Akhilesh Yadav: ଇଣ୍ଡି ମେଣ୍ଟ ବୈଠକରେ ଯୋଗ ଦେବେନି ଅଖିଳେଶ
ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (ସପା) ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣାକୁ ନେଇ ମତଭେଦ ଦେଖାଦେଇଛି। ଏହି ସମୟରେ ସେପ୍ଟେମ୍ବର ୩୦ରେ ନୂଆଦିଲ୍ଲୀରେ ହେବାକୁ ଥିବା ଇଣ୍ଡିମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସପା ମୁଖ୍ୟ ଅଖିଳେଶ ଯାଦବ ନିଜେ ଯୋଗ ଦେବେ ନାହିଁ।

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭାନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (ସପା) ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣାକୁ ନେଇ ମତଭେଦ ଦେଖାଦେଇଛି। ଏହି ସମୟରେ ସେପ୍ଟେମ୍ବର ୩୦ରେ ନୂଆଦିଲ୍ଲୀରେ ହେବାକୁ ଥିବା ଇଣ୍ଡିମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସପା ମୁଖ୍ୟ ଅଖିଳେଶ ଯାଦବ ନିଜେ ଯୋଗ ଦେବେ ନାହିଁ। ତାଙ୍କ ବଦଳରେ ଦଳର ଜଣେ ବରିଷ୍ଠ ନେତା ବୈଠକରେ ସପାର ପ୍ରତିନିଧିତ୍ବ କରିବେ।
ସପା ପକ୍ଷରୁ କୁହାଯାଇଛି ଯେ ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଚୟନ ଓ ଅନ୍ୟ ଦଳୀୟ କାର୍ଯ୍ୟକ୍ରମରେ ଅଖିଳେଶ ବ୍ୟସ୍ତ ରହିବେ। ତେଣୁ ସେ ବୈଠକରେ ଯୋଗ ଦେଉନାହାନ୍ତି। ତେବେ ଦଳୀୟ ସୂତ୍ରକୁ ଉଦ୍ଧୃତ କରି ରିପୋର୍ଟରେ କୁହାଯାଇଛି ଯେ କଂଗ୍ରେସର ଶୀର୍ଷ ନେତୃତ୍ବ ସହ ଆସନ ବୁଝାମଣା ଆଲୋଚନାକୁ ଏହି ସମୟରେ ଏଡ଼ାଇବା ମଧ୍ୟ ଏହାର ଏକ କାରଣ ହୋଇପାରେ। କଂଗ୍ରେସ ଚାହୁଛି, ଉତ୍ତରପ୍ରଦେଶରେ ମେଣ୍ଟର ଆସନ ବଣ୍ଟନ ଶୀଘ୍ର ଚୂଡ଼ାନ୍ତ ହେଉ। ଦଳ କେତୋଟି ଆସନରେ ଲଢ଼ିବ ଏବଂ କେଉଁ ଆସନଗୁଡ଼ିକରେ ପ୍ରାର୍ଥୀ ଦେବ, ତାହା ନେଇ ଅକ୍ଟୋବରରେ ଆଲୋଚନା ଶେଷ କରିବାକୁ ଚାହୁଥିବା ରିପୋର୍ଟ ପ୍ରକାଶ ପାଇଛି। କଂଗ୍ରେସ ଅତି କମ୍ରେ ୧୫୦ଟି ଆସନରେ ଲଢ଼ିବାକୁ ଚାହୁଥିବା ନେଇ ମଧ୍ୟ ଖବର ଆସିଛି।
ସୌଜନ୍ୟ ସମ୍ବାଦ




