Vaibhav Sooryavanshi: ଚର୍ଚ୍ଚାରେ ବୈଭବଙ୍କ ରେକର୍ଡ; ମ୍ୟାଚ୍ ପୂର୍ବ ଯୁବି ଦେଇଥିଲେ ଗୁରୁମନ୍ତ୍ର
ଭାରତ ‘ଏ’ ଦଳର ୧୫ ବର୍ଷୀୟ ବାଳକ ବୈଭବ ସୂର୍ଯ୍ୟବଂଶୀ ମଙ୍ଗଳାବର ୟୁଏଇ ‘ଏ’ ବିପକ୍ଷ ମ୍ୟାଚ୍ରେ ୫୨ ବଲ୍ରୁ ଦ୍ବିଶତକ ଅର୍ଜନ କରି ରେକର୍ଡ ବୁକ୍ରେ ନିଜ ନାମ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିଥିଲେ।

ନୂଆଦିଲ୍ଲୀ: ଭାରତ ‘ଏ’ ଦଳର ୧୫ ବର୍ଷୀୟ ବାଳକ ବୈଭବ ସୂର୍ଯ୍ୟବଂଶୀ ମଙ୍ଗଳାବର ୟୁଏଇ ‘ଏ’ ବିପକ୍ଷ ମ୍ୟାଚ୍ରେ ୫୨ ବଲ୍ରୁ ଦ୍ବିଶତକ ଅର୍ଜନ କରି ରେକର୍ଡ ବୁକ୍ରେ ନିଜ ନାମ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିଥିଲେ। ଲିଷ୍ଟ୍ ‘ଏ’ରେ ଦ୍ରୁତତମ ଦ୍ବିଶତକ ଅର୍ଜନ କରିଥିବା ଏହି ବିସ୍ମୟ ବାଳକ ମ୍ୟାଚ୍ ପୂର୍ବରୁ ୪ ଜଣଙ୍କ ସହ କଥା ହୋଇଥିଲେ ବୋଲି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ଏଥିରେ ରହିଥିଲେ ତାଙ୍କ ବାପା, ପିଲାବେଳର ପ୍ରଶିକ୍ଷକ ମନିଷ ଓଝା, ୧୯ ବର୍ଷୀୟ ଦଳରେ ସାଥୀ ପ୍ରଥମ ଓ ବିଶ୍ବକପ୍ ବିଜେତା ଯୁବରାଜ ସିଂହ। ଅଲ୍ରାଉଣ୍ଡର ଯୁବରାଜଙ୍କ ସହ ତାଙ୍କର ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହି ବାର୍ତ୍ତାଳପରେ ସେ ବୈଭବଙ୍କୁ ବ୍ୟାଟିଂ ସମ୍ବନ୍ଧୀୟ ଗୁରୁମନ୍ତ୍ର ଦେବା ସହ ବଡ଼ ସଟ୍ ଖେଳିବା ପୂର୍ବରୁ କିଛି ସମୟ ପିଚ୍ରେ ସମୟ ବିତାଇବାକୁ ପରାମର୍ଶ ଦେଇଥିଲେ।
ଖେଳ ସମ୍ବନ୍ଧୀୟ ଅନେକ ବୈଷୟିକ କଥା କହିଥିଲେ ଅଲ୍ରାଉଣ୍ଡର ଯୁବରାଜ
