Allowance: ଭତ୍ତା ନପାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିକାଶ: ମିଳିଲା ଭତ୍ତା, ତିନିଚକିଆ ସାଇକଲ
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ମାଲଦା ପଞ୍ଚାୟତ ଗଣୁଆ ଗ୍ରାମର ଦିବ୍ୟାଙ୍ଗ ଯୁବକ ବିକାଶ ରଞ୍ଜନ ପାତ୍ର ୬ ମାସ ହେଲା ଭତ୍ତା ପାଇନଥିବା ନେଇ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ରେ ଖବର ପ୍ରସାରଣ ହେବା ପରେ ତତ୍ପର ହୋଇଛି ପ୍ରଶାସନ।

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ମାଲଦା ପଞ୍ଚାୟତ ଗଣୁଆ ଗ୍ରାମର ଦିବ୍ୟାଙ୍ଗ ଯୁବକ ବିକାଶ ରଞ୍ଜନ ପାତ୍ର ୬ ମାସ ହେଲା ଭତ୍ତା ପାଇନଥିବା ନେଇ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ରେ ଖବର ପ୍ରସାରଣ ହେବା ପରେ ତତ୍ପର ହୋଇଛି ପ୍ରଶାସନ। ପ୍ରଶାସନିକ ଅଧିକାରୀ ବିକାଶଙ୍କ ଘରେ ପହଞ୍ଚି ତାଙ୍କୁ ଏକ ତିନିଚକିଆ ସାଇକଲ ସହ ୬ ମାସର ବକେୟା ଭତ୍ତା ପ୍ରଦାନ କରିଛନ୍ତି। ଭବିଷ୍ୟତରେ ଭତ୍ତା ପାଇବାରେ ଯେପରି କୌଣସି ସମସ୍ୟା ନହୁଏ, ସେଥିପାଇଁ ଏସ୍ବିଆଇରେ ତାଙ୍କ ନାମରେ ନୂତନ ବ୍ୟାଙ୍କ ଖାତା ମଧ୍ୟ ଖୋଲାଯାଇଛି। ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ପାତ୍ର କହିଛନ୍ତି, ବୈଷୟିକ ତ୍ରୁଟି ଯୋଗୁଁ ଭତ୍ତା ପ୍ରଦାନରେ ସମସ୍ୟା ହୋଇଥିଲା। ନୂତନ ବ୍ୟାଙ୍କ ଖାତା ଖୋଲାଯାଇ ଏହାର ସ୍ଥାୟୀ ସମାଧାନ କରାଯାଇଛି। ପ୍ରଶାସନର ଏହି ପଦକ୍ଷେପ ପରେ ବିକାଶ, ତାଙ୍କ ମା’ ସୁଶୀଳା ଓ ଭଉଣୀ ସନ୍ଧ୍ୟାରାଣୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଏଥିସହ ଖବର ପ୍ରସାରଣ କରିଥିବା ‘ସମ୍ବାଦ-କନକ ନ୍ୟୁଜ୍’ ଏବଂ ସହଯୋଗ କରିଥିବା ବିଡିଓ ଓ ପ୍ରଶାସନିକ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସୌଜନ୍ୟ ସମ୍ବାଦ




