ଦେଶ ବିଦେଶ

Judgement: ବେଆଇନ ନିର୍ମାଣକୁ ନେଇ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ, ପୌର ସଂସ୍ଥାଙ୍କ ପକ୍ଷପାତିତା ଉପରେ ପ୍ରଶ୍ନ

ଦେଶର ବିଭିନ୍ନ ସହରରେ ବଢ଼ିଚାଲିଥିବା ବେଆଇନ ନିର୍ମାଣକୁ ନେଇ ସୁପ୍ରିମ୍‌କୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଭଳି ନିର୍ମାଣକୁ ରୋକିବା ଦାୟିତ୍ୱରେ ଥିବା ପୌର ନିଗମ ଓ ସ୍ଥାନୀୟ ପ୍ରଶାସନ କେତେକଙ୍କ କ୍ଷେତ୍ରରେ ନିୟମ ଉଲ୍ଲଂଘନକୁ ଅଣଦେଖା କରୁଥିବା...

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସହରରେ ବଢ଼ିଚାଲିଥିବା ବେଆଇନ ନିର୍ମାଣକୁ ନେଇ ସୁପ୍ରିମ୍‌କୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଭଳି ନିର୍ମାଣକୁ ରୋକିବା ଦାୟିତ୍ୱରେ ଥିବା ପୌର ନିଗମ ଓ ସ୍ଥାନୀୟ ପ୍ରଶାସନ କେତେକଙ୍କ କ୍ଷେତ୍ରରେ ନିୟମ ଉଲ୍ଲଂଘନକୁ ଅଣଦେଖା କରୁଥିବା ବେଳେ ଅନ୍ୟମାନଙ୍କ କ୍ଷେତ୍ରରେ କଡ଼ା ପଦ କ୍ଷେପ ନେଉଛନ୍ତି। ଏଭଳି ପକ୍ଷପାତିତା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ବିଚାରପତି ବି.ଭି. ନାଗରତ୍ନା ଓ ସଞ୍ଜୀବ ସଚଦେବାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଦେଶବ୍ୟାପୀ କୋଠା ନିର୍ମାଣ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। କେତେକ ଲୋକ ଅନୁମୋଦିତ ନକ୍ସାଠାରୁ ଅଧିକ ନିର୍ମାଣ କରି ମଧ୍ୟ ଖସିଯାଉଛନ୍ତି। ଅନ୍ୟପକ୍ଷରେ ଆଇନ ମାନୁଥିବା ଲୋକଙ୍କୁ ସମସ୍ତ ନିୟମ ପାଳନ କରିବାକୁ ପଡ଼ୁଛି। ସମସ୍ତଙ୍କ ପାଇଁ ଆଇନ ସମାନ ଭାବେ ଲାଗୁ ହେବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି।

ବିଚାରପତି ନାଗରତ୍ନା ପ୍ରଶ୍ନ କରିଛନ୍ତି, ନିର୍ମାଣ ନକ୍ସା ଅନୁମୋଦନ କରିବାଠାରୁ ଆରମ୍ଭ କରି ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ଯାଞ୍ଚ ଏବଂ ବେଆଇନ ନିର୍ମାଣ ଭାଙ୍ଗିବାରୁ ବର୍ତ୍ତିବା ପର୍ଯ୍ୟନ୍ତ କେଉଁ ସ୍ତରରେ କେତେ ଅର୍ଥ କାରବାର ହେଉଛି? ପୌର କର୍ତ୍ତୃପକ୍ଷଙ୍କ ସହଯୋଗ ବିନା ଏଭଳି ନିର୍ମାଣ ଜାରି ରହିବା କିପରି ସମ୍ଭବ ବୋଲି ସେ ପ୍ରଶ୍ନ କରିଛନ୍ତି। ନିର୍ମାଣ ସରିବା ପରେ ଯାଞ୍ଚ କରାଯିବାର କୌଣସି ଅର୍ଥ ନାହିଁ। ଅନେକ ସମୟରେ କୋଠା ନିର୍ମାଣ ଶେଷ ହେବା ପରେ ହିଁ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ଏଭଳି ଯାଞ୍ଚକୁ ଖଣ୍ଡପୀଠ ନିରର୍ଥକ ବୋଲି କହିଛନ୍ତି।

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବେଆଇନ ନିର୍ମାଣକୁ ନିୟମିତ କରିଦେବେ ବୋଲି ଆଶା ରଖି କେତେକ ପୌର ଅଧିକାରୀ ଏଭଳି ନିର୍ମାଣକୁ ଅଣଦେଖା କରୁଥିବା ମଧ୍ୟ ଖଣ୍ଡପୀଠ କହିଛନ୍ତି। ଏହାଦ୍ୱାରା ଆଇନର ଶାସନ ଦୁର୍ବଳ ହେଉଛି। ବେଆଇନ ନିର୍ମାଣ କେବଳ ବ୍ୟକ୍ତିଗତ ସମ୍ପତ୍ତିର ପ୍ରସଙ୍ଗ ନୁହେଁ। ଏହା ରାସ୍ତା, ନାଳନର୍ଦ୍ଦମା ଓ ଯାତାୟାତ ବ୍ୟବସ୍ଥା ଉପରେ ମଧ୍ୟ ଚାପ ପକାଉଛି ବୋଲି କୋର୍ଟ ମତ ଦେଇଛନ୍ତି।

ତେବେ ସମଗ୍ର ଦେଶରେ ପ୍ରତ୍ୟେକ ବେଆଇନ ନିର୍ମାଣର ତଦାରଖ କରିବା ସୁପ୍ରିମ୍‌କୋର୍ଟଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ପ୍ରତ୍ୟେକ ରାଜ୍ୟର ପୌର ଆଇନ ଓ ନିର୍ମାଣ ନିୟମ ଭିନ୍ନ ହୋଇଥିବାରୁ ଗୋଟିଏ ସାଧାରଣ ନିର୍ଦ୍ଦେଶ ସବୁଠି ଲାଗୁ କରିବା କଷ୍ଟକର। ତେଣୁ ଏହି ପ୍ରସଙ୍ଗରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦାୟିତ୍ୱବାନ ଅଧିକାରୀଙ୍କ ଜରିଆରେ ସତ୍ୟପାଠ ଦାଖଲ କରି ସମାଧାନର ପ୍ରସ୍ତାବ ଦେବାକୁ କୁହାଯାଇଛି। ଆସନ୍ତା ୨୦୨୭ ଜାନୁଆରି ୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହା ସହିତ ବ୍ୟକ୍ତିଗତ ବେଆଇନ ନିର୍ମାଣ ସମ୍ପର୍କିତ ଆବେଦନଗୁଡ଼ିକୁ ସୁପ୍ରିମ୍‌କୋର୍ଟ ଏହି ମାମଲାରୁ ଅଲଗା କରିଛନ୍ତି। ସମ୍ପୃକ୍ତ ପକ୍ଷମାନେ ନିଜ ନିଜ ଅଞ୍ଚଳର ପୌର ସଂସ୍ଥା, ନ୍ୟାୟାଧିକରଣ କିମ୍ବା ହାଇକୋର୍ଟଙ୍କ ନିକଟରେ ପ୍ରତିକାର ଲୋଡ଼ିପାରିବେ ବୋଲି କୋର୍ଟ କହିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button