Election Commission : ଜେନ୍-ଜି ଓ ଆଲଫାଙ୍କ ପାଖରେ ପହଞ୍ଚିବେ ଇସି, ୨୦୨୯ ପୂର୍ବରୁ ସ୍କୁଲ ଓ କଲେଜରେ ଯୁବବର୍ଗଙ୍କ ସହ ଯୋଡ଼ି ହେବେ

ନୂଆଦିଲ୍ଲୀ, ୨୭/୮ : ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଜେନ୍-ଜି ଏବଂ ଜେନ୍-ଆଲ୍ଫାଙ୍କ ପାଖରେ ପହଞ୍ଚିବା ଲାଗି ପୁଣି ଉଦ୍ୟମ ଆରମ୍ଭ କରିଛନ୍ତି । ସେମାନଙ୍କୁ ସଚେତନ ଭୋଟର ବନାଇବା କମିଶନଙ୍କ ଉଦ୍ଦେଶ୍ୟ । ଯେଉଁମାନେ ନିର୍ବାଚନ ପ୍ରକ୍ରିୟା ସହ ଭଲ ଭାବେ ପରିଚିତ ହେବେ ଏବଂ ଭବିଷ୍ୟତରେ ଲୋକଙ୍କୁ ସଚେତନ କରିବା ଅଭିଯାନର ନେତୃତ୍ୱ ନେବାରେ ସକ୍ଷମ ହୋଇପାରିବେ । ଏହି ନୂଆ ଅଭିଯାନରେ ଦେଶର ୪,୧୨୩ଟି ବିଧାନସଭା ସିଟ୍ରେ ଥିବା ସ୍କୁଲ୍, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଯୋଡ଼ାଯିବ ।
କମିଶନ ମଧ୍ୟ ୫୦ ହଜାର ନିର୍ବାଚନୀ ସାକ୍ଷରତା କ୍ଲବ୍(ଇଏଲ୍ସି) ବନାଇବା ଯୋଜନା ଉପରେ କାମ କରୁଛନ୍ତି । ପ୍ରତି ବିଧାନସଭା ସିଟ୍ରେ ଏଭଳି ୧୦ଟି କ୍ଲବ୍ ବନାଯିବ । ଏଥିଲାଗି କମିଶନ ୧୫ ଲକ୍ଷ ସ୍କୁଲରେ ୯ମରୁ ଦ୍ୱାଦଶ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରିବେ । ଏହାଛଡ଼ା ୭୦ ହଜାର କଲେଜ ଏବଂ ୧୪୦୦ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରାଯିବ । ୨୦୧୮ ମସିହାରେ ସିଷ୍ଟମେଟିକ ଭୋଟର୍ସ ଏଜୁକେସନ୍ ଆଣ୍ଡ ଇଲୋକ୍ଟୋରାଲ୍ ପାର୍ଟିସିପେସନ୍ କାର୍ଯ୍ୟକ୍ରମ (ଏସ୍ଭିଇଇପି) ଅନୁସାରେ ନିର୍ବାଚନୀ ସାକ୍ଷରତା କ୍ଲବ୍(ଇଏଲ୍ସି) ଆରମ୍ଭ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ, ନିର୍ବାଚନୀ ପ୍ରକ୍ରିୟା ସହ ପରିଚିତ କରାଇବା, ନିର୍ବାଚନ କମିଶନଙ୍କର କାର୍ଯ୍ୟଧାରା ବିଷୟରେ ଜଣାଇବା ଏହାର ଉଦ୍ଦେଶ୍ୟ ଥିଲା । ଏହାପରେ ଏବେ ଇଏଲ୍ସି ୨.୦ ଆରମ୍ଭ କରାଯିବ ।
ଏ ସଂପର୍କରେ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ, ଆଜିର ଦୁନିଆରେ ଯୋଗାଯୋଗର ମାଧ୍ୟମ ଦ୍ରୁତ ଗତିରେ ବଦଳୁଛି । ଲୋକେ ଡିଜିଟାଲ୍ ପ୍ଲାଟଫର୍ମ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି । ଏଭଳିକ୍ଷେତ୍ରରେ ଯୁବ ମତଦାତା ଏବଂ ତୃଣମୂଳ ସ୍ତରର ଲୋକଙ୍କ ସହ ଲଗାତର, ବ୍ୟବସ୍ଥିତ ଏବଂ ସିଧା ସଂପର୍କ ସ୍ଥାପନର ଆବଶ୍ୟକତାକୁ ଦେଖି ଇଏଲ୍ସି ୨.୦ ଯୋଜନା ବନାଯାଇଛି । ଇଏଲ୍ସି ୨.୦ରେ ଏହି କ୍ଲବ୍ଗୁଡି଼କୁ ସୁସଂଗଠିତ ତଥା ଡିଜିଟାଲ୍ ସୁବିଧାଯୁକ୍ତ ମଞ୍ଚରେ ରୂପାନ୍ତରିତ କରାଯିବ ଯାହାଫଳରେ ସେଗୁଡି଼କ ନିରନ୍ତର ଭାବେ ପରସ୍ପର ସହ ସଂଯୁକ୍ତ ରହିପାରିବେ । ନିର୍ବାଚନ କମିଶନଙ୍କ ଅନୁସାରେ, ଦେଶରେ ଏବେ ୧୮- ୨୬ ବର୍ଷୀୟ ୧୪.୭୮ କୋଟି ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରେ ୭.୯୮ କୋଟି ପୁରୁଷ, ୬.୭୯ କୋଟି ମହିଳା ଏବଂ ୯୦୦୦ ତୃତୀୟଲିଙ୍ଗୀ ସାମିଲ ।
ସୌଜନ୍ୟ ପ୍ରମେୟ




