ରାଜ୍ୟ

Akash Mahuria Death Case: ଥାନା ହାଜତରେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ, ତିନି ପୁଲିସ ଅଧିକାରୀଙ୍କ ଜାମିନ ଖାରଜ

କଟକ,୧୫/୧୦: ସମାଜ ଆଇନ ଦ୍ୱାରା ପରିଚାଳିତ ହୁଏ । ଆଇନ ଶିକ୍ଷା ଦେଇଛି, ଥାନା ହାଜତରେ ଶୃଙ୍ଖଳାକୁ ଗୁରୁତ୍ୱ ଦେବା ଉଚିତ୍ । ହାଜତ କାହାର ମୃତ୍ୟୁ ପାଇଁ ତିଆରି କରାଯାଇ ନାହିଁ କି କାହାର ସାମ୍ବିଧାନିକ ଅଧିକାରକୁ କ୍ଷୂଣ୍ଣ କରିବା ଲାଗି ଲାଇସେନ୍ସ ଦିଆଯାଇନାହିଁ । ଥାନା ହାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରି ହାଇକୋର୍ଟ ଏଭଳି ମତ ଦେଇଛନ୍ତି । ଏହି ଅବସରରେ ହାଇକୋର୍ଟରେ ଏହି ମାମଲାରେ ଗିରଫ ହୋଇଥିବା ତିନି ପୁଲିସ୍ ଅଧିକାରୀ ଦେବେନ୍ଦ୍ର କୁମାର ପାଇକ (କନ୍‌ଷ୍ଟେବଳ), କୃଷ୍ଣଚନ୍ଦ୍ର ବେହେରା (ଅତିରିକ୍ତ ପୁଲିସ୍ ସବ୍ ଇନ୍ସପେକ୍ଟର) ଏବଂ ଶିବପ୍ରସାଦ ସାହୁ(ସବ୍ ଇନ୍ସପେକ୍ଟର)ଙ୍କ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଭି. ନରସିଂହ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିବା ସହ ଆବେଦନକାରୀମାନେ ଚାହିଁଲେ ଜାମିନ୍ ପାଇଁ ପୁନର୍ବାର ନିମ୍ନ ଅଦାଲତରେ ଆବେଦନ କରିପାରିବେ ବୋଲି ଆଦେଶ ଦେଇଛନ୍ତି ।

ମାମଲାରୁ ଜଣାଯାଇଛି ଯେ, ୨୦୧୭ ମସିହା ଜାନୁଆରୀ ୩୦ ତାରିଖରେ ଏହି ତିନି ପୁଲିସ୍ ଅଧିକାରୀ କୁଖ୍ୟାତ ଅପରାଧୀ କୁହାଯାଉଥିବା ଆକାଶ ମହୁରିଆକୁ ଗିରଫ ପାଇଁ ଯାଇଥିଲେ । ପୁଲିସ୍ର ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଆକାଶ ଗିରଫଦାରୀରୁ ବଞ୍ଚିବା ପାଇଁ ବାଇକ୍ରେ ଖସି ପଳାଇବାକୁ ଚେଷ୍ଟା କରିଥିଲା । କିନ୍ତୁ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଆହତ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାର ଦେହାନ୍ତ ହୋଇଯାଇଥିଲା । ପରେ ପୁଲିସ ପକ୍ଷରୁ ଏନେଇ ଏକ ଏଫ୍ଆଇଆର୍ ମଧ୍ୟ ଦାଏର ହୋଇଥିଲା । କିନ୍ତୁ ପୁଲିସର ଏହି ସଫେଇରେ ସନ୍ତୁଷ୍ଟ ନଥିବା ଆକାଶର ମା’ ରାଜ୍ୟ ମାନବାଧିକାର କମିସନ(ଓଏଚ୍ଆରସି) ରେ ଏକ ମାମଲା ରୁଜୁ କରିଥିଲେ । ତାଙ୍କ ପୁଅକୁ ଥାନା ହାଜତରେ ବାଡ଼େବାଡ଼େଇ ମାରି ଦିଆଯାଇଛି ବୋଲି ସେ ଅଭିଯୋଗ କରିଥିଲେ । ଏହାକୁ ଓଏଚ୍ଆରସି ଗୁରୁତ୍ୱର ସହ ନେଇ କ୍ରାଇମ୍‌ବ୍ରାଞ୍ଚ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ପରେ ୨୦୨୫ ଅଗଷ୍ଟ ୨୯ ତାରିଖରେ ତିନି ପୁଲିସ୍ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ସେବେଠାରୁ ଅଭିଯୁକ୍ତମାନେ ଜେଲ୍ରେ ରହି ଆସୁଛନ୍ତି । ଅଭିଯୁକ୍ତଙ୍କ ଜାମିନ୍ ନିମ୍ନ ଅଦାଲତରୁ ଖାରଜ ହେବାପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ହାଇକୋର୍ଟ ବିଭିନ୍ନ ପକ୍ଷଙ୍କୁ ଶୁଣିବା ପରେ ରାୟରେ କହିଛନ୍ତି ଯେ, ଗାଡ଼ିରୁ ପଡ଼ି ଆକାଶ ଆହତ ହେବା ସହ ମୃତ୍ୟୁବରଣ କରିଛି ବୋଲି ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ । ସମ୍ବିଧାନର ଧାରା ୨୧ରେ ହାଜତରେ ଥିବା ଜଣେ ବ୍ୟକ୍ତିର ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି । ଯେତେବେଳେ ଜାମିନ୍ ମାମଲାର ଶୁଣାଣି କରାଯାଏ ସେତେବେଳେ ଘଟଣାର ଗୁରୁତ୍ୱ ଏବଂ ପାରିପାଶ୍ୱିର୍କ ସ୍ଥିତିକୁ ବିଚାରକୁ ନିଆଯାଇଥାଏ । ଏହି ପୁଲସ୍ ଅଧିକାରୀମାନେ ଗୋଟେ ବର୍ଷରୁ ଅଧିକ ସମୟ ଜେଲ୍‌ରେ ରହିଗଲେଣି ବୋଲି ସେମାନଙ୍କୁ ଜାମିନ୍ ଦିଆଯାଇ ପାରିବ ନାହିଁ । କାରଣ ଯେତେବେଳେ ସେମାନେ ନାଗରିକଙ୍କୁ ସୁରକ୍ଷା ନେଦବା କଥା ସେତେବେଳେ ସେମାନେ ନିଜେ ଅପରାଧିକ କାର୍ଯ୍ୟ କରିଛନ୍ତି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button