ସ୍ବରକୁ ସ୍ବରରେ ଖଞ୍ଜିବା, ତାଳ ସହ ଲୟକୁ ଯୋଡ଼ିବାରେ ସେ ଥିଲେ ସିଦ୍ଧହସ୍ତ। ସ୍ବରରେ ଥିଲା ତାଙ୍କ ସମ୍ମୋହନୀ ମନ୍ତ୍ର। ସହରରୁ ଗାଁ, ଶିଶୁରୁ ବୃଦ୍ଧ… ସମସ୍ତେ ଥିଲେ ତାଙ୍କ ସଙ୍ଗୀତର ସମର୍ପିତ ପ୍ରେମିକ। ଉତ୍ସବର ଅନ୍ୟ ନାମ ଥିଲେ ଅଭିଜିତ୍। ମେଲୋଡିର ମୁକୁଟବିହୀନ ସମ୍ରାଟ ଥିଲେ ଅଭିଜିତ। ପୂଜା ପେଣ୍ଡାଲ୍ ତାଙ୍କ ବିନା ଶୂନ୍ୟ। ସଙ୍ଗୀତର ସୁର ତାଙ୍କ ବିନା ଅସମ୍ପୂର୍ଣ୍ଣ। ଓଡ଼ିଆ ସଙ୍ଗୀତ ଜଗତ ପୂର୍ବରୁ ଅନେକ କାଳଜୟୀ ପ୍ରତିଭାଙ୍କୁ ହରାଇଥିବା ବେଳେ ଆଜି ପୁଣି ସମୟର କୋପ ସହିଛି ଆମ ସଙ୍ଗୀତ ଜଗତ। ସଙ୍ଗୀତ ଦୁନିଆକୁ ବିରାଟ ଶୂନ୍ୟତାରେ ହଜାଇ ଦେଇ ଚାଲିଯାଇଛନ୍ତି ଅଫେରା ରାଇଜକୁ।
ମଞ୍ଜୁର କର ହେ ଛୁଟି ଦରଖାସ୍ତ ମୋର…
କଟକ: ଭଜନ, ସମ୍ବଲପୁରୀ ଗୀତ, ଆଲବମ୍, ସଙ୍ଗୀତ ନିର୍ଦ୍ଦେଶନା.., ସବୁଥିରେ ସେ ଥିଲେ ପାରଙ୍ଗମ। ତାଙ୍କର ଆଉ ଗୋଟିଏ ପ୍ରତିଭା ଥିଲା ଅଭିନୟ। ତାଙ୍କ ନାମରେ ମେଲୋଡି ସୋ’ ଚାଲୁଥିଲା। ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଓ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ଗାଇବା ସହ ନିର୍ଦ୍ଦେଶନା ଦେଇଛନ୍ତି। ଓଡ଼ିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ୍ ଅଭିଜିତ୍ ମଜୁମଦାରଙ୍କ ବିୟୋଗ ପାଇଁ ଅପୂରଣୀୟ କ୍ଷତି ହୋଇଛି।
‘କାଶିଆ କପିଳା’ରୁ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ
ଅଭିଜିତ୍ ମଜୁମଦାର ୨୦୦୦ ମସିହାରେ ‘କାଶିଆ କପିଳା’ ସିନେମାରୁ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ଗୀତିକାର ଅରୁଣ ମନ୍ତ୍ରୀଙ୍କ ସହିତ ପ୍ରଥମ ସିନେମାରେ କାମ କରିବା ପରେ ଆଉ ପଛକୁ ଚାହିଁ ନାହାନ୍ତି। ଉଭୟ ପ୍ରାୟ ୨୦ରୁ ଅଧିକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ସେହିପରି ଆଲବମ୍ ଗୀତ ‘ଆଖିରେ ତୁମର କଜଳ ଆସିଲେ ନଇଁଆସେ ଏଠି ସନ୍ଧ୍ୟା’ରୁ ଆରମ୍ଭ କରି ‘ମୁଁ ଖାଇଲା ପରେ ତୁ ଖାଉ’ ଆଦି ଗୀତରେ ଦୁହେଁ କାମ କରିଥିଲେ। ଅରୁଣ ମନ୍ତ୍ରୀଙ୍କ ସହିତ ଅଭିଜିତଙ୍କ ଶେଷ ସିନେମା ଥିଲା ‘ଆଭା’।
୧୯୯୭ ମସିହାରୁ ସଂଘର୍ଷ…
ଅଭିଜିତ୍ ମଜୁମଦାର ରାତାରାତି ପ୍ରସିଦ୍ଧି ପାଇ ନଥିଲେ। ଏଥିପାଇଁ ତାଙ୍କୁ ୨ଦଶନ୍ଧି ସଂଘର୍ଷ କରିବାକୁ ପଡ଼ିଥିଲା। ୧୯୯୧ ମସିହାରୁ ସଙ୍ଗୀତ ଜଗତରେ ପାଦ ଦେବା ପରେ ସଙ୍ଗୀତ ସାଧନା ପାଇଁ ସମ୍ବଲପୁର ଛାଡ଼ି କଟକ ଆସିଥିଲେ। ୧୯୯୭ ମସିହାରୁ ରୌପ୍ୟନଗରୀରେ ସାଧନା ଜାରି ରଖିଥିଲେ। ପ୍ରଥମ ୪ବର୍ଷ ଭଜନ, ଆଲବମ୍ ଓ ଗୀତ ଲେଖୁଥିଲେ। ଏହାପରେ ୨୦୦୦ ମସିହାରେ ତାଙ୍କୁ ପ୍ରଥମେ ସିନେମା ମିଳିଥିଲା। ସମ୍ବଲପୁରୀ ଗୀତ ‘ଧସକିଗଲା’ ତାଙ୍କୁ ପରିଚିତି ଦେଇଥିଲା।
ଝାଞ୍ଜିରୀମଙ୍ଗଳାରେ ରହିଛି ଅନେକ ସ୍ମୃତି…
କଟକ ଝାଞ୍ଜିରୀମଙ୍ଗଳାରେ ଦାଦାଙ୍କ ଅନେକ ସ୍ମୃତି ରହିଛି। ଏଠାରେ ସଙ୍ଗୀତ ସାଧନା ସମୟରେ କାଳିଆ ଓ ରମେଶ ଭାଇ ମାଗଣାରେ ଦାଦାଙ୍କ ପୂରା ଟିମ୍କୁ ଖାଇବାକୁ ଦେଉଥିଲେ। ଲୁଣିଆସାହିରେ ଥିବା ଏକ ଘରେ ପ୍ରାୟ ୧୭ଜଣ ସାଙ୍ଗ ଗୋଟିଏ ଘରେ ରହି ସଙ୍ଗୀତ ସାଧନା କରୁଥିଲେ। ଝାଞ୍ଜିରୀମଙ୍ଗଳାସ୍ଥିତ ଲୁଣିଆସାହିରେ ୧୨ବର୍ଷରୁ ଅଧିକ ସମୟ ରହି ଚଳଚ୍ଚିତ୍ର, ଯାତ୍ରା, ଆଲବମ୍ ପାଇଁ ଗୀତ ଲେଖୁଥିଲେ ବୋଲି ତାଙ୍କ ସାଙ୍ଗରେ ଥିବା ଗୀତିକାର ଜିତେନ୍ଦ୍ର ପ୍ରଧାନ କହିଛନ୍ତି। ଗୋଟିଏ ରୁମ୍ରେ ରହୁଥିଲେ, ସେ ଘରେ ଜମା ତାଲା ପଡ଼ୁନଥିଲା। ଯେଉଁଦିନ ରେକର୍ଡିଂ ମିିଳୁଥିଲା ସେହିଦିନ ପଇସା ମିଳିବା ପରେ ମଧୁପାଟଣାସ୍ଥିତ ଏକ ହୋଟେଲ୍କୁ ଖାଇବାକୁ ଯାଉଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସଙ୍ଗୀତ ପାଇଁ ଛାଡ଼ିଥିଲେ ଅଧ୍ୟାପନା…
