପଣଙ୍କର ଆଚରଣ ଅତ୍ୟନ୍ତ ରହସ୍ୟମୟ।” ବୁଦ୍ଧଦେବ ଆନନ୍ଦଙ୍କୁ କହିଲେ, “ଶୁଣ ଆନନ୍ଦ, ଯିଏ ଆସ୍ତିକ ସେ ସୁନାର ବନ୍ଧନରେ ବାନ୍ଧିହୋଇ ରହିଛି ଆଉ ଯିଏ ନାସ୍ତିକ ସେ ଲୁହାର ବନ୍ଧନରେ ବାନ୍ଧିହୋଇ ରହିଛି। ଦୁହେଁ ବିଶ୍ୱାସକୁ କେବଳ ଅନ୍ଧ ଭାବରେ ଗ୍ରହଣ କରି ଏହାର ବନ୍ଧନରେ ବାନ୍ଧି ହୋଇ ପଡ଼ିଯାଇଛନ୍ତି। ମୁଁ ତାଙ୍କୁ ସେଥିରୁ ମୁକ୍ତି ଦେଇ, ସେମାନେ ସତ୍ୟର ଅନୁସନ୍ଧାନରେ ବ୍ରତୀ ହୁଅନ୍ତୁ ବୋଲି ଚାହୁଛି। ସେମାନେ ଆହୁରି ପ୍ରଶ୍ନ କରନ୍ତୁ ଓ ଭଗବାନଙ୍କ ଉପରେ ଆହୁରି ଅନୁସନ୍ଧାନ କରନ୍ତୁ।”
ଆଜି ଆମ ଦେଶରେ ସତ୍ୟର ଅନୁସନ୍ଧାନ ତ ଦୂରର କଥା, ପ୍ରଶ୍ନ ମଧ୍ୟ କରିବାକୁ ମଧ୍ୟ କେହି ସାହାସ ଜୁଟେଇ ପାରୁନାହାନ୍ତି। ସମସ୍ତେ ଏଠି ରାଜାଙ୍କର ପ୍ରିୟ ହେବାକୁ ଚାହୁଛନ୍ତି ଏବଂ ରାଜା ଯାହା କହୁଛନ୍ତି ସମସ୍ତେ ତାଙ୍କୁ ତାଳି ମାରି ସମର୍ଥନ କରୁଛନ୍ତି। ରାଜା ଯଦି ରାତି ହୋଇଛି ବୋଲି କହୁଛନ୍ତି ତେବେ ସମସ୍ତେ ସକାଳୁ ସକାଳୁ ମଧ୍ୟ ରାତିର ଅନ୍ଧକାରରେ ଡୁବି ଯାଉଛନ୍ତି। ରାଜା ଯଦି ନିବସ୍ତ୍ର ସହର ପରିକ୍ରମା କରୁଛନ୍ତି ତେବେ କେହି ଜଣେ ମଧ୍ୟ ପ୍ରଶ୍ନ କରୁନାହାନ୍ତି, “ହେ ରାଜନ, ଆପଣ ଉଲଗ୍ନ କାହିଁକି?”
ଆପଣ ସଂବାଳୁଆ ପୋକ ଦେଖିଛନ୍ତି। ଗୋଟିଏ ପ୍ରଜାତିର ସଂବାଳୁଆମାନେ ସର୍ବଦା ଧାଡ଼ିବାନ୍ଧି ଚାଲିଥାନ୍ତି। ଆଗରେ ଥିବା ସଂବାଳୁଆଟି ଚାଲିଲାବେଳେ ନିଜ ଦେହରୁ ଏକ ଗନ୍ଧ ଛାଡ଼ିଥାଏ। ପଛରେ ଥିବା ସମସ୍ତେ ସେ ଗନ୍ଧକୁ ବାରି ପୂର୍ବ ସଂବାଳୁଆର ଲାଞ୍ଜ ସହିତ ମୁଣ୍ଡ ଲଗେଇ ଧାଡ଼ିବାନ୍ଧି ଚାଲିଥାନ୍ତି। ଏହି ଅନୁସରଣ ଏତେ ଦୃଢ଼ ଯେ ଯିଏ ଯେତେ ଅସନ୍ତୁଷ୍ଟ ହେଲେ ମଧ୍ୟ ପ୍ରଶ୍ନ କରି ନଥାନ୍ତି କି ଧାଡ଼ି ଆଦୌ ଭାଙ୍ଗିକି ଚାଲି ନଥାନ୍ତି। ଏହାର ଉଦାହରଣ ଦେଇ ଦାର୍ଶନିକମାନେ କୁହନ୍ତି ଯେ, ଯଦି ଆଖି ବୁଜି ଅନୁସରଣ କରିବେ ତେବେ ନିକଟରେ ଥିବା ସତ୍ୟ ଓ ଖାଦ୍ୟକୁ ମଧ୍ୟ ଆପଣ ଦେଖିପାରିବେ ନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭
ସୌଜନ୍ୟ ସମ୍ବାଦ




