Sheikh Hasina: ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନ ତାରିଖ ନେଇ ବାଂଲାଦେଶ ମନ୍ତ୍ରୀଙ୍କ ଚେତାବନୀ
ବାଂଲାଦେଶରୁ କ୍ଷମତାଚ୍ୟୁତ ହୋଇ ଭାରତରେ ଆଶ୍ରୟ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଦେଶକୁ ଫେରିବାକୁ ହେଲେ ହାତକଡ଼ି ପିନ୍ଧି ଆସିବାକୁ ପଡ଼ିବ। ନଚେତ୍ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଅଣାଯିବ।

ଢାକା: ବାଂଲାଦେଶରୁ କ୍ଷମତାଚ୍ୟୁତ ହୋଇ ଭାରତରେ ଆଶ୍ରୟ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଦେଶକୁ ଫେରିବାକୁ ହେଲେ ହାତକଡ଼ି ପିନ୍ଧି ଆସିବାକୁ ପଡ଼ିବ। ନଚେତ୍ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଅଣାଯିବ। ବାଂଲାଦେଶର ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହୁମାୟୁନ୍ କବୀର ମଙ୍ଗଳବାର ଏଭଳି ମନ୍ତବ୍ୟ ଦେଇଛନ୍ତି। ଡିସେମ୍ବର ୧୬ରେ ଦେଶକୁ ଫେରିବାକୁ ହସିନାଙ୍କ ଯୋଜନାକୁ ସେ ଅବାସ୍ତବ ବୋଲି କହିଛନ୍ତି।
ବାଂଲାଦେଶର ବିଜୟ ଦିବସ ଡିସେମ୍ବର ୧୬ରେ ଫେରିବାକୁ ହସିନା ଇଚ୍ଛା ପ୍ରକାଶ କରିଥିବା ତାଙ୍କ ମୁଖପାତ୍ର ସୟଦ ମୋଜାମ୍ମେଲ ଅଲ୍ଲୀ କହିଛନ୍ତି। ତାଙ୍କୁ ଦିଲ୍ଲୀରୁ ଢାକା ଫେରାଇ ଆଣିବା ପାଇଁ ବାଂଲାଦେଶ ସରକାର ଜାତୀୟ ବିମାନ ସେବା ‘ବିମାନ ବାଂଲାଦେଶ ଏୟାର୍ଲାଇନ୍ସ’ର ବିମାନ ବ୍ୟବସ୍ଥା କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ୨୦୨୪ ଅଗଷ୍ଟ ୫ରେ ହସିନା ବାଂଲାଦେଶରୁ ଭାରତ ଆସିଥିଲେ। ସେତେବେଳେ ତାଙ୍କୁ ବାଂଲାଦେଶର ଏକ ବିମାନରେ ଅଣାଯାଇଥିଲା। ତେଣୁ ଏବେ ତାଙ୍କୁ ଫେରାଇ ନେବାର ଦାୟିତ୍ୱ ସରକାରଙ୍କର ବୋଲି ମୁଖପାତ୍ର ଯୁକ୍ତି ରଖିଛନ୍ତି।
ତେବେ ଏହି ଦାବିକୁ ବାଂଲାଦେଶ ସରକାର ଖାରଜ କରିଦେଇଛନ୍ତି। ଢାକାରେ ବିଦେଶୀ କୂଟନୀତିଜ୍ଞମାନଙ୍କୁ ଦେଶର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଅବଗତ କରାଇବା ପରେ ସାମ୍ବାଦିକଙ୍କୁ ହୁମାୟୁନ୍ କବୀର କହିଥିଲେ, ଇଚ୍ଛା ଓ ବାସ୍ତବତା ଦୁଇଟି ଭିନ୍ନ କଥା। ହସିନା ସାଧାରଣ ଯାତ୍ରୀଙ୍କ ଭଳି ବିମାନରେ ଫେରିପାରିବେ ନାହିଁ। ତାଙ୍କୁ ଭାରତରୁ ପ୍ରତ୍ୟର୍ପଣ ମାଧ୍ୟମରେ ଅଣାଯିବ। ଏହାବ୍ୟତୀତ ତାଙ୍କୁ ହାତକଡ଼ି ପିନ୍ଧାଇ କିମ୍ବା କଡ଼ା ନଜର ରଖି ଫେରାଇ ଅଣାଯିବ ବୋଲି ସେ କହିଛନ୍ତି।
ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲର ମୁଖ୍ୟ ଓକିଲ ମହମ୍ମଦ ଅମିନୁଲ ଇସଲାମ ମଧ୍ୟ ହସିନାଙ୍କ ଦାବିକୁ ସମାଲୋଚନା କରିଛନ୍ତି। ମୃତ୍ୟୁଦଣ୍ଡ ପାଇଥିବା ଜଣେ ଦୋଷୀଙ୍କୁ ଆଣିବା ପାଇଁ ସରକାର ବିମାନ ପଠାଇବା ଅଭୂତପୂର୍ବ ଘଟଣା ହେବ ବୋଲି ସେ କହିଛନ୍ତି। ତେବେ ହସିନା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ ରାୟକୁ ଅସ୍ୱୀକାର କରିଛନ୍ତି। ୨୦୨୪ରେ ଛାତ୍ର ଆନ୍ଦୋଳନ ପରେ ହସିନାଙ୍କ ୧୫ ବର୍ଷ ଶାସନର ଅନ୍ତ ଘଟିଥିଲା। ଆନ୍ଦୋଳନ ସମୟରେ ହୋଇଥିବା ଦମନଲୀଳା ସମ୍ପର୍କିତ ମାନବତା ବିରୋଧୀ ଅପରାଧ ମାମଲାରେ ଗତବର୍ଷ ନଭେମ୍ବରରେ ତାଙ୍କୁ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଜାତିସଂଘର ଆକଳନ ଅନୁସାରେ, ସେହି ଆନ୍ଦୋଳନ ଓ ହିଂସାରେ ପ୍ରାୟ ୧୪୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ହସିନାଙ୍କ ଦଳ ଆୱାମୀ ଲିଗ୍ର କାର୍ଯ୍ୟକଳାପ ଉପରେ ମଧ୍ୟ ବାଂଲାଦେଶରେ କଟକଣା ରହିଛି।
ହସିନାଙ୍କ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ଏବେ ଢାକା ଓ ନୂଆଦିଲ୍ଲୀ ମଧ୍ୟରେ କୂଟନୈତିକ ଚାପ ବଢ଼ାଇଛି। ବାଂଲାଦେଶ ତାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବାକୁ ଦାବି କରୁଥିବାବେଳେ ଭାରତ ସରକାର କହିଛନ୍ତି ଯେ ଏହି ଅନୁରୋଧ ଆଇନଗତ ପ୍ରକ୍ରିୟାରେ ବିଚାରାଧୀନ ରହିଛି। ଏହି ପରିସ୍ଥିତିରେ ଡିସେମ୍ବର ୧୬ରେ ହସିନାଙ୍କ ପ୍ରତ୍ୟାବର୍ତ୍ତନ ହେବ କି ନାହିଁ, ତାହା ଅନିଶ୍ଚିତ ରହିଛି।
ସୌଜନ୍ୟ ସମ୍ବାଦ




