ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଏକ ବଡ଼ ପ୍ରସଙ୍ଗ ଥିଲା। ରତ୍ନଭଣ୍ଡାର ଅଳଙ୍କାର ଚୋରି ହୋଇଥିବା ନେଇ ବିଜେପି ଆରୋପ ଲଗାଇବା ସହ ଚାବି ତାମିଲନାଡ଼ୁ ପଠାଇ ଦିଆଯାଇଥିବା କୁହାଯାଇଥିଲା। ଏବେ ରତ୍ନଭଣ୍ଡାରରେ ଅଳଙ୍କାର ସୁରକ୍ଷିତ ଅଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଲା ପରେ ରାଜନୀତି ଆରମ୍ଭ ହୋଇଛି। ବିଜେଡି ନେତାମାନେ ସାମାଜିକ ଗଣମାଧ୍ୟମରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ଆଇନ ମନ୍ତ୍ରୀ ବି ବିଜେଡି ନେତାଙ୍କୁ କଡ଼ା ଜବାବ ଦେଇଛନ୍ତି। ଫଳରେ ପୁଣି ଥରେ ମହାପ୍ରଭୁ ରାଜନୀତିର କେନ୍ଦ୍ରକୁ ଆସିଯାଇଛନ୍ତି।
ସାମାଜିକ ଗଣମାଧ୍ୟମରେ ବିଜେପିକୁ ବିଜେଡିର ଭର୍ତ୍ସନା
ପାଲଟା ଅଭିଯୋଗର ପାହାଡ଼ ଲଦିଲେ ଆଇନ ମନ୍ତ୍ରୀ
ଗତକାଲିଠାରୁ ବିଜେଡି ନେତାମାନେ ବିଜେପିକୁ ଭର୍ତ୍ସନା କରି ଚାଲିଛନ୍ତି। ନିର୍ବାଚନ ବେଳେ ବିଜେପି ଏ ପ୍ରସଙ୍ଗରେ ଡାହା ମିଛ କହିଥିଲା ବୋଲି ଆକ୍ଷେପ କରିଛନ୍ତି। ବିଜେଡି ନେତା ପ୍ରଣବପ୍ରକାଶ ଦାସ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ନେଇ ଯେଭଳି ଅପପ୍ରଚାର କରାଗଲା ତାହା ଓଡ଼ିଶାବାସୀଙ୍କ ଭାବନା ସହ ଏକ କ୍ରୂର ପରିହାସ। ରାଜନୈତିକ ଫାଇଦା ପାଇଁ ଗୁଜବକୁ ଅସ୍ତ୍ର କରି ଜନମାନସରେ ଭୟ ଓ ସନ୍ଦେହ ସୃଷ୍ଟି କରାଯାଇଥିଲା। ବିଜେପିର ରାଜ୍ୟ ନେତୃତ୍ବ, ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତେ ରତ୍ନଭଣ୍ଡାର ଅଳଙ୍କାର ଚୋରି ହୋଇଥିବା ଚିତ୍କାର କରୁଥିଲେ। କିଛି ନେତା ସୀମା ଟପିଯାଇ ଅନ୍ୟ ରାଜ୍ୟକୁ ପଠାଇ ଦିଆଯାଇଥିବା ଅଭିଯୋଗ କରଥିଲେ। ଏବେ ସମସ୍ତଙ୍କ ମୁଖା ଖୋଲିଯାଇଛି। ମହାପ୍ରଭୁଙ୍କ ମାଟିରେ ଛିଡ଼ା ହୋଇ ଯେଉଁମାନେ ମିଥ୍ୟା ପ୍ରଚାର କରିଥିଲେ ସେମାନେ ଭୁଲ୍ ସ୍ବୀକାର କରି କ୍ଷମା ମାଗନ୍ତୁ।
ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେଡି ନେତାମାନେ ସାମାଜିକ ଗଣମାଧ୍ୟମରେ ବିଜେପିକୁ କଟାକ୍ଷ କରୁଛନ୍ତି। ଆମେ ଚାହିଲେ ବିଜେଡିର ଏହି ଦୁଃସାହସ ଗୋଟିଏ ଦିନରେ ଛଡ଼ାଇ ଦେବୁ। ରତ୍ନଭଣ୍ଡାର ପ୍ରସଙ୍ଗରେ ବହୁ ପ୍ରଶ୍ନର ଉତ୍ତର ମିଳି ନାହିଁ। ଆମେ ପ୍ରଶ୍ନ ପଚାରିବା ଆରମ୍ଭ କଲେ ବିଜେଡିର ପକ୍ଷାଘାତ ହୋଇଯିବ। ରତ୍ନଭଣ୍ଡାର ଚାବି କୁଆଡ଼େ ଯାଇଥିଲା? ତୁମ ସରକାର ସମୟରେ ଖୋଲିଲ ନାହିଁ କାହିଁକି? ଡୁପ୍ଲିକେଟ୍ ଚାବି କୁଆଡ଼ୁ ଆସିଲା? ଟ୍ରେଜେରିରେ ଚାବି ମିଳିଲା ନାହିଁ। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଆମେ ତାଲା କାଟିଲୁ। ଆମେ ତାଙ୍କ ପରି ମିଥ୍ୟାଚାର କରୁ ନାହୁଁ। ଜଗନ୍ନାଥଙ୍କ ପ୍ରସଙ୍ଗରେ ଆମେ ରାଜନୀତିକରଣ କରିବାକୁ ଚାହୁନୁ। ଏହାକୁ ରାଜନୀତିକରଣ କରିବା ସପକ୍ଷରେ ବିଜେପି ନାହିଁ।
ସୌଜନ୍ୟ ସମ୍ବାଦ

