ରାଜ୍ୟ

Maoists: ୨ ମାଓବାଦୀଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା ୧୩ ଲକ୍ଷ ଟଙ୍କା; ଓଡ଼ିଶାରେ ଥିଲେ ସକ୍ରିୟ

ମାଓବାଦୀ ସଂଗଠନକୁ ଆଉ ଏକ ବଡ଼ ଝଟକା। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଓଡ଼ିଶାରେ ସକ୍ରିୟ ଥିବା ୧୩ ଲକ୍ଷ ଟଙ୍କାର ଇନାମୀ ଦୁଇ ମାଓବାଦୀ ଆଜି ହିଂସାର ପଥ ତ୍ୟାଗ କରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଓବାଦୀ ସଂଗଠନକୁ ଆଉ ଏକ ବଡ଼ ଝଟକା। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଓଡ଼ିଶାରେ ସକ୍ରିୟ ଥିବା ୧୩ ଲକ୍ଷ ଟଙ୍କାର ଇନାମୀ ଦୁଇ ମାଓବାଦୀ ଆଜି ହିଂସାର ପଥ ତ୍ୟାଗ କରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ମଧ୍ୟ ସାମିଲ ଅଛନ୍ତି। ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ନାଗମଣି କୁଡ଼ମେ ଓରଫ ଶୀଳା ଏବଂ ଗଙ୍ଗା ସୋଢ଼ୀ ଓରଫ ସୋନୁ। ନାଗମଣିଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କା ଏବଂ ଗଙ୍ଗା ସୋଢ଼ୀଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ଇନାମ ଘୋଷଣା ହୋଇଥିଲା।

ପୁଲିସ ସୂଚନା ଅନୁଯାୟୀ, ୩୨ ବର୍ଷୀୟ ନାଗମଣି କୁଡ଼ମେ ଓରଫ ଶୀଳା ବିଜାପୁର ଜିଲ୍ଲାର ବାସାଗୁଡ଼ା ଥାନା ଅନ୍ତର୍ଗତ ଚିପୁରଭଟ୍ଟି ଗ୍ରାମର ବାସିନ୍ଦା। ସେ ଓଡ଼ିଶାର ମାଓବାଦୀ ବାଟାଲିୟନ ନମ୍ବର ୮ରେ କମ୍ପାନୀ ପାର୍ଟି କମିଟି ମେମ୍ବର ଭାବେ ସକ୍ରିୟ ଥିଲେ। ୨୦୦୬-୦୭ ମସିହାରେ ମାଓବାଦୀ ସଂଗଠନରେ ଯୋଗଦେଇଥିବା ନାଗମଣି ୨୦୦୯ରେ ଏସିଏମ, ୨୦୧୬ରେ ଡିଭିସିଏମ ଏବଂ ୨୦୨୧ରେ ଓଡ଼ିଶାର କମ୍ପାନୀ ନମ୍ବର ୮ରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଛତିଶଗଡ଼ ଓ ଓଡ଼ିଶାର ବିଭିନ୍ନ ମାଓବାଦୀ ଘଟଣା ଏବଂ ସୁରକ୍ଷାବାହିନୀ ସହ ମୁହାଁମୁହିଁ ସଂଘର୍ଷରେ ସାମିଲ ଥିବା ପୁଲିସ ପକ୍ଷରୁ କୁହାଯାଇଛି।

ଅନ୍ୟ ଆତ୍ମସମର୍ପଣକାରୀ ୨୬ ବର୍ଷୀୟ ଗଙ୍ଗା ସୋଢ଼ୀ ଓରଫ ସୋନୁ ବିଜାପୁର ଜିଲ୍ଲାର ଗଙ୍ଗାଲୁର ଥାନା ଅନ୍ତର୍ଗତ ଡୋଡ଼ିତୁମନାର ଗ୍ରାମର ବାସିନ୍ଦା। ସେ ଓଡ଼ିଶାର କଳାହାଣ୍ଡି ଏରିଆ କମିଟିରେ ଏସିଏମ ପଦବୀରେ ସକ୍ରିୟ ଥିଲେ। ୨୦୦୮ରେ ବାଳ ସଂଘମ ସଦସ୍ୟ ଭାବେ ସଂଗଠନରେ ଯୋଗଦେବା ପରେ ଭୂମକାଲ ମିଲିସିଆ, ପିଏଲଜିଏ ଏବଂ ବିଭିନ୍ନ ଏରିଆ କମିଟିରେ କାମ କରିଥିଲେ। ସେ ୨୦୧୪ର କଚଲପାଡ଼ ଏବଂ ୨୦୧୭ର ଈରପାନାର ଗୁଳିବିନିମୟ ସମେତ ବିଭିନ୍ନ ପୁଲିସ କ୍ୟାମ୍ପ ଆକ୍ରମଣ ଓ ମାଓବାଦୀ ଘଟଣାରେ ସାମିଲ ଥିବା ପୁଲିସ କହିଛି।

ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ଅନୁଯାୟୀ, ଉଭୟଙ୍କୁ ନିୟମ ଅନୁସାରେ ଆର୍ଥିକ ସହାୟତା,ଦକ୍ଷତା ବିକାଶ ପ୍ରଶିକ୍ଷଣ,ଆବାସ, ଶିକ୍ଷା ଓ ରୋଜଗାର ସୁଯୋଗ ଯୋଗାଇ ଦିଆଯିବ। ସମାଜର ମୁଖ୍ୟସ୍ରୋତରେ ସମ୍ମାନଜନକ ଜୀବନ ଆରମ୍ଭ କରିବା ପାଇଁ ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସହଯୋଗ କରାଯିବ ବୋଲି କୁହାଯାଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button