Anti-liquor campaign: ଗାଁକୁ ଗାଁ ବ୍ୟାପୁଛି ମଦ ବିରୋଧୀ ଅଭିଯାନ: ଏସ୍‌ଏଚ୍‌ଜି ନେଉଛି ନେତୃତ୍ବ, ନ ମାନିଲେ ଜରିମାନା

ଝାରସୁଗୁଡ଼ା: ଗାଁର ଶାନ୍ତ ବାତାବରଣକୁ ବିଷାକ୍ତ କରୁଥିଲା ମଦ। ଏକାଠି ହେଲେ ମହିଳା। ଗାଁର ବୁଦ୍ଧିଜୀବୀ ଓ ଗ୍ରାମ୍ୟ ପରିଚାଳନା କମିଟିକୁ ଧରି ଶପଥ ନେଲେ ଗାଁରୁ ମଦବିକ୍ରି ବନ୍ଦ କରିବେ। ଯିଏ ଉଲ୍ଲଂଘନ କଲା ମୋଟା ଅଙ୍କର ଜରିମାନା ଗଣିଲା। ବଦଳିଗଲା ଗାଁର ପରିବେଶ। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ସମରବଗା ପଞ୍ଚାୟତ କୁରେଇମାଲ ଗାଁରେ ପ୍ରଥମେ ଆରମ୍ଭ ହୋଇଥିଲା ମଦବନ୍ଦ ଅଭିଯାନ। ପରେ ପଞ୍ଚଗାଁରେ ମଦବିକ୍ରି ବନ୍ଦକୁ ମିଳିଥିଲା ସଫଳତା। ପଛକୁ ପଛ ନିଶାମୁକ୍ତି ଅଭିଯାନରେ ଯୋଡ଼ିହେଲା ପଲସଦା ଗାଁ। ଏବେ ‌ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପୁଛି ଏହି ଅଭିଯାନ। ପରିଣାମ ସ୍ବରୂପ ବର୍ଷ ବର୍ଷ ଧରି ଗାଁର ଶାନ୍ତ ବାତାବରଣକୁ ଅଶାନ୍ତ କରି ଆସୁଥିବା କୁଚିଆ ମଦଭାଟି ନିଶ୍ଚିହ୍ନ ହେବାରେ ଲାଗିଛି। ଦଶନ୍ଧି ଧରି ନିଶାରେ ବୁଡ଼ିରହିଥିବା ବ୍ୟକ୍ତି ମଧ୍ୟ ମଦ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।

ଲଖନପୁର ବ୍ଲକ୍‌ର ବିଭିନ୍ନ ଗାଁରେ ବେଆଇନ କୁଚିଆ ଭାଟି ଚାଲିଆସିଛି। ମଦ ଭାଟି ଯୋଗୁଁ ପ୍ରତି ଗାଁର ଗରିବ, ଶ୍ରମିକ ଶ୍ରେଣୀର ଲୋକେ ନିଶାସକ୍ତ ହେବାରେ ଲାଗିଥିଲେ। ଘରୋଇ ହିଂସା ବଢ଼ିବା ସାଙ୍ଗକୁ ଗାଁ କଳୁଷିତ ହେବାରେ ଲାଗିଥିଲା। ଘରର ଆର୍ଥିକ ସ୍ଥିତି ଦୋହଲିଯିବା ସହ ପିଲାଛୁଆଙ୍କ ଭବିଷ୍ୟତ ସୂତାଖିଅରେ ଝୁଲୁଥିଲା। ଗତବର୍ଷ ଅଗଷ୍ଟ ମାସରେ ପ୍ରଥମକରି ପଞ୍ଚଗାଁ ଗାଁରେ ବୈଠକ ବସିଥିଲା। ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସମେତ ଗ୍ରାମ୍ୟ ପରିଚାଳନା କମିଟିର ସଦସ୍ୟ ଏବଂ ବୁଦ୍ଧିଜୀବୀ ଗାଁରେ ମଦବିକ୍ରି ନିଷେଧ କରିବାକୁ ସ୍ଥିର କରିଥିଲେ। ଗାଁରୁ ସଂପୂର୍ଣ୍ଣ ମଦବିକ୍ରି ବନ୍ଦ ହୋଇଗଲା। ବହୁବର୍ଷ ଧରି ମଦ ବନ୍ଦ ଆନ୍ଦୋଳନ କରି ଆସୁଥିବା ପଲସଦା ଗାଁର ମହିଳାଙ୍କୁ ବଳ ମିଳିଥିଲା। ସେମାନଙ୍କ ନେତୃତ୍ବରେ ଗତବର୍ଷ ସେପଟେମ୍ବର ମାସରେ ଗ୍ରାମ୍ୟ ପରିଚାଳନା କମିଟିର ବୈଠକ ବସି ଗାଁର ସମସ୍ତ କୁଚିଆ ମଦଭାଟି ବନ୍ଦ ନିଷ୍ପତ୍ତି ନିଆଯାଇଥିଲା। କିଛି ମାସ କଡ଼ାକଡ଼ି ବନ୍ଦ ପରେ ପୁଣି ଲୁଚାଛପାରେ ବିକ୍ରି ହୋଇଥିଲା।

ସୌଜନ୍ୟ ସମ୍ବାଦ