ସଙ୍ଗୀତ ଜଗତରେ ପାଦ ଦେବା ପୂର୍ବରୁ ଅଭିଜିତ୍ ଅଧ୍ୟାପନା କରୁଥିଲେ। କିନ୍ତୁ ସଙ୍ଗୀତ ପ୍ରତି ଥିବା ରୁଚି ତାଙ୍କୁ ଏହି ବୃତ୍ତିରେ ବାନ୍ଧି ରଖିପାରି ନଥିଲା। ସଙ୍ଗୀତ କ୍ଷେତ୍ରରେ ଅଧିକ କାମ କରିବା ପାଇଁ ସେ ଚାକିରିରୁ ଇସ୍ତଫା ଦେଇ କଟକ ଚାଲିଆସିଲେ। ସଙ୍ଗୀତ ଜଗତକୁ ଆସିବା ପୂର୍ବରୁ ସେ ଅଭିନୟ କରୁଥିଲେ। ଏଥିପାଇଁ ସେ ନେତୃତ୍ବ ନେବାରେ ଦକ୍ଷତା ରଖିଥିଲେ। କଟକରେ ରହିବା ସମୟରେ ଗୋଟିଏ ସାଇକଲ୍ରେ ନିର୍ମଳ ନାୟକ, ଅଭିଜିତ୍, ଜିତେନ୍ଦ୍ର ପ୍ରଧାନ ପ୍ରମୁଖ କାମ ପାଇବା ଆଶାରେ ଜେଇ ଷ୍ଟୁଡିଓ, ଆଶା ଷ୍ଟୁଡିଓ, ଏନ୍ଟିଡି ଆଦି ବୁଲୁଥିଲେ।
ମଙ୍ଗଳବାର ଆମିଷ ଛାଡ଼ିଥିଲେ
କଟକରେ ଯେଉଁ କଳାକାର ପ୍ରତିଷ୍ଠିତ ହୋଇଛନ୍ତି ସେମାନେ ମଙ୍ଗଳା ମା’ଙ୍କ ପ୍ରତି ସମର୍ପିତ ଥିବା କୁହାଯାଏ। ଏହି ପ୍ରଥାକୁ ଅନୁସରଣ କରି ଅଭିଜିତ୍ ମଙ୍ଗଳାବାର ଆମିଷ ଛାଡ଼ିଥିଲେ। ସେ ରହୁଥିବା ରୁମ୍ରେ ସମସ୍ତ ସାଥୀ ଏହାକୁ ଅନୁସରଣ କରିଥିଲେ। ଥରେ ଅଭିଜିତ୍ଙ୍କ ଟେପ୍ ରେକର୍ଡର ଚୋରି ହୋଇଗଲା। ଏଥିରେ ଗୀତ କମ୍ପୋଜିସନ୍ ରହୁଥିବାରୁ ସମସ୍ତେ ଚିନ୍ତିତ ଥିଲେ। କେହି ଦୁର୍ବୃତ୍ତ ତାହାକୁ ଚୋରି କରି ନେଇଯାଇଥିଲା। ଏହାପରେ ମା’ଙ୍କ ପାଖରେ ଅଭିଜିତ ଗୁହାରି କରିଥିଲେ। କିଛିଦିନ ପରେ ଯିଏ ତାକୁ ଚୋରି କରିଥିଲା ତାର ସମସ୍ୟା ହେବାରୁ ସେ ଫେରାଇ ଦେଇଥିଲା। ସେହିଦନଠାରୁ ଝାଞ୍ଜିରୀମଙ୍ଗଳାରେ ଅଭିଜିତଙ୍କ ପାଖରେ ରହୁଥିବା ସମସ୍ତ କଳାକାର ମା’ଙ୍କ ପ୍ରତି ସମର୍ପିତ ହୋଇଥିଲେ। ଏହାପରେ ବିରାଟ ଭଜନ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ୪୪୦ ଜଣ କଳାକାର, ରାଜ୍ୟର ପ୍ରତିଷ୍ଠିତ ବାଦ୍ୟକାର ସାମିଲ ହୋଇଥିଲେ।
