American soldiers: ଡେନମାର୍କର ବରଫ ଯୋଦ୍ଧାଙ୍କୁ ମୁକାବିଲା କରିପାରିବେ କି ଆମେରିକୀୟ ସୈନ୍ୟ: ଗ୍ରିନଲାଣ୍ଡକୁ ହାତେଇବା ଟ୍ରମ୍ପଙ୍କ ପାଇଁ ସହଜ ହେବନି

ଆର୍କଟିକ୍ ଓ ଆଟଲାଣ୍ଟିକ୍ ମହାସାଗର ମଧ୍ୟରେ ଥିବା ବିଶ୍ୱର ସର୍ବବୃହତ୍ ବରଫାୟିତ ଦ୍ୱୀପ ଗ୍ରିନଲାଣ୍ଡକୁ ନେଇ ଆଲୋଚନା ଗରମ ହୋଇଛି। ଡେନମାର୍କର ସ୍ୱୟଂଶାସିତ ଅଞ୍ଚଳ ଗ୍ରିନଲାଣ୍ଡ ଉପରେ ଆମେରିକା ନଜର ପକାଇଥିବାରୁ ଦୁଇ ଦେଶ ମୁହାଁମୁହିଁ ସ୍ଥିତିରେ ଅଛନ୍ତି।

ୱାସିଂଟନ: ଆର୍କଟିକ୍ ଓ ଆଟଲାଣ୍ଟିକ୍ ମହାସାଗର ମଧ୍ୟରେ ଥିବା ବିଶ୍ୱର ସର୍ବବୃହତ୍ ବରଫାୟିତ ଦ୍ୱୀପ ଗ୍ରିନଲାଣ୍ଡକୁ ନେଇ ଆଲୋଚନା ଗରମ ହୋଇଛି। ଡେନମାର୍କର ସ୍ୱୟଂଶାସିତ ଅଞ୍ଚଳ ଗ୍ରିନଲାଣ୍ଡ ଉପରେ ଆମେରିକା ନଜର ପକାଇଥିବାରୁ ଦୁଇ ଦେଶ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଅଞ୍ଚଳକୁ ନିୟନ୍ତ୍ରଣ କରିବାକୁ ଚାହୁଥିବାରୁ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭାବନା ରହିଛି।

କୋପେନହେଗେନ୍ ଟ୍ରମ୍ପଙ୍କ ଦାବିକୁ ସୁରକ୍ଷା ପ୍ରତି ବିପଦ ଭାବରେ ଦେଖୁଛି। ଯଦି ଆମେରିକାର ସୈନ୍ୟମାନେ ଅବତରଣ କରିବାକୁ ଚେଷ୍ଟା କରନ୍ତି ତେବେ ଗ୍ରିନଲାଣ୍ଡରେ ଥିବା ଡେନମାର୍କ ସୈନ୍ୟବାହିନୀକୁ ‘ପ୍ରଥମେ ଗୁଳି ଚଳାଇବା ଓ ପରେ ପ୍ରଶ୍ନ ପଚାରିବାକୁ’ ନିର୍ଦ୍ଦେଶ ଦିଆଯାଇଛି। ଟ୍ରମ୍ପ ଗ୍ରିନଲାଣ୍ଡର ପ୍ରତିରକ୍ଷାକୁ ପରିହାସ କରି କହିଛନ୍ତି ଯେ ସେମାନେ ‘ଦୁଇଟି କୁକୁର ଓ ଏକ ସ୍ଲେଜ୍’ ପରି। କିନ୍ତୁ ଉଭୟ ପକ୍ଷର ଉଦ୍ଦେଶ୍ୟ ସ୍ପଷ୍ଟ। ଯଦି ଟ୍ରମ୍ପଙ୍କ ଆମେରିକୀୟ ସୈନ୍ୟମାନେ ଗ୍ରିନଲାଣ୍ଡକୁ ଯାଆନ୍ତି, ଯାହା ଏକ ସାର୍ବଭୌମ ଡେନମାର୍କ ଅଞ୍ଚଳ, ତେବେ ଏହା ଭେନେଜୁଏଲାର ନେତା ନିକୋଲାସ୍ ମାଦୁରୋଙ୍କ ଧରାପଡିବା ପରି ସହଜ ହୋଇନପାରେ। ଯେକୌଣସି ଆକ୍ରମଣକୁ ପ୍ରତିହତ କରିବା ପାଇଁ ବରଫରେ ଯୁଦ୍ଧ କରିବାରେ ଅଭ୍ୟସ୍ତ ଡେନମାର୍କର ଆର୍କଟିକ୍ ଯୋଦ୍ଧା ଆମେରିକାର ନେଭି ସିଲ୍ ସହିତ ସମାନ ଭାବରେ ମୁକାବିଲା କରିବେ। ଡେନମାର୍କର ସୈନିକମାନେ ବିଯୁକ୍ତ ୫୦ ଡିଗ୍ରି ସେଲସିୟସରେ କାର୍ଯ୍ୟ କରିବା, ଥଣ୍ଡା ଜଳରେ ବୁଡ଼ିବା ଏବଂ ଚରମ ଆର୍କଟିକ୍ ଅବସ୍ଥାରେ ଛଅ ମାସ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ତାଲିମପ୍ରାପ୍ତ। ଏଥିରେ ଇଲାଇଟ୍‌ ଜେଗର୍ କର୍ପସ, ଫ୍ରୋଗମେନ୍ ଓ ସିରିୟସ୍ ଡଗ୍ ସ୍ଲେଡ୍ ପାଟ୍ରୋଲିଂ ଅନ୍ତର୍ଭୁକ୍ତ।

ଏମାନେ ହେଉଛନ୍ତି ଗ୍ରିନଲାଣ୍ଡରେ ଅବସ୍ଥାପିତ ଡେନମାର୍କ ସୈନ୍ୟବାହିନୀ, ଯେଉଁମାନେ ଆମେରିକୀୟ ସୈନ୍ୟମାନଙ୍କ ସମ୍ମୁଖୀନ ହେବାକୁ ପଛଘୁଞ୍ଚା ଦେବେନାହିଁ। ଏହା ଡେନମାର୍କର ମିଳିତ ଆର୍କଟିକ୍ କମାଣ୍ଡ ଯାହା ଗ୍ରିନଲାଣ୍ଡ ଓ ଅନ୍ୟ ଏକ ବିଦେଶୀ ଡେନମାର୍କ ଅଞ୍ଚଳ ଫାରୋ ଦ୍ୱୀପପୁଞ୍ଜର ପ୍ରତିରକ୍ଷା ଓ ସାର୍ବଭୌମତ୍ୱ ପାଇଁ ସମ୍ପୂର୍ଣ୍ଣ ଦାୟିତ୍ବ ବହନ କରେ। ବିରଳ ମୃତ୍ତିକା ଖଣିଜ ପଦାର୍ଥର ବିପୁଳ ଭଣ୍ଡାର ହୋଇଥିବାରୁ ଗ୍ରିନଲାଣ୍ଡ ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଳାଷର କେନ୍ଦ୍ରବିନ୍ଦୁ ପାଲଟିଛି। ଆମେରିକା ରାଷ୍ଟ୍ରପତି ବାରମ୍ବାର କହିଛନ୍ତି ଯେ ରୁଷ୍‌ ଓ ଚୀନ୍‌କୁ ଟକ୍କର ଦେବା ପାଇଁ ଆମେରିକା ଗ୍ରିନଲାଣ୍ଡ ଦଖଲ କରିବା ଆବଶ୍ୟକ। ସାମରିକ ଶକ୍ତି ପ୍ରୟୋଗ ସମେତ ଯେକୌଣସି ଉପାୟରେ ସେ ଗ୍ରିନଲାଣ୍ଡକୁ ହାତେଇବାକୁ ଚାହୁଛନ୍ତି। ବ୍ଲୁମବର୍ଗ ନ୍ୟୁଜ୍ ରିପୋର୍ଟ କରିଛି ଯେ ବ୍ରିଟେନ୍ ଓ ଜର୍ମାନୀର ନେତୃତ୍ୱରେ ୟୁରୋପୀୟ ଦେଶଗୁଡ଼ିକର ଏକ ଗୋଷ୍ଠୀ ଗ୍ରିନଲାଣ୍ଡରେ ସେମାନଙ୍କର ସାମରିକ ଉପସ୍ଥିତି ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। କିନ୍ତୁ ଡେନମାର୍କର ବରଫ ଯୋଦ୍ଧାଙ୍କ ସହ ମୁକାବିଲା କରି ଗ୍ରିନଲାଣ୍ଡକୁ ହାତେଇବା ଲାଗି ଯେକୌଣସି ଆମେରିକୀୟ ପଦକ୍ଷେପ ପୃଥିବୀର ସବୁଠାରୁ କଠିନ ସ୍ଥାନରେ ଏକ ବଡ଼ ପରୀକ୍ଷା ହେବ।

ସୌଜନ୍ୟ ସମ୍ବାଦ

Exit mobile version