Agra fraud case: ମୃତ ଦର୍ଶାଇଥିଲେ, ୧୩ ବର୍ଷ ପରେ ସ୍କୁଟରରେ ଧରାପଡ଼ିଲେ ! କୋର୍ଟରେ ହାଜର ହେଲେ ‘ମୃତ’ ଅଭିଯୁକ୍ତ

ଉତ୍ତରପ୍ରଦେଶ, ୨୭।୮: ଉତ୍ତରପ୍ରଦେଶର ଆଗ୍ରାରେ ଏକ ଠକେଇ ମାମଲାରେ ପ୍ରାୟ ୧୩ ବର୍ଷ ପରେ ଆଶ୍ଚର୍ଯ୍ୟଚକିତ ଘଟଣା ସାମ୍ନାକୁ ଆସିଛି । ଯେଉଁ ଅଭିଯୁକ୍ତଙ୍କୁ ଦସ୍ତାବିଜରେ ମୃତ ଦର୍ଶାଇ ତାଙ୍କ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ବନ୍ଦ କରିଦିଆଯାଇଥିଲା, ଏବେ ତାଙ୍କୁ ରାସ୍ତାରେ ସ୍କୁଟର ଚଲାଉଥିବା ଦେଖିବାକୁ ମିଳିଛି । ଅଭିଯୋଗକାରୀ ତାଙ୍କୁ ଚିହ୍ନି ଫଟୋ ଉଠାଇଲେ ଏବଂ ଅଭିଯୁକ୍ତ ଜୀବିତ ଥିବା କୋର୍ଟରେ ପ୍ରମାଣ ଦେଲେ । ନଗଲା ବୈନୀ ପ୍ରସାଦ, ଗାନ୍ଧୀ ନଗର ବାସିନ୍ଦା ତାରାଚନ୍ଦ ଶର୍ମାଙ୍କୁ ନେଇ ମାମଲା । ଗତ ସୋମବାର ତାରାଚନ୍ଦ ଶର୍ମା ବିଶେଷ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଶିବାନନ୍ଦ ଗୁପ୍ତାଙ୍କ କୋର୍ଟରେ ଆତ୍ମସମର୍ପଣ କଲେ । ସେ କୋର୍ଟରେ ଜାମିନ ପାଇଁ ମଧ୍ୟ ଆବେଦନ କଲେ । କୋର୍ଟ ମାମଲାର ଶୁଣାଣି ପରେ ତାଙ୍କ ଜାମିନ ଆବେଦନ ଖାରଜ କରିଦେଲେ ଓ ଅଭିଯୁକ୍ତଙ୍କୁ ଜେଲ ପଠାଇବାକୁ ନିର୍ଦ୍ଦେଶ ଦେଲେ । ଅଭିଯୋଗକାରୀଙ୍କ ବରିଷ୍ଠ ଓକିଲ ସମୀର ଭଟନାଗରଙ୍କ ଅନୁସାରେ, ତାରାଚନ୍ଦ ଶର୍ମାଙ୍କୁ ୧ ସେପ୍ଟେମ୍ବର, ୧୯୯୯ରେ ଠକେଇ ମାମଲାରେ କୋର୍ଟ ସମନ କରିଥିଲେ । ସେ ନକଲି ଇଚ୍ଛାପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା ।
ଏ ମାମଲାରେ ତାଙ୍କୁ ହାଇକୋର୍ଟରୁ ମଧ୍ୟ ଆଶ୍ୱସ୍ତି ମିଳିନଥିଲା । ଏହା ପରେ ମାମଲା କୋର୍ଟରେ ଚାଲିଥିଲା । ୨୦୧୯ରେ ତାଙ୍କ ପକ୍ଷ ତାରାଚନ୍ଦଙ୍କୁ ମୃତ ଦର୍ଶାଇବା ପାଇଁ ନକଲି ମୃତ୍ୟୁ ପ୍ରମାଣପତ୍ର ଓ ମୃତ୍ୟୁ ରିପୋର୍ଟ କୋର୍ଟରେ ଉପସ୍ଥାପନ କଲେ । ତତ୍କାଳୀନ ଥାନା ନ୍ୟୁ ଆଗ୍ରାର ଥାନାଧ୍ୟକ୍ଷ ଓ ପୁଲିସକର୍ମୀ ମିଳିତ ଭାବେ ଏହି ଷଡ୍ଯନ୍ତ୍ର ରଚିଥିବା ଅଭିଯୋଗ ହୋଇଥିଲା । ନକଲି ଦସ୍ତାବିଜ ଯୋଗୁ ତାରାଚନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ରଦ୍ଦ ହୋଇଗଲା । ପ୍ରାୟ ୧୩ ବର୍ଷ ପରେ ମାମଲା ନୂଆ ମୋଡ଼ ନେଲା । ଅଭିଯୋଗକାରୀ ରାଜକୁମାର ବର୍ମା ଗତ ୬ ଫେବ୍ରୁଆରୀରେ ତାରାଚନ୍ଦଙ୍କୁ ଗାନ୍ଧୀ ନଗର କ୍ଷେତ୍ରରେ ସ୍କୁଟର ଚଲାଇ ଯାଉଥିବା ଦେଖିଲେ । ରାଜକୁମାର ତାଙ୍କ ଫଟୋ ଉଠାଇଲେ । ମାମଲାରେ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହେଲା । କୋର୍ଟରେ ପ୍ରମାଣ ଦେବା ପରେ ତାରାଚନ୍ଦଙ୍କ ବିରୋଧରେ ଜାମିନ-ବିହୀନ ୱାରେଣ୍ଟ ଜାରି କରାଗଲା । ଗତ ସୋମବାର ତାରାଚନ୍ଦ କୋର୍ଟରେ ଆତ୍ମସମର୍ପଣ କଲେ ।
ସୌଜନ୍ୟ ପ୍ରମେୟ