ମ୍ୟାଚ୍ ପରେ ବୈଭବ କହିଛନ୍ତି, ଗତକାଲି ୪ ଜଣଙ୍କ ସହ କଥା ହୋଇଥିଲି। ଏଥିରେ ମୋ ବାପା ଥିଲେ, ପିଲାବେଳର ପ୍ରଶିକ୍ଷକ ମନିଷ, ୧୯ ବର୍ଷରୁ କମ୍ ଦଳରେ ମୋ ସହ ଖେଳୁଥିବା ସାଥୀ ପ୍ରଥମ। ଏହି ୩ ଜଣଙ୍କ ବାଦ୍ ଚତୁର୍ଥ ଜଣ ହେଉଛନ୍ତି ଯୁବରାଜ ସିଂହ ସାର୍। ତାଙ୍କ ସହ ପ୍ରାୟ ଅଧଘଣ୍ଟା ଧରି କଥା ହେଲି। ସେ ମୋତେ ବ୍ୟାଟିଂ ବିଷୟରେ ଅନେକ କଥା ବୁଝାଇଲେ। ଗତ ଦୁଇ ମ୍ୟାଚ୍ରେ ଭଲ କରି ପାରି ନଥିବରୁ ବହୁତ ଚିନ୍ତାରେ ଥିଲି। ତେଣୁ ତାଙ୍କୁ ଖୋଲାଖୋଲି ବ୍ୟାଟିଂକୁ ଗଲା ବେଳେ ସମ୍ମୁଖୀନ ହେଉଥିବା ସମସ୍ୟା କଥା କହିଥିଲି। ସେ ମୋତେ ସବୁକିଛି ବୁଝାଇଲେ। ଯଦି ୨୦ ବଲ୍ ଖେଳିଦେବ, ତେବେ ଖେଳ ପୂରା ବଦଳିଯିବ। ଏଥି ସହ ଖେଳ ସମ୍ବନ୍ଧୀୟ ଅନେକ ବୈଷୟିକ କଥା କହିଲେ। ଆଜି ଏହା ମୋତେ ବହୁତ ସାହାଯ୍ୟ କରିଛି। ମୋର ମାନସିକତା ଥିଲା ଯେ ପଡ଼ିଆକୁ ଯାଇ ଦେଖିବି ପିଚ୍ କେମିତି ଅଛି। ବ୍ୟାଟ୍କୁ ବଲ୍ ଭଲରେ ଆସୁଥିବା ଦେଖି ମୋର ସ୍ୱାଭାବିକ ଖେଳ ଖେଳିଥିଲି। ଏହି ମ୍ୟାଚ୍ ପୂର୍ବରୁ ବୈଭବ ଖରାପ ଫର୍ମ ଦେଇ ଗତି କରୁଥିଲେ। ଏହି ପ୍ରତିଯୋଗିତାର ପାକିସ୍ତାନ ବିପକ୍ଷରେ ୧୧ ଏବଂ ନେପାଳ ବିପକ୍ଷରେ ୨୬ ରନ୍ କରିଥିଲେ। ଏପରିକି ଏହି ଦ୍ୱିଶତକ ପୂର୍ବରୁ ୭ ଟ୍ବେଣ୍ଟି-୨୦ରେ ବୈଭବ ୨୨.୪୨ ହାରରେ ମାତ୍ର ୧୫୭ ରନ୍ କରିପାରିଥିଲେ। ସେ ପୁଣି କହିଥିଲେ ‘‘ଗତ ଦୁଇ ମ୍ୟାଚ୍ ସହ କିଛି ଘରୋଇ ମ୍ୟାଚ୍ରେ ରନ୍ କରିପାରି ନଥିଲି। ତେଣୁ ଟିକେ ବିଚଳିତ ହୋଇପଡ଼ିଥିଲି ଏବଂ ନିଜକୁ ପଚାରୁଥିଲି କ’ଣ ପାଇଁ ଏମିତି ଘଟୁଛି। ମୋର ଆଦର୍ଶ ଯୁବରାଜ ସାର୍ଙ୍କ ସହ କଥା ହେଲି। ତାଙ୍କର ସମସ୍ତ କଥା ଶୁଣିଲି। ସେ ମୋତେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଲେ। ମୋ ବ୍ୟାଟିଂର ଭିଡିଓ ଦେଖି ଭୁଲ୍ ଜାଣିଲି। ଆଜି ସେହି ଭୁଲ୍ଗୁଡ଼ିକୁ ନ ଦୋହରାଇବାକୁ ଚେଷ୍ଟା କଲି। ସେ ମୋତେ ଯାହା କରିବାକୁ କହିଥିଲେ, ତାହା ହିଁ କରି ଏହି ସଫଳତା ପାଇଲି’’।
ସୌଜନ୍ୟ ସମ୍ବାଦ