ସଂଘର୍ଷ ସମୟରେ ସାହାଯ୍ୟ କରୁଥିଲେ ଦିଲୁ…
କଟକ ଆସି ସଙ୍ଗୀତ ସାଧନା କରିବା ସମୟରେ ଅଭିଜିତଙ୍କ ସହ ଅନେକ ବାଦ୍ୟକାର, ଗୀତିକାର ଆସି ଏକାଠି ରହିଥିଲେ। ଏମାନେ ସମସ୍ତେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଅଭିଜତ୍ଙ୍କ ସହ ଗୀତିକାର ନିର୍ମଳ ନାୟକ, କଣ୍ଠଶିଳ୍ପୀ କୁମାର ବାପି, ଜତୀନ୍ଦ୍ର ପ୍ରଧାନ, ସଲୀଲ ମିତ୍ର, ରିଦିମ୍ କମ୍ପୋଜର୍ ଅନିରୁଦ୍ଧ ଦଳ (ବାବୁ), ରିଦିମ୍ ପ୍ଲେୟାର୍ ପ୍ରମୋଦ ନନ୍ଦ, ଷ୍ଟୁଡିଓ ରେକର୍ଡିଷ୍ଟ୍ ଉପେନ୍ଦ୍ର ପଣ୍ଡା, ଢୋଲକ ବାଦକ ମନୀଷ ନନ୍ଦ, ଶାନ୍ତିରାଜ ଖୋସଲା, ବିଭୂତି ସ୍ବାଇଁ ପ୍ରମୁଖ ଗୋଟିଏ ସ୍ଥାନରେ ସଙ୍ଗୀତ କରୁଥିଲେ। ଏମାନଙ୍କୁ ଆର୍ଥିକ ସାହାଯ୍ୟ କରୁଥିଲେ ସେତେବେଳର କ୍ୟାସେଟ ବ୍ୟବସାୟୀ ଦେବାଶିଷ ତ୍ରିପାଠୀ (ଦିଲୁ)। ଦିଲୁ ଏହି କଳାକାରମାନଙ୍କୁ ସହାୟତା କରି ସେମାନଙ୍କ ମନୋବଳ ବଢ଼ାଉଥିଲେ।
ସମ୍ବଲପୁରରେ ପଡ଼ିଥିଲା ସଙ୍ଗୀତ ଜୀବନର ମୂଳଦୁଆ
ସମ୍ବଲପୁର: ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କୁ ହରାଇ ଝୁରୁଛି ଜନ୍ମମାଟି ସମ୍ବଲପୁର। ଏଠାରେ ତାଙ୍କ ସ୍କୁଲ, କଲେଜ ଜୀବନ ସହିତ ସଙ୍ଗୀତ ଜୀବନର ମୂଳଦୁଆ ବି ପଡ଼ିଥିଲା। ତତ୍କାଳୀନ ଜିଏମ୍ କଲେଜ ମଞ୍ଚ ତାଙ୍କ କଳା ପ୍ରତିଭାକୁ ଅଙ୍କୁରିତ ହେବାର ସୁଯୋଗ ଦେଇଥିଲା। ସମ୍ବଲପୁର ବୁଢ଼ାରଜା ହାଇସ୍କୁଲରେ ସେ କିଛିଦିନ ଶିକ୍ଷକତା କରିବା ପରେ ପରମାଣପୁର ମହିଳା ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ସଙ୍ଗୀତରେ କ୍ୟାରିୟର ଗଢ଼ିବା ପାଇଁ ସମ୍ବଲପୁର ଛାଡ଼ିଥିଲେ ସତ, କିନ୍ତୁ ଜନ୍ମମାଟି ସହିତ ତାଙ୍କର ଆବେଗିକ ସମ୍ପର୍କ ରହିଥିଲା। ତାଙ୍କ ବାପା ଡ. ଅରୁଣ ମଜୁମଦାର, ମା’ ଅଞ୍ଜନା ମଜୁମଦାର ଓ ଭାଇ ମନୋଜିତ ସମ୍ବଲପୁର ସହରସ୍ଥିତ ଧୁଚୁରାପଡ଼ାରେ ରହୁଛନ୍ତି। ଅଭିଜିତ ମଧ୍ୟ ବିଭିନ୍ନ ସମୟରେ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ୨୦୨୧ରେ ଝାରସୁଗୁଡ଼ା ଓ ୨୦୨୪ରେ ସମ୍ବଲପୁରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଜୁଗାର’ ବାର୍ଷିକୋତ୍ସବରେ ଅଭିଜିତ ଥିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ।
୫୦ରୁ ଅଧିକ ସିନେମାରେ କାମ କରିଛନ୍ତି
ଅଭିଜିତ୍ ୫୦ରୁ ଅଧିକ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ଅଧିକାଂଶ ସିନେମାର ଗୀତ ଶ୍ରୋତାଙ୍କ ଦ୍ବାରା ଉଚ୍ଚପ୍ରଶଂସିତ ହୋଇଛି। ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସିନେମା ମଧ୍ୟରେ ଅଛି, କାଶିଆ କପିଳା, ରଖିବ ଯଦି ସେ ମାରିବ କିଏ, ମୋ ସୁନା ପୁଅ, ମୁନ୍ନା-ଏ ଲଭ୍ ଷ୍ଟୋରି, ତୋ ବିନା ଭଲ ଲାଗେନା, ଶୁଭ ବିବାହ, ଶ୍ବଶୁର ଘର ଜିନ୍ଦାବାଦ, ଓମ୍ ନମଃ ଶିବାୟ, ତୁ ଥା ମୁଁ ଯାଉଛି ରୁଷି, ବାଳୁଙ୍ଗା ଟୋକା, କିଛି ଖଟା କିଛି ମିଠା, ଆଇନ କାନୁନ, ମାଟ୍ରିକ୍ ଫେଲ୍, ରଙ୍ଗିଲା ଟୋକା, ଲଭ୍ ମାଷ୍ଟର୍, ଜଗୁ ଅଟୋବାଲା, ଲଭ୍ ହେଲା ଏମିତି, ଚଉକା ଛକା, ଟାର୍ଗେଟ୍, ସଲାମ ସିନେମା, ରୁଦ୍ର, ଅଶୋକ ସମ୍ରାଟ, ହରି ଓମ୍ ହରି, ଡାହା ବାଳୁଙ୍ଗା, ଟଙ୍କା ତତେ ସଲାମ, କେହି ଜଣେ ଭଲ ଲାଗେରେ, ପୁଣି ଦେଖା ହେବ ଆର ଜନମରେ, ସ୍ମାଇଲ୍ ପ୍ଲିଜ୍, ଆମେ ତ ଟୋକା ଷଣ୍ଢମାର୍କା, ସମଥିଙ୍ଗ୍ ସମଥିଙ୍ଗ୍-୨, ଗଞ୍ଜା ଲଢ଼େଇ, ଯିଏ ଯାହା କହୁ ମୋର ଢୋ, ଭଉଁରି, ଇସ୍କ ତୁ ହି ତୁ, ନୂଆ ନୂଆ ପ୍ରେମରେ, କିଏ ଦେବ ଟକ୍କର, ଆଶିକି, ସମୟ ବଡ଼ ବଳବାନ ଇତ୍ୟାଦି।
ସୌଜନ୍ୟ ସମ୍ବାଦ
