ଦେଶ ବିଦେଶ

Elnino: ଏଲ୍‌ନିନୋ ପ୍ରଭାବ: ହିନ୍ଦୁକୁଶ ହିମାଳୟରେ ବନ୍ୟା, ଭୂସ୍ଖଳନ ଓ ତୁଷାରପାତ ଜନିତ ବିପର୍ଯ୍ୟୟ ଆଶଙ୍କା

ଶକ୍ତିଶାଳୀ ଏଲ୍‌ନିନୋ ପ୍ରଭାବରେ ଚଳିତ ଶୀତଋତୁରେ ହିନ୍ଦୁକୁଶ ହିମାଳୟ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଓ ତୁଷାରପାତ ହୋଇପାରେ। ଏହା ଫଳରେ ନେପାଳ ସମେତ ପଶ୍ଚିମ ହିମାଳୟ ଅଞ୍ଚଳରେ ବନ୍ୟା, ଭୂସ୍ଖଳନ ଓ ତୁଷାରପାତ ଭଳି ବିପର୍ଯ୍ୟୟର ଆଶଙ୍କା ବଢ଼ିପାରେ

କାଠମାଣ୍ଡୁ: ଶକ୍ତିଶାଳୀ ଏଲ୍‌ନିନୋ ପ୍ରଭାବରେ ଚଳିତ ଶୀତଋତୁରେ ହିନ୍ଦୁକୁଶ ହିମାଳୟ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଓ ତୁଷାରପାତ ହୋଇପାରେ। ଏହା ଫଳରେ ନେପାଳ ସମେତ ପଶ୍ଚିମ ହିମାଳୟ ଅଞ୍ଚଳରେ ବନ୍ୟା, ଭୂସ୍ଖଳନ ଓ ତୁଷାରପାତ ଭଳି ବିପର୍ଯ୍ୟୟର ଆଶଙ୍କା ବଢ଼ିପାରେ। ହିନ୍ଦୁକୁଶ ହିମାଳୟ ଶୀତକାଳୀନ ପାଣିପାଗ ପୂର୍ବାନୁମାନ-୨୦୨୬ (ଏଚ୍‌କେଏଚ୍‌ ଓ୍ୱିଣ୍ଟର ଆଉଟ୍‌ଲୁକ୍‌) ରିପୋର୍ଟରେ ଏହି ସତର୍କ ସୂଚନା ଦିଆଯାଇଛି।

କାଠମାଣ୍ଡୁସ୍ଥିତ ଅନ୍ତର୍ଜାତୀୟ ସମନ୍ୱିତ ପର୍ବତ ବିକାଶ କେନ୍ଦ୍ର (ଆଇସିଆଇଏମ୍‌ଓଡି), ବେଜିଂ ନର୍ମାଲ୍‌ ବିଶ୍ୱବିଦ୍ୟାଳୟ ଏବଂ ଚୀନ୍‌ର ଏକାଡେମି ଅଫ୍‌ ସାଇନ୍ସେସ୍‌ ଅଧୀନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଟମସ୍ଫିୟରିକ୍‌ ଫିଜିକ୍ସର ଗବେଷକମାନେ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ ନେପାଳ, ଆଫଗାନିସ୍ତାନ ଓ ବାଂଲାଦେଶରେ ସ୍ୱାଭାବିକଠାରୁ ଅଧିକ ବୃଷ୍ଟିପାତ ହେବାର ପୂର୍ବାନୁମାନ କରାଯାଇଛି। ପଶ୍ଚିମ ହିମାଳୟରେ ପ୍ରବଳ ବର୍ଷା ଓ ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ଅଧିକ ତୁଷାରପାତ ଯୋଗୁଁ ସ୍ଥାନୀୟ ବନ୍ୟା, ଭୂସ୍ଖଳନ ଆଦି ଘଟିପାରେ।

ଆମେରିକାର ଜାତୀୟ ମହାସାଗର ଓ ବାୟୁମଣ୍ଡଳ ପ୍ରଶାସନ (ଏନ୍‌ଓଏଏ) ଅନୁଯାୟୀ, ବର୍ତ୍ତମାନ ଶକ୍ତିଶାଳୀରୁ ଅତି ଶକ୍ତିଶାଳୀ ଏଲ୍‌ନିନୋ ସ୍ଥିତି ରହିଛି। ୧୯୫୦ରୁ ରେକର୍ଡ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ଶକ୍ତିଶାଳୀ ଏଲ୍‌ନିନୋ ହେବାର ପ୍ରାୟ ୬୦ ପ୍ରତିଶତ ସମ୍ଭାବନା ଥିବା ଏନ୍‌ଓଏଏ ଆକଳନ କରିଛି। ଏଲ୍‌ନିନୋ ଯୋଗୁଁ ହିମାଳୟର ପାଦଦେଶରେ ଅଧିକ ବର୍ଷା ଓ ଉଚ୍ଚ ଅଞ୍ଚଳରେ ଅଧିକ ତୁଷାରପାତ ହୋଇପାରେ ବୋଲି ଆଇସିଆଇଏମ୍‌ଓଡିର ବୈଜ୍ଞାନିକମାନେ କହିଛନ୍ତି।

ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ, ପାକିସ୍ତାନ, ଉତ୍ତର ଭାରତ ଓ ନେପାଳର କେତେକ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବରଫ ଜମିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଭୁଟାନ ଓ ଚୀନ୍‌ର ପୂର୍ବ ଜିଜାଙ୍ଗ୍‌ ଅଞ୍ଚଳରେ ବରଫର ଗଭୀରତା କମ୍‌ ରହିପାରେ। ହିମାଳୟରେ ଜମୁଥିବା ବରଫ ତରଳିବା ପରେ ନଦୀର ଜଳପ୍ରବାହକୁ ବଜାୟ ରଖିବା ସହ ଜଳସେଚନ, ଜଳବିଦ୍ୟୁତ୍‌ ଉତ୍ପାଦନ ଓ ଝରଣାଗୁଡ଼ିକର ଜଳ ଉପଲବ୍ଧତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ। ତେଣୁ ବରଫର ପରିମାଣ କମିଲେ ଆଗାମୀ ବର୍ଷରେ ଜଳସମ୍ପଦ ଉପରେ ପ୍ରଭାବ ପଡ଼ିପାରେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button