AI: ଏଆଇ ଯୁଗରେ ୩-ଭାଷା ନୀତିକୁ ନେଇ ବିବାଦ, ବଢ଼ିଲା ଅଭିଭାବକଙ୍କ ଅସନ୍ତୋଷ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୩ଟି ଭାଷା ପଢ଼ିବାକୁ ବାଧ୍ୟତାମୂଳକ କରିଥିବାରୁ ଦେଶର ବିଭିନ୍ନ ସ୍ଥାନରେ ଚର୍ଚ୍ଚା ଓ ଅସନ୍ତୋଷ ଦେଖାଦେଇଛି। ଏହି ନୂଆ ନୀତି ୨୦୨୬ ଜୁଲାଇ ୧ରୁ ଲାଗୁ ହେବ। ନୂତନ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀମାନେ ଆର-୧, ଆର୨ ଓ ଆର୩ ଭାବେ ୩ଟି ଭାଷା ପଢ଼ିବେ, ଯେଉଁଥିରୁ ଅତି କମରେ ୨ଟି ଭାରତୀୟ ଭାଷା ହେବା ଆବଶ୍ୟକ।

 

ଏହି ନିଷ୍ପତ୍ତି ପରେ ଅନେକ ଅଭିଭାବକ ଓ ଛାତ୍ରଛାତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଏହା ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ପଢ଼ାର ଭାର ପକାଇବ ଓ ମାନସିକ ଚାପ ବଢ଼ାଇପାରେ। କେହି କେହି ଏହି ନୀତିକୁ ପୁନଃବିଚାର କରିବାକୁ ଦାବି କରିଛନ୍ତି। ସୋସିଆଲ୍ ମିଡିଆରେ ମଧ୍ୟ ଏନେଇ ପ୍ରତିକ୍ରିୟା ଆସୁଛି। ଜଣେ ବ୍ୟବହାରକାରୀ କହିଛନ୍ତି, “କ୍ଲାସ୍ ୯ ଓ ୧୦ ପାଇଁ ଏହି ୩-ଭାଷା ନୀତିକୁ ପୁନଃବିଚାର କରନ୍ତୁ।” ଆଉ ଜଣେ ଲେଖିଛନ୍ତି, “ଏଆଇ ଓ ରୋବୋଟିକ୍ସର ଯୁଗରେ ଆମେ ଏଭଳି ଭାଷା ନେଇ ଚାପ ସୃଷ୍ଟି କରୁଛୁ।”

ସିବିଏସଇ ପକ୍ଷରୁ କୁହାଯାଇଛି ଯେ ସ୍କୁଲମାନେ ଅନୁମୋଦିତ ତାଲିକାରୁ ଭାଷା ବାଛିପାରିବେ। ବିଦେଶୀ ଭାଷାକୁ ତୃତୀୟ କିମ୍ବା ଚତୁର୍ଥ ବିକଳ୍ପ ଭାବେ ନେଇପାରିବେ। ସେହିପରି, କ୍ଲାସ୍ ୧୦ରେ ତୃତୀୟ ଭାଷା ପାଇଁ କୌଣସି ବୋର୍ଡ ପରୀକ୍ଷା ହେବ ନାହିଁ। ଏହାର ମୂଲ୍ୟାୟନ ସ୍କୁଲ୍ ସ୍ତରରେ ହେବ ଓ ଫଳାଫଳ ଅନ୍ତିମ ସାର୍ଟିଫିକେଟରେ ଦର୍ଶାଯିବ। ତଥାପି, ଅନେକ ସ୍କୁଲରେ ଶିକ୍ଷକ ଅଭାବ ଥିବା କଥାକୁ ସିବିଏସଇ ଗ୍ରହଣ କରିଛି। ଏହାକୁ ଦୂର କରିବା ପାଇଁ ସ୍କୁଲମାନେ ଭର୍ଚୁଆଲ୍ କ୍ଲାସ୍ ଓ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତ କରିବା ପରାମର୍ଶ ଦିଆଯାଇଛି। ନୂତନ ପାଠ୍ୟପୁସ୍ତକ ଆସିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଷଷ୍ଠ ଶ୍ରେଣୀର ପୁସ୍ତକ ଦ୍ୱାରା ତୃତୀୟ ଭାଷା ଶିଖିବେ। ସମଗ୍ର ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋରଦାର ହୋଇଛି। ଏହି ନୀତି ଛାତ୍ରଛାତ୍ରୀଙ୍କ ପାଇଁ କେତେ ଉପକାରୀ ହେବ, ତାହା ଆଗାମୀ ଦିନମାନଙ୍କରେ ସ୍ପଷ୍ଟ ହେବ।

 

 

 

 

ସୌଜନ୍ୟ ସମ୍ବାଦ