Tribunal Declines to Accept ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବେଦନକୁ ଗ୍ରହଣ କଲେନାହିଁ ଟ୍ରିବୁନାଲ୍
ମହାନଦୀର ସ୍ୱାର୍ଥ ସୁରକ୍ଷା ନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନର ୬ ଦଫା ଆବେଦନ ଗ୍ରହଣ କରିନାହିଁ ଟ୍ରିବ୍ୟୁନାଲ। ରାଜ୍ୟ ଆଡଭୋକେଟ୍ ଜେନେରାଲଙ୍କ ଜରିଆରେ ଦାଖଲ ପାଇଁ ପରାମର୍ଶ ଦିଆଯାଇଛି।

ନୂଆଦିଲ୍ଲୀ/ଭୁବନେଶ୍ବର: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆବେଦନ ଜରିଆରେ ଦାଖଲ ହୋଇଥିବା ଓଡ଼ିଶା ତଥା ମହାନଦୀର ସ୍ୱାର୍ଥ ସୁରକ୍ଷା ସମ୍ବନ୍ଧୀୟ କିଛି ତଥ୍ୟକୁ ମହାନଦୀ ଟ୍ରିବ୍ୟୁନାଲ ବିଚାରକୁ ନେବାପାଇଁ ମନା କରିଦେଇଛନ୍ତି।
ଆଜି (ବୁଧବାର) ଦିଲ୍ଲୀ ସ୍ଥିତ ଟ୍ରିବ୍ୟୁନାଲ କାର୍ଯ୍ୟାଳୟରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ତାଙ୍କ ଦ୍ୱାରା ନିଯୁକ୍ତ ଓକିଲ ଶ୍ରୀଜା ଚକ୍ରବର୍ତ୍ତୀ, ପିଟିଆଇ ର ପୂର୍ବତନ ଏଡିଟର ରାଜେଶ ମହାପାତ୍ର ଓ ଆନ୍ଦୋଳନର ଅନ୍ୟତମ ସଂଯୋଜକ ହରିବନ୍ଧୁ ଶତପଥୀ ଟ୍ରିବ୍ୟୁନାଲର ରେଜିଷ୍ଟ୍ରାରଙ୍କୁ ଭେଟି ଛଅ ଦଫା ଯାଚିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ l ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ ୧୯୫୬ ଆଇନର ଧାରା ୯ ଅନୁଯାୟୀ ସରକାର ବାହାରେ ଥିବା ବ୍ୟକ୍ତିବିଶେଷଙ୍କ ଠାରୁ ତଥ୍ୟ ବା ପରାମର୍ଶ ଗ୍ରହଣ କରିବାର ବିଶେଷ କ୍ଷମତା ରହିଛି ଏବଂ ସେହି ଆଧାରରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବେଦନକୁ ଗ୍ରହଣ କରିବାକୁ ଶ୍ରୀ ଦାସ ଯୁକ୍ତି ବଢ଼ିଥିଲେ l
ରେଜିଷ୍ଟର ଏହାକୁ ଗ୍ରହଣ କରିବାକୁ ମନା କରିବା ସହିତ ସରକାର ବାହାରେ ଥିବା ବ୍ୟକ୍ତିଙ୍କ ଠାରୁ କୌଣସି ଆବେଦନ ଗ୍ରହଣ ନକରିବାକୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ରହିଛି ବୋଲି କହିଥିଲେ। ଆବେଦନକାରୀଙ୍କ ପକ୍ଷରୁ ନିଯୁକ୍ତ ଓକିଲ ସୁଶ୍ରୀ ଚକ୍ରବର୍ତ୍ତୀ ଏଭଳି ନିର୍ଦ୍ଦେଶ ଟ୍ରିବ୍ୟୁନାଲର ୱେବ୍ ସାଇଟରେ ଉପଲବ୍ଧ ନାହିଁ ବୋଲି କହିଥିଲେ ଏବଂ ସେ ଭଳି ନିର୍ଦ୍ଦେଶନାମା କୁ ସାର୍ବଜନୀନ କରିବା ପାଇଁ ନିବେଦନ କରିଥିଲେ l ଏହାପରେ ରେଜିଷ୍ଟାର, ସିଧାସଳଖ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ନହୋଇ ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଙ୍ ମାଧ୍ୟମରେ ଆବେଦନ ରଖିବାକୁ ପରାମର୍ଶ ଦେଇଛନ୍ତି।
ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ଆଡଭୋକେଟ୍ ଜେନେରାଲଙ୍କ ମାଧ୍ୟମରେ ଏହି ଯାଚିକl ଦାଖଲ କରାଯିବ ବୋଲି ଶ୍ରୀ ଦାସ କହିଥିଲେ l ଟ୍ରିବ୍ୟୁନାଲ ରାୟ ବା ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ଫର୍ମୁଲା ଯଦି ଓଡ଼ିଶା ସପକ୍ଷରେ ବା ମହାନଦୀର ସ୍ୱାର୍ଥ ବିରୋଧରେ ଯାଏ ତେବେ ମହାନଦୀ ବଞ୍ଚାଅ ଆନ୍ଦୋଳନ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେବା ସହିତ ଲୋକଙ୍କ ମଧ୍ୟକୁ ଯାଇ ଜନ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଦାସ ଘୋଷଣା କରିଛନ୍ତି l
ସୌଜନ୍ୟ ସମ୍ବାଦ




