Apartment: ଏଣିକି ବାଧିବ ଆପାର୍ଟମେଣ୍ଟ କିଣା: ଷ୍ଟାମ୍ପ ଦେୟ ୨% ବଢ଼ିଲା

ଭୁବନେଶ୍ବର: ରାଜ୍ୟରେ ଆପାର୍ଟମେଣ୍ଟ କିଣିବାବେଳେ ପୂର୍ବରୁ ମୂଲ୍ୟ ଅନୁଯାୟୀ ୩ଟି ସ୍ଲାବ୍ ଯଥା ୩%, ୪%, ୫% ଷ୍ଟାମ୍ପ ଦେୟ ଆଦାୟ ହେଉଥିଲା। ଏଣିକି ସମସ୍ତଙ୍କଠାରୁ ୫% ଷ୍ଟାମ୍ପ ଦେୟ ଆଦାୟ ହେବ। ଏହାବାଦ୍ ରେଜିଷ୍ଟ୍ରେସନ୍ ଫି’ ବାବଦକୁ ଯେପରି ଯେଉଁ ବର୍ଗଠାରୁ ୧% ବା ୨% ଆଦାୟ ହେଉଥିଲା ଏବେ ସେମିତି ହେବ। ବୁଧବାର ରାଜ୍ୟ କ୍ୟାବିନେଟ୍ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏହି ପ୍ରସ୍ତାବ ଉପରେ ମୋହର ମାରିଛି। ଏହି ନିଷ୍ପତ୍ତି ଦ୍ବାରା ଏବେ ଆପାର୍ଟମେଣ୍ଟ କିଣା ମହଙ୍ଗା ହୋଇଯିବ।

ପୂର୍ବରୁ ରାଜ୍ୟରେ ୫ ଲକ୍ଷ ପର୍ଯ୍ୟନ୍ତ ଆପାର୍ଟମେଣ୍ଟ କିଣିଲେ ଷ୍ଟାମ୍ପ ଦେୟ ବାବଦକୁ ୩% ଦେବାକୁ ପଡ଼ୁଥିଲା। ୫ରୁ ୧୫ଲକ୍ଷ ଭିତରେ ଆପାର୍ଟମେଣ୍ଟ ମୂଲ୍ୟ ଥିଲେ ଷ୍ଟାମ୍ପ ଦେୟ ୪% ଥିଲା ଏବଂ ୧୫ ଲକ୍ଷରୁ ଅଧିକ ଥିଲେ ୫% ଷ୍ଟାମ୍ପ ଦେୟ ଦେବାକୁ ପଡ଼ୁଥିଲା। ଏବେ ଯେତେ ମୂଲ୍ୟର ଆପାର୍ଟମେଣ୍ଟ କିଣିଲେ ବି ୫% ଷ୍ଟାମ୍ପ ଦେୟ ଏବଂ ଏହାବାଦ୍ ରେଜିଷ୍ଟ୍ରେସନ୍ ଫି’ ଦେବାକୁ ପଡ଼ିବ।

ରାଜସ୍ବ ବିଭାଗର ଯୁକ୍ତି ହେଉଛି, ରାଜ୍ୟରେ ଆଉ କୌଣସି ସ୍ଥାନରେ ୧୫ ଲକ୍ଷରୁ କମ୍‌ ମୂଲ୍ୟରେ ଫ୍ଲାଟ୍‌ ବିକ୍ରି ହେଉନି। ତେଣୁ ବହୁ ପୂର୍ବରୁ ଥିବା ନିୟମକୁ ହଟାଇ ଦିଆଗଲା। ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ଗରିବ ଲୋକମାନେ ଭୁବନେଶ୍ବରରୁ ଦୂରରେ କିମ୍ବା ଅନ୍ୟ ସହରରେ ୧ ବିଏଚ୍‌କେ ଘର କିଣୁଥିଲେ ସେମାନେ ଏହି ମୂଲ୍ୟରେ ଘର ପାଉଥିଲେ। ଏବେ ପ୍ରଭାବିତ ହେବେ। ସବୁଠୁ ଅଧିକ ପ୍ରଭାବିତ ହେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୁଲଭ ମୂଲ୍ୟରେ ଗୃହ ଯୋଗାଣ ଯୋଜନାରେ (ପିଏମ୍‌-ଆବାସ ଏବଂ ଅନ୍ୟାନ୍ୟ ଯୋଜନାରେ) ଯେଉଁମାନେ ଆପାର୍ଟମେଣ୍ଟ କିଣୁଥିଲେ ସେମାନଙ୍କୁ ଅଢ଼େଇ ଲକ୍ଷ ଟଙ୍କାରେ ଘର ମିଳୁଥିବାବେଳେ ତାହା ଉପରେ ଏବେ ଅଧିକ ୨% ଅର୍ଥାତ୍ ୫% ଷ୍ଟାମ୍ପ ଡ୍ୟୁଟି ଆଦାୟ ହେବ।

ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ହେଉଛି, ବିଭିନ୍ନ ରାଜ୍ୟରେ ଲୋକ ଯେପରି କମ୍‌ ମୂଲ୍ୟର ଘର କମ୍‌ ଦାମ୍‌ରେ କିଣିବେ ସେଥିପାଇଁ ଷ୍ଟାମ୍ପ ଦେୟ ଉପରେ ରିହାତି ଥିବାବେଳେ ଓଡ଼ିଶା ସରକାର ପୂର୍ବ ବ୍ୟବସ୍ଥାକୁ ସୁଧାରିବା ବଦଳରେ ଏବେ ଗରିବଙ୍କଠାରୁ ଅଧିକ ରାଜସ୍ବ ଆଦାୟ ବ୍ୟବସ୍ଥା କରିଛନ୍ତି। କର୍ଣ୍ଣାଟକରେ ୨୦ ଲକ୍ଷରୁ କମ୍‌ ମୂଲ୍ୟର ଆପାର୍ଟମେଣ୍ଟ କିଣିଲେ ଲୋକଙ୍କୁ ୨% ଷ୍ଟାମ୍ପ ଦେୟ, ୨୦ ଲକ୍ଷରୁ ୪୫ ଲକ୍ଷ ଭିତରେ ଆପାର୍ଟମେଣ୍ଟ ପାଇଁ ୩% ଷ୍ଟାମ୍ପ ଦେୟ ଏବଂ ୪୫ ଲକ୍ଷରୁ ଅଧିକ ଆପାର୍ଟମେଣ୍ଟ ଉପରେ ୫% ଷ୍ଟାମ୍ପ ଦେୟ ଆଦାୟ ହେଉଛି। ଏହାବାଦ୍ ରେଜିଷ୍ଟ୍ରେସନ୍ ଫି’ ମାତ୍ର ୧% ରହିଛି। ଅଧିକାଂଶ ରାଜ୍ୟରେ ରେଜିଷ୍ଟ୍ରେସନ୍‌ ମୂଲ୍ୟ ୧% କିମ୍ବା ଏକ ଧାର୍ଯ୍ୟ ମୂଲ୍ୟ ଥିବାବେଳେ ଓଡ଼ିଶାରେ ୨% ରହିଛି। ଯେଉଁଥିପାଇଁ ଓଡ଼ିଶାରେ ଆପାର୍ଟମେଣ୍ଟ ମହଙ୍ଗା ହେଉଛି ଏବଂ ଦୀର୍ଘ ବର୍ଷ ଧରି ଖାଲି ପଡ଼ୁଛି।
ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୁଲଭ ମୂଲ୍ୟରେ ଗୃହ ଯୋଜନାରେ ଯେଉଁମାନେ ଆପାର୍ଟମେଣ୍ଟ କିଣୁଛନ୍ତି ସେମାନଙ୍କ ପାଇଁ ଷ୍ଟାମ୍ପ ଦେୟ ଧାର୍ଯ୍ୟ କରିବାକୁ ବିଚାର ଚାଲିଛି। ଏନେଇ ନଗର ଉନ୍ନୟନ ବିଭାଗ ଚୂଡ଼ାନ୍ତ ନିଷ୍ପତ୍ତି ନେବ।

ସୌଜନ୍ୟ ସମ୍ବାଦ