Three students: ତିନି ଶିକ୍ଷାର୍ଥୀଙ୍କ ନୂଆ ଉଦ୍ଭାବନ ପାଣିରୁ ଛାଣିବ ମାଇକ୍ରୋପ୍ଲାଷ୍ଟିକ୍

ଆଜିକାଲି ମାଇକ୍ରୋପ୍ଲାଷ୍ଟିକ୍ ଚାରିଆଡ଼େ ବିଦ୍ୟମାନ। ନଦୀରେ, କଳ ପାଣିରେ, ପ୍ୟାକେଜ୍ଡ୍ ଖାଦ୍ୟରେ ଏବଂ ମନୁଷ୍ୟ ଶରୀରରେ ମଧ୍ୟ ମାଇକ୍ରୋପ୍ଲାଷ୍ଟିକ୍ ଦେଖାଯାଉଛି। ଅବଶ୍ୟ ମନୁଷ୍ୟ ସ୍ବାସ୍ଥ୍ୟ ଉପରେ ଏହା କିଭଳି କୁପ୍ରଭାବ ପକାଉଛି, ସେ ସଂକ୍ରାନ୍ତରେ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ତାହା ଜାଣିବାକୁ ଆହୁରି ବେଶ୍ କିଛିଦିନ ଲାଗିବ। କିନ୍ତୁ, ପରିବେଶ ଉପରେ ମାଇକ୍ରୋପ୍ଲାଷ୍ଟିକ୍ଜନିତ ବିପତ୍ତି ପ୍ରମାଣିତ ହୋଇସାରିଲାଣି। ତନ୍ମଧ୍ୟରୁ ମାଇକ୍ରୋପ୍ଲାଷ୍ଟିକ୍ ଯୋଗୁଁ ହେଉଥିବା ଜଳ ପ୍ରଦୂଷଣ ଅତି ଉତ୍କଟ।
ଜଳ ମଧ୍ୟରୁ ଏହି ଅଦୃଶ୍ୟ ମାଇକ୍ରୋପ୍ଲାଷ୍ଟିକ୍ ଧରିବା ନିମନ୍ତେ ‘ପ୍ଲାସ୍-ଷ୍ଟିକ୍’ ନାମରେ ଗୋଟାଏ ସୁଲଭ ଉପକରଣ ଉଦ୍ଭାବନ କରି ତିନିଜଣ ଭାରତୀୟ ତରୁଣ ଏସିଆ ନିମନ୍ତେ ‘ଦି ଆର୍ଥ ପ୍ରାଇଜ୍ ୨୦୨୬’ ବିଜୟୀ ହୋଇଛନ୍ତି। ବିବାନ୍ ଛାୱଛାରିୟା, ଅାରିୟାନା ଅଗ୍ରୱାଲ୍ ଓ ଅବ୍ୟନା ମେହେଟ୍ଟା ନାମକ ଏ ତିନି ୧୬ ବର୍ଷୀୟ ତରୁଣତରୁଣୀ ତେନ୍ତୁଳିମଞ୍ଜି ଗୁଣ୍ଡରେ ଏହି ଜଳ ବିଶୋଧକ ପ୍ରସ୍ତୁତ କରିଛନ୍ତି। ଅଣୁଜୀବ ଦ୍ବାରା ବିଘଟିତ ହୋଇପାରୁଥିବା ଏହି ତେନ୍ତୁଳିମଞ୍ଜି ଗୁଣ୍ଡ ଜଳରେ ମିଶିଥିବା ସୂକ୍ଷ୍ମ ମାଇକ୍ରୋପ୍ଲାଷ୍ଟିକ୍ ସବୁକୁ ଏକତ୍ରକରି ବାନ୍ଧି ରଖୁଛି। ତା’ପରେ ଚୁମ୍ବକ ସହାୟତାରେ ସେ ମାଇକ୍ରୋପ୍ଲାଷ୍ଟିକ୍ ଧାରଣ କରି ରଖିଥିବା ତେନ୍ତୁଳିମଞ୍ଜି ଗୁଣ୍ଡକୁ ଅନାୟାସରେ କଢ଼ାଯାଇପାରୁଛି।
ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ଜୀବନଯାପନ ସମ୍ବନ୍ଧରେ ଅନୁଧ୍ୟାନ କରିବା ଲାଗି ଯାଇଥିବା ବେଳେ ସେମାନେ ଲକ୍ଷ୍ୟ କଲେ ଯେ ସମସ୍ତଙ୍କ ବ୍ୟବହାର ନିମନ୍ତେ ଲୋକେ ବଡ଼ ବଡ଼ ପାତ୍ରରେ ପାନୀୟ ଜଳ ଗଚ୍ଛିତ ରଖୁଛନ୍ତି। ମାଇକ୍ରୋପ୍ଲାଷ୍ଟିକ୍ ପ୍ରବଣ ସେ ଅଞ୍ଚଳରେ ଜଳ ଛାଙ୍କିବା ଅଥବା ବିଶୋଧନ କରିବା ନିମନ୍ତେ କୌଣସି ବ୍ୟବସ୍ଥା ନାହିଁ। ଏମିତି ଦିନେ ବୁଲାବୁଲି କରୁଥିବା ବେଳେ ସେମାନେ ଦେଖିଲେ ଛୁଆଟିଏ ଗୋଟାଏ ପାନୀୟଜଳ ଗଚ୍ଛିତ ପାତ୍ରରୁ ପିଉଛି। ସେଉଠୁ ଏହି ତିନି ତରୁଣତରୁଣୀ ସୁଲଭ ମୂଲ୍ୟରେ ଏବଂ ସହଜରେ ଉପଲବ୍ଧ ହେବା ଭଳି ବିକଳ୍ପ ଜଳ ବିଶୋଧକ ବିଷୟରେ ଚିନ୍ତା କଲେ।




