ମୁମ୍ବାଇ: ଇନ୍ଧନ ଦରବୃଦ୍ଧି ଓ ଆକାଶ ମାର୍ଗରେ କଟକଣାକୁ ଦୃଷ୍ଟିରେ ରଖି ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ଏୟାରଲାଇନ୍ ଏୟାର ଇଣ୍ଡିଆ ପକ୍ଷରୁ ଆସନ୍ତା ଜୁନ୍ରୁ ଅଗଷ୍ଟ ମଧ୍ୟରେ ୩୦ଟି ରୁଟ୍ରେ ୧୨୦ଟି ବିମାନର ଉଡ଼ାଣ ବନ୍ଦ କରାଯାଇଛି। ଦିଲ୍ଲୀ-ଚିକାଗୋ, ଦିଲ୍ଲୀ-ସାଂଘାଇ, ଚେନ୍ନାଇ-ସିଙ୍ଗାପୁର, ମୁମ୍ବାଇ-ଢାକା, ଦିଲ୍ଲୀ-ମାଲେ, ଦିଲ୍ଲୀ-ନେୱାର୍କ ଓ ମୁମ୍ବାଇ-ନ୍ୟୁୟର୍କ ଭଳି ଗୁରୁତ୍ବପୂର୍ଣ୍ଣ ରୁଟ୍ରେ ଏହି ସମୟ ଭିତରେ କମ୍ପାନିର ଉଡ଼ାଣ ବନ୍ଦ ରହିବ। ଦିଲ୍ଲୀ-ସାନ୍ ଫ୍ରାନ୍ସିସ୍କୋ ରୁଟ୍ରେ ସାପ୍ତାହିକ ଉଡ଼ାଣକୁ କମ୍ପାନି ୧୦ରୁ ୭କୁ ହ୍ରାସ କରିଛି। ସେହିପରି ଦିଲ୍ଲୀ-ଟରଣ୍ଟୋରେ ସାପ୍ତାହିକ ଉଡ଼ାଣ ୧୦ରୁ ୫କୁ, ଦିଲ୍ଲୀ-ଭାନକୋଭର ରୁଟ୍ରେ ସାପ୍ତାହିକ ଉଡ଼ାଣ ୭ରୁ ୫କୁ ହ୍ରାସ କରାଯାଇଛି।
ଦିଲ୍ଲୀ-ପ୍ୟାରିସ୍ ରୁଟ୍ରେ ସାପ୍ତାହିକ ଉଡ଼ାଣ ୧୪ରୁ ୭କୁ, ଦିଲ୍ଲୀ-କୋପେନହାଜେନ ରୁଟ୍ରେ ସାପ୍ତାହିକ ଉଡ଼ାଣ ୪ରୁ ୩କୁ, ଦିଲ୍ଲୀ-ମିଲାନ ରୁଟ୍ରେ ପାଞ୍ଚରୁ ଚାରିକୁ, ଦିଲ୍ଲୀ-ଭିଏନା, ଜୁରିକ୍ ଓ ରୋମ୍ ରୁଟ୍ରେ ଉଡ଼ାର ଚାରିରୁ ୩କୁ ହ୍ରାସ କରାଯାଇଛି। ବିଦେଶୀ ମୁଦ୍ରା ସଞ୍ଚୟ କରିବା ଲାଗି ଅନାବଶ୍ୟକ ବିଦେଶ ଭ୍ରମଣ ଏଡ଼ାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେବାର କିଛି ଦିନ ପରେ ଏୟାର ଇଣ୍ଡିଆ ଏହାର ଅନ୍ତର୍ଜାତୀୟ ଉଡ଼ାଣ ସଂଖ୍ୟା ହ୍ରାସ କରିଛି। ଦିଲ୍ଲୀ-ମେଲବୋର୍ଣ୍ଣ ଓ ଦିଲ୍ଲୀ-ସିଡ୍ନି ରୁଟ୍ରେ ପ୍ରତିଦିନ ବଦଳରେ ସପ୍ତାହକୁ ଚାରି ଦିନ ବିମାନ ଉଡ଼ାଣ ଭରିବ। ଦିଲ୍ଲୀ-ସିଙ୍ଗାପୁର ରୁଟ୍ରେ ସପ୍ତାହକୁ ୨୪ ବଦଳରେ ୧୪ ଥର, ମୁମ୍ବାଇ-ସିଙ୍ଗାପୁର ମଧ୍ୟ ୧୪ ବଦଳରେ ୭ଟି ଉଡ଼ାଣ ଭରିବ। ଦିଲ୍ଲୀ-ବ୍ୟାଙ୍କକ୍ ରୁଟ୍ରେ ସାପ୍ତାହିକ ଉଡ଼ାଣ ୨୮ରୁ ୨୧କୁ ହ୍ରାସ କରାଯାଇଛି। ମୁମ୍ବାଇ-ବ୍ୟାଙ୍କକ୍ ରୁଟ୍ରେ ଉଡ଼ାଣ ୧୩ରୁ ହ୍ରାସ କରି ୭ କରାଯାଇଛି।
ସୌଜନ୍ୟ ସମ୍ବାଦ

