ରାଜ୍ୟ

Odisha Khadi Expo 2026 ଓଡ଼ିଶା ଖଦି ଓ ଏମ୍‌ଏସ୍‌ଏମ୍‌ଇ ଏକ୍ସପୋ–୨୦୨୬: ସପ୍ତାହରେ ଗୋଟିଏ ଦିନ ଖଦି ପିନ୍ଧିବାକୁ ଆହ୍ଵାନ

ଭୁବନେଶ୍ୱରରେ ଓଡ଼ିଶା ଖଦି ଓ MSME ଏକ୍ସପୋ-୨୦୨୬ ଆରମ୍ଭ। ସପ୍ତାହରେ ଦିନେ ଖଦି ପିନ୍ଧିବାକୁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଆହ୍ୱାନ। ନଭେମ୍ବର ୨୯ ପର୍ଯ୍ୟନ୍ତ ୧୮୦ଟି ଷ୍ଟଲ୍‌ରେ ଉତ୍ପାଦ ପ୍ରଦର୍ଶିତ ହେବ।

ଭୁବନେଶ୍ଵର:  ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ)ରେ ସମୃଦ୍ଧି ଏବଂ ଖଦି ଓ ଗ୍ରାମୋଦ୍ୟୋଗରେ ଆତ୍ମନିର୍ଭରତା ହେଉଛି ଆମର ଲକ୍ଷ୍ୟ । ଏମ୍ଏସ୍ଏମ୍ଇ ବିକାଶର ସଶକ୍ତ ସ୍ତମ୍ଭ ହୋଇଥିବା ବେଳେ ଖଦି ସ୍ୱଦେଶୀ ଓ ସ୍ୱାବଲମ୍ବନର ପ୍ରତୀକ। ଏଣୁ ସପ୍ତାହରେ ଗୋଟିଏ ଦିନ ଖଦି (କର୍ପାସ ସୂତାରେ ପ୍ରସ୍ତୁତ ବସ୍ତ୍ର) ପିନ୍ଧିବା ପାଇଁ ରାଜ୍ୟର ବିଭାଗୀୟ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ଏମ୍ଏସ୍ଏମ୍ଇ ବିଭାଗର କମିଶନର-ତଥା-ଶାସନ ସଚିବ ରଶ୍ମିତା ପଣ୍ଡା ନିଜ ବକ୍ତବ୍ୟରେ କହିଛନ୍ତି, ଏହି ଏକ୍ସପୋ ଉଦ୍ୟୋଗୀମାନଙ୍କୁ ନିଜ ଉତ୍ପାଦର ପ୍ରଚାର, ବ୍ରାଣ୍ଡିଂ, ଗ୍ରାହକଙ୍କ ମତାମତ ହାସଲ, ନୂତନ ବଜାର ଅନ୍ୱେଷଣ ଓ ବ୍ୟବସାୟିକ ସମ୍ପର୍କ ସ୍ଥାପନର ସୁଯୋଗ ପ୍ରଦାନ କରିବ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର (ଏକାମ୍ର) ବିଧାୟକ ବାବୁ ସିଂ, ଶିଳ୍ପ ନିର୍ଦ୍ଦେଶକ ଅବୋଲି ସୁନିଲ ନରଭଣେ, ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ରାଜ୍ୟ ନିର୍ଦ୍ଦେଶକ ସୁଭାଷ ଛେତ୍ରୀ, ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଚିବ ଗଦାଧର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଆଜିଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ–୨୦୨୬ ଚଳିତ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ ୧୮୦ଟି ଷ୍ଟଲ୍‌ର ବ୍ୟବସ୍ଥା କରାଯାଇଛି। ଏଥିରେ ୮୦ଟି ଷ୍ଟଲ୍ ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କ ପାଇଁ, ୫୦ଟି ଷ୍ଟଲ୍ ଖଦି ଓ ଗ୍ରାମୋଦ୍ୟୋଗ, ୧୦ଟି ଷ୍ଟଲ୍ ଷ୍ଟାର୍ଟଅପ୍, ୧୦ଟି ଷ୍ଟଲ୍ ଏମ୍ଏସ୍ଏମ୍ଇ-ଡିଏଫ୍ଓ (ଡେଭଲପମେଣ୍ଟ ଆଣ୍ଡ ଫାସିଲିଏସନ୍ ଅଫିସ୍-କଟକ), ୧୦ଟି ଷ୍ଟଲ୍ ଡିଇପିଏମ୍ (ଡାଇରେକ୍ଟୋରେଟ୍ ଅଫ୍ ଏକ୍ସପୋର୍ଟ, ପ୍ରମୋସନ ଆଣ୍ଡ ମାର୍କେଟିଙ୍ଗ) ଏବଂ ୨୦ଟି ଷ୍ଟଲ୍ ଓଟିଡିସି ପାଇଁ ରଖାଯାଇଛି । ପ୍ରତ୍ୟେକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଦିବା ୧୧ ଘଟିକାରୁ ରାତି ୯.୩୦ ପର୍ଯ୍ୟନ୍ତ ଷ୍ଟଲ ଖୋଲା ରହିବ । ଉଦ୍ୟୋଗୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ଅବଗତ କରାଇବା ପାଇଁ ପ୍ରତ୍ୟେକ ଦିନ ବିଷୟଭିତ୍ତିକ ସେମିନାର ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button