Angul-Athgarh road: ବଦଳିବ ଅନୁଗୁଳ-ଆଠଗଡ଼ ରାସ୍ତା ଚେହେରା: ରାସୋଳ, ଭାପୁର ଓ ଆଠଗଡ଼ରେ ହେବ ବାଇପାସ୍‌

ଅନୁଗୁଳରୁ ଆଠଗଡ଼ ଦେଇ କୃଷ୍ଣଶ୍ୟାମପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ-୬୫୫ର ପ୍ରଶସ୍ତୀକରଣ କରାଯିବ। ଏହାକୁ ସରକାରଙ୍କ ଅନୁମୋଦନ ମିଳିବା ପରେ ଡିପିଆର୍‌ ପ୍ରସ୍ତୁତ ‌ହୋଇଛି।

ଅନୁଗୁଳ: ଅନୁଗୁଳରୁ ଆଠଗଡ଼ ଦେଇ କୃଷ୍ଣଶ୍ୟାମପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ-୬୫୫ର ପ୍ରଶସ୍ତୀକରଣ କରାଯିବ। ଏହାକୁ ସରକାରଙ୍କ ଅନୁମୋଦନ ମିଳିବା ପରେ ଡିପିଆର୍‌ ପ୍ରସ୍ତୁତ ‌ହୋଇଛି। ପ୍ରାୟ ୮୫କିମିର ଏହି ରାସ୍ତାକୁ ଦୁଇ ଥାକିଆ କରାଯିବା ସହ ରାସୋଳ, ଭାପୁର ଓ ଆଠଗଡ଼ରେ ବାଇପାସ୍‌ ରାସ୍ତା ନିର୍ମାଣ କରାଯିବ। ସମୁଦାୟ ରାସ୍ତାକୁ ୩ଟି ଭାଗରେ ବିଭକ୍ତ କରାଯାଇଛି। ପ୍ରସ୍ତାବିତ କ୍ୟାପିଟାଲ୍‌ ରିଜିଅନ୍‌ ରିଂରୋଡ୍‌କୁ ଏହି ଜାତୀୟ ରାଜପଥ ଆଠଗଡ଼ ନିକଟରେ ସଂଯୋଗ କରିବ। ଫଳରେ ଅନୁଗୁଳ-ଭୁବନେଶ୍ବର ଯୋଗାଯୋଗ ଆହୁରି ମଜଭୁତ ହୋଇପାରିବ ବୋଲି ଆଶା କରାଯାଉଛି। ଅନୁଗୁଳ-କୃ‌ଷ୍ଣଶ୍ୟାମପୁର ରାସ୍ତାକୁ ୨୦୧୮ ଏପ୍ରିଲ ୩ରେ ଜାତୀୟ ରାଜପଥ-୬୫୫ ଭାବେ ଘୋଷଣା କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଏହି ରାସ୍ତା ଅନୁଗୁଳ ଷ୍ଟାଡିୟମ୍‌ ନିକଟରୁ ୫୫ ନମ୍ବର ଜାତୀୟ ରାଜପଥରୁ ବାହାରି ମହିଧରପୁର, ସାତମାଇଲ, ରାସୋଳ, ଭାପୁର, ଆଠଗଡ଼, ଗୋପୀନାଥରେ ଓ ତୋଟାପଡ଼ା ଦେଇ କୃଷ୍ଣଶ୍ୟାମପୁର ନିକଟରେ ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରିବ। ରାସ୍ତା ପ୍ରଶସ୍ତୀକରଣ ଓ ଉନ୍ନତୀକରଣ କାମକୁ ୩ ଭାଗ କରାଯାଇଛି। ଅନୁଗୁଳରୁ ମହୀଧପୁର ପର୍ଯ୍ୟନ୍ତ ୧୯ କିମି ରାସ୍ତାକୁ ଦୁଇ ଥାକିଆ କରାଯିବା ସହ ପକ୍କା ରାସ୍ତାକଡ଼ ରହିବ। ମହୀଧୁପର-ଆଠଗଡ଼ ପର୍ଯ୍ୟନ୍ତ ୫୪ କିମି ରାସ୍ତା ଏବେ ଅପେକ୍ଷାକୃତ ଅଣଓସାରିଆ ରହିଥିଲା ବେଳେ ଏହାକୁ ଦୁଇ ଥାକିଆ କରାଯିବାକୁ ନିଷ୍ପତ୍ତିି ହୋଇଛି। ଏହାସହ ପକ୍କା ରାସ୍ତାକଡ଼ କରାଯିବ। ଆଠଗଡ଼-କୃଷ୍ଣଶ୍ୟାମପୁର ୧୨.୬୨୦ କିମି ରାସ୍ତାକୁ ମଧ୍ୟ ଦୁଇ ଥାକିଆ କରାଯିବ।

ରାସୋଳ, ଭାପୁର ଓ ଆଠଗଡ଼ରେ ହେବ ବାଇପାସ୍‌
ମହୀଧରପୁରଛକର ହେବ ଉନ୍ନତୀକରଣ

ଏହି ନୂଆ ଜାତୀୟ ରାଜପଥରେ ୩ଟି ବାଇପାସ୍‌ ରାସ୍ତା ନିର୍ମାଣ କରିବାକୁ ଯୋଜନା ଚୂଡ଼ାନ୍ତ ହୋଇଛି। ରାସୋଳ ଓ ନାଉକିଆରି ବଜାର ପାଇଁ ୩.୪୪୦ କିମିର ବାଇପାସ୍‌ ରାସ୍ତା, ଭାପୁର ବଜାର ପାଇଁ ୨.୪୫୦ କିମିର ବାଇପାସ୍‌ ରାସ୍ତା ଓ ଆଠଗଡ଼ ବଜାର ପାଇଁ ୨.୯୭୫ କିମି ବାଇପାସ୍‌ ରାସ୍ତା ତିଆରି ହେବ। ଏହାସହିତ ୬ଟି ସ୍ଥାନରେ ରାସ୍ତାର ରିଆଲାଇନ୍‌ମେଣ୍ଟ କରିବାକୁ ଯୋଜନା ରହିଛି। ପୁଣି ମହୀଧରପୁର ଛକରେ ଟ୍ରାଫିକ୍‌ ପରିଚାଳନା ପାଇଁ ଏହାର ଉନ୍ନତୀକରଣ କରାଯିବ। ଏ ଭିତରେ କାମକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଅନୁମୋଦନ ଦେଇଥିଲା ବେଳେ ଜମି ଅଧିଗ୍ରହଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ସପ୍ତାହରେ ରାସ୍ତା ପ୍ରଶସ୍ତୀକରଣ ନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌) କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ନିକଟରେ ଦାଖଲ ହେବ ବୋଲି ସୂଚନା ମିଳିଛି।

ସୌଜନ୍ୟ ସମ୍ବାଦ

Exit mobile